ବାଲିଟ୍ରକ ଜବତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ପକ୍ଷରୁ ଆଜି ଏକ ବେଆଇନ ବାଲିଟ୍ରକକୁ ଜବତ କରାଯାଇଥିବା ସୂଚନା ମିଳିଛି। ବ୍ଲକ ଦେଇ ଯାଇଥିବା ବୈତରଣୀ ନଦୀର ମଣିନାଥପୁର, କୁମ୍ଭାରୀଆ, ରଘୁନାଥପୁର, ଝୁଟୁଣା, ବନ୍ଦାଳୋ ମଢ଼ିଆଳି ପ୍ରମୁଖ ସ୍ଥାନରୁ ଦୈନନ୍ଦିନ ଟ୍ରାକ୍ଟର ଓ ଟ୍ରକରେ ଶହ ଶହ ଟ୍ରିପ ବାଲି ଚାଲାଣ ହେଉଛି। ବାଲେଶ୍ଵର ଓ ଭଦ୍ରକ ଜିଲ୍ଲା ତମାମ ବୈତରଣୀ ବାଲିର ଚାହିଦା ରହିଥିବାରୁ ମାଫିଆ ମାନେ ଉକ୍ତ ବେପାରକୁ ବେଶ ଜମେଇ ଚାଲିଛନ୍ତି। ତହସିଲ ପକ୍ଷରୁ ବେଳେ ବେଳେ ଚଢ଼ାଉ ହେଉଥିଲେ ସୁଦ୍ଧା ଚୋରା ଚାଲାଣ କିନ୍ତୁ ଥମିବା ନାଁ ଧରୁନାହିଁ। ତେଣୁ ଥାନା ପକ୍ଷରୁ ବେଆଇନ ବାଲି ଚାଲାଣକୁ ରୋକିବା ପାଇଁ କିଛିଦିନର ବ୍ୟବଧାନ ପରେ ଆଜି ଚଢ଼ାଉ ହୋଇଛି। ଓଆର୦୨ବିୟୁ୭୦୩୮ ଟ୍ରକଟି ଆଜି ବେଆଇନ ବାଲି ବୋଝେଇ କରି ଆଖୁଆପଦା ପଟୁ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ପୋଲିସ ଅଧିକାରୀ ଅମିତାଭ ଦାସଙ୍କ ନିର୍ଦେଶକ୍ରମେ କର୍ମଚାରୀ ମାନେ ଏହାକୁ ଜାତୀୟ ରାଜପଥରେ ଅଟକ ରଖି ଥାନାକୁ ଆଣିଥିଲେ। ପୁଲିସ ପକ୍ଷରୁ ପ୍ରାଥମିକ ତଦନ୍ତ ବେଳେ ଟ୍ରକରେ ବେଆଇନ ବାଲି ଯାଉଥିବା ଜଣାପଡିବାରୁ ଏନେଇ ଥାନା ପକ୍ଷରୁ ଏକ ମାମଲା ରୁଜ୍ଜୁ ହୋଇଛି।