ବାଲିଟ୍ରକ ମାଡିଯାଇ ଦୁଇ ଅଣ ଓଡିଆ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଅସ୍ଥାୟୀ କ୍ୟାମ୍ପରେ ଚାଲିଥିଲା ରୋଷେଇ। ଆଉ କିଛି ସମୟ ପରେ ଖାଇପିଇ ସାରି ନିରୀହ ଶ୍ରମିକ ମାନେ ବାହାରିଥାନ୍ତେ କାମକୁ। ନୂତନ ସୂର୍ଯ୍ୟୋଦୟ ଦେଖିବା ପୂର୍ବରୁ ଟ୍ରକ ଚକ ତଳେ ଚାଲିଗଲା ଦୁଇ ଜଣଙ୍କ ଜୀବନ। ଏଭଳି ଏକ ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି ଭଣ୍ଡାରିପୋଖରୀ ଥାନା ଦେଇ ଯାଇଥିବା ୧୬ନଂ ଜାତୀୟ ରାଜପଥର ଶାରଦା ବିଦ୍ୟାମନ୍ଦିର ପ୍ରାଙ୍ଗଣରେ। ସୂଚନା ଅନୁସାରେ ବର୍ତ୍ତମାନ ୧୬ନଂ ଜାତୀୟ ରାଜପଥ ପ୍ରଶସ୍ତିକରଣ କାର୍ଯ୍ୟ ଚାଲିଥିବା ବେଳେ ଶାରଦା ବିଦ୍ୟାମନ୍ଦିର ଦେଇ ଯାଇଥିବା ଯ ନାଳ ଠାରେ ମଧ୍ୟ ଠିକା କମ୍ପାନୀ କଂକ୍ରିଟ ୱାଲ କାର୍ଯ୍ୟ କରୁଛି। କାମ କରୁଥିବା ଶ୍ରମିକ ମାନେ ଅତି ଅସୁରକ୍ଷିତ ଭାବେ ଅସ୍ଥାୟୀ କ୍ୟାମ୍ପ କରି ରାସ୍ତା କଡରେ ରାତ୍ରି ଯାପନ କରୁଥିବା ବେଳେ ଆଜି ଭୋର ସମୟରେ ସେଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ଓଡ଼ି୦୧ଏପି୦୦୭୮ହାଇୱା ଟ୍ରକଟି ବାଲି ବୋଝେଇ କରି ଆଖୁଆପଦା ପଟୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ଏହା ଅସ୍ଥାୟୀ କ୍ୟାମ୍ପ ଉପରକୁ ମାଡି ଯାଇଥିଲା। ଫଳରେ ଟ୍ରକ ଚକା ତଳେ ଜଣେ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଥିବା ଅନ୍ୟଜଣେ ଶ୍ରମିକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଏହାଛଡା ରୋଷେଇ କରୁଥିବା ଅନ୍ୟ ଜଣେ ଶ୍ରମିକ ସାମାନ୍ୟ ଆହତ ହୋଇ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ମୋଟ ୬ଜଣ ଶ୍ରମିକ ଅସ୍ଥାୟୀ କ୍ୟାମ୍ପରେ ଶୋଇଥିବା ବେଳେ ଭୋର ସମୟରେ ତିନି ଜଣ ଶୌଚ ହେବା ପାଇଁ ବାହାରକୁ ଯାଇଥିବାରୁ ସେମାନେ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିବା କୁହାଯାଉଛି। ଦୁର୍ଘଟଣା ଯୋଗୁ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ଶ୍ରମିକଙ୍କ ନାମ ମହମ୍ମଦ ଆଲଫାଜ(୩୨) ମଧ୍ୟପ୍ରଦେଶ ରାଜ୍ୟର ହୋଇଥିବା ବେଳେ ମେଡିକାଲରେ ମୃତ୍ୟୁ ବରଣ କରିଥିବା ଶ୍ରମିକଙ୍କ ନାମ ସେକ ପରମଦ(୩୦) ଝାଡ଼ଖଣ୍ଡ ଅଞ୍ଚଳର ବୋଲି ଜଣାଯାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ପ୍ରକାଶ ସାହୁକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଗାଡିକୁ ଜବତ କରି ୩୨୮/୨୨ରେ ମାମଲା ରୁଜ୍ଜୁ କରିଛି। ରାଜପଥ ପ୍ରଶସ୍ତିକରଣ କାର୍ଯ୍ୟ କରୁଥିବା କମ୍ପାନୀ କର୍ତ୍ତୃପକ୍ଷ ସମ୍ପୁର୍ଣ୍ଣ ଭାବେ ଶ୍ରମିକ ଆଇନକୁ ଉଲଂଘନ କରିଥିବାରୁ ଦୁଇଜଣ ନିରୀହ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବୃଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ