ବାଲିବରେଇ ପଞ୍ଚାୟତରେ ହରିଶ୍ଚନ୍ଦ୍ର ଯୋଜନାରେ ଅନିୟମିତତା ଅଭିଯୋଗର ତଦନ୍ତ ଆରମ୍ଭ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକରେ ହରିଶ୍ଚନ୍ଦ୍ର ଯୋଜନାର ଅନୁଦାନ ବଣ୍ଟନରେ ଅନିୟମିତତା ହୋଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ବ୍ଲକ ପ୍ରଶାସନ ପକ୍ଷରୁ ଏହାର ତଦନ୍ତ ଆରମ୍ଭ ହୋଇଛି । ବିଡିଓ ବିଚିତ୍ର କୁମାର କର ଶାଳଣିଆଁ ପଞ୍ଚାୟତ ଓ ବାଲିବରେଇ ପଞ୍ଚାୟତକୁ ଯାଇ ଏହାର ତଦନ୍ତ ଆରମ୍ଭ କରିଛନ୍ତି । ଶ୍ରୀଯୁକ୍ତ କର ଆଜି ବାଲିବରେଇ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ହରିଶ୍ଚନ୍ଦ୍ର ଯୋଜନାର ସମସ୍ତ ରେକର୍ଡପତ୍ର ଅନୁଧ୍ୟାନ କରିବା ସହିତ କିଛି ହିତାଧିକାରୀଙ୍କୁ ପଚାରି ବୁଝିଛନ୍ତି । ସେ କହିଛନ୍ତି ଯେ ପଞ୍ଚାୟତରେ ତବବା ସମସ୍ତ ଅଙ୍ଗନବାଡି କର୍ମୀ ମାନଙ୍କୁ ଡାକି ସମସ୍ତ ହିତାଧିକାରୀଙ୍କ ମୃତୁ୍ୟ ଘଟିଥିବା ତାରିଖ ସମ୍ପର୍କରେ ରିପୋର୍ଟ ଦେବାକୁ କହିବେ ବୋଲି ପ୍ରକାଶ କରିଛନ୍ତି । ଏହି ତଦନ୍ତ ସମୟରେ ବର୍ତ୍ତମାନର ପିିଇଓ ଏବଂ ଜିଆରଏସ ଉପସ୍ଥିତ ଥିବାବେଳେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ ମଧ୍ୟ ଉପସ୍ଥିତ ଥିଲେ । ଅନଲାଇନ ପ୍ରଦର୍ଶିତ ହେଉଥିବା ହରିଶ୍ଚନ୍ଦ୍ର ଯୋଜନାର ତଥ୍ୟକୁ ନେଇ ସନେ୍ଦହ ଉପୁଜିଛି, ଏଣୁ ଏହାର ଉପଯୁକ୍ତ ତଦନ୍ତ ହେବା ଆବଶ୍ୟକ ବୋଲି ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ କହିଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ଉକ୍ତ ପଞ୍ଚାୟତରେ ୧୫ମାସ ଭିତରେ ୨୨୦ଜଣ ହିତାଧିକାରୀଙ୍କ ମୃତୁ୍ୟ ହୋଇଥିବା ଦର୍ଶାଇ ୨୧୯ଜଣଙ୍କୁ ହରିଶ୍ଚନ୍ଦ୍ର ଅନୁଦାନ ବାବଦ ୪ଲକ୍ଷ ୩୮ହଜାର ଟଙ୍କା ଦିଆଯାଇଛି । ମାତ୍ର ୧୫ମାସ ଭିତରେ ଏତେ ସଂଖ୍ୟକ ଲୋକଙ୍କ ସତରେ କଣ ମୃତୁ୍ୟ ଘଟିଛି ନା ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେହିପରି ୨୨୦ଙ୍କ ମଧ୍ୟରୁ କୌଣସି ହିତାଧିକାରୀଙ୍କ ଠିକଣା ଉଲେଖ ନଥିବାବେଳେ ୧୭୧ଜଣଙ୍କର ଗୋଟିଏ ଟେଲିଫୋନ ନମ୍ବର ଦିଆଯାଇଛି । ଯାହାକି ଉକ୍ତ ପଞ୍ଚାୟତର ପୁର୍ବତନ ସରପଞ୍ଚଙ୍କ ସ୍ୱାମୀଙ୍କର । ଏଣୁ ଏହି ପଞ୍ଚାୟତରେ ହରିଶ୍ଚନ୍ଦ୍ର ଯୋଜନାରେ ଅନିୟମିତତା ହୋଇଥାଇପାରେ ବୋଲି ସନେ୍ଦହ ସୃଷ୍ଟି ହୋଇଛି । ଏ ସମ୍ପର୍କରେ ତତକାଳୀନ ପିଇଓ ନରହରି ନାୟକଙ୍କୁ ପଚାରିବାରେ ସେ କହିଛନ୍ତି ଯେ ପୁର୍ବରୁ ଅନଲାଇନର ବ୍ୟବସ୍ଥା ନଥିଲା । ପଞ୍ଚାୟତ ତାର ନିଜ ସମ୍ବଳରୁ ଏହି ଅର୍ଥ ତତ୍କାଳ ଦେଇଥାଏ । ମାତ୍ର ପରେ ଅନଲାଇନ ବ୍ୟବସ୍ଥା ହେବାରୁ ଦୁଇବର୍ଷରେ ମୃତ ବ୍ୟକ୍ତିଙ୍କ ନାମକୁ ଗୋଟିଏ ବର୍ଷରେ ଉଲେଖ କରାଯାଇଛି । ମାତ୍ର ଏହାର ତଦନ୍ତ ଆବଶ୍ୟକ ଓ ତଦନ୍ତ ହେଲେ ପ୍ରକୃତ ସତ୍ୟାସତ୍ୟ ଉନ୍ମୋଚନ ହେବ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ