ଯୋଡ଼ା-ବଡ଼ବିଲ ଅଞ୍ଚଳରେ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ‘କିଶୋରୀ ଏକ୍ସପ୍ରେସ’ର ଶୁଭାରମ୍ଭ

ଯୋଡ଼ା/ବଡ଼ବିଲ, (ସମୀର କୁମାର ଦାସ):କିଶୋରୀମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା, ବିଶେଷ କରି ସେମାନଙ୍କୁ ଆନେମିଆମୁକ୍ତ କରିବା ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାରର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ‘କିଶୋରୀ ଏକ୍ସପ୍ରେସ ପ୍ଲସପ୍ଲସ’ର ଶୁଭାରମ୍ଭ ହୋଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଡ଼ା ମଣ୍ଡଳ ଖଣି ଉପ ନିର୍ଦ୍ଦେଶକ ଶ୍ରୀ ଦୀନେଶ ଅଗ୍ରଓ୍ୱାଲ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ କାଶିଆ ମାଇନ୍ସ ୟୁନିଟ ହେଡ୍ ଶ୍ରୀ ପ୍ରମୋଦ କୁମାର ପାତ୍ର, ଭଦ୍ରାସାହି ସରପଞ୍ଚ ଶ୍ରୀମତୀ ପ୍ରମିଳା ନାଏକ, ଏବଂ ଏମଡିଓ ହେଡ୍ ଶ୍ରୀ ଏଚଏନ୍ ସିଂହ ପ୍ରମୁଖ ଯୋଗଦେଇଥିଲେ ।ଅତିଥିମାନେ ପତାକା ଦେଖାଇ ‘କିଶୋରୀ ଏକ୍ସପ୍ରେସ ପ୍ଲସପ୍ଲସ’ ଭ୍ୟାନର ଶୁଭାରମ୍ଭ କରିଥିଲେ । ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଏହି ଅତ୍ୟାଧୁନିକ ଭ୍ୟାନରେ ରକ୍ତ ପରୀକ୍ଷଣ ବ୍ୟବସ୍ଥା, ଔଷଧ, ସାନିଟାରି ପ୍ୟାଡ଼ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସରଞ୍ଜାମ ଉପଲବ୍ଧ ରହିଛି । ଏହି ଭ୍ୟାନ ଗାଁ ଗାଁ ବୁଲି ସଚେତନ କରିବା ସହ ଆବଶ୍ୟକ ସ୍ୱାସ୍ଥ୍ୟ ପରାମର୍ଶ ଓ ସେବା ଯୋଗାଇବ । ଜିନ୍ଦଲ ଫାଉଣ୍ଡେସନର ଏହି ପଦକ୍ଷେପକୁ ମୁଖ୍ୟ ଅତିଥି ଶ୍ରୀ ଅଗ୍ରଓ୍ୱାଲ ପ୍ରଶଂସା କରିଥିଲେ । ଆଗକୁ ଏହି କାର୍ଯ୍ୟକ୍ରମ ନିଶ୍ଚିତ ଭାବେ କିଶୋରୀଙ୍କ ସ୍ୱାସ୍ଥ୍ୟକୁ ଉତ୍ତମ ରଖିବାରେ ସହାୟକ ହେବା ସହ ଏହି କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ନିଶ୍ଚିତ ଭାବେ ମାର୍ଗଦର୍ଶକ ହେବ ବୋଲି ସେ କହିଥିଲେ।ଯୋଡ଼ା-ବଡ଼ବିଲ ଅଞ୍ଚଳର କିଶୋରୀମାନଙ୍କୁ ଆନେମିଆମୁକ୍ତ କରିବା ପାଇଁ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ଅଭିଯାନରେ ଯୋଡ଼ା ଓ ବଡ଼ବିଲ ଅଞ୍ଚଳର ୧୯ଟି ପଞ୍ଚାୟତ ଅଧୀନ ୧୨୦ଟି ଗ୍ରାମର ପ୍ରାୟ ୯୦୦୦ କିଶୋରୀଙ୍କୁ ଅନ୍ତର୍ଭୁକ୍ତ କରାଯିବ । ଅଙ୍ଗନବାଡ଼ି ଓ ସ୍କୁଲରେ ‘କିଶୋରୀ ଏକ୍ସପ୍ରେସ ପ୍ଲସପ୍ଲସ’ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସଂଗିନୀମାନେ ସହଯୋଗ କରିବେ । କିଶୋରୀମାନଙ୍କୁ ଲୌହସାରର ଅଭାବ ଓ ଏହାର ଅସୁବିଧା ସମ୍ପର୍କରେ ଅବଗତ କରାଯିବ । ସେମାନଙ୍କ ହିମୋଗ୍ଲୋବିନ ପରୀକ୍ଷଣ କରାଯାଇ ଆବଶ୍ୟକ ସ୍ୱାସ୍ଥ୍ୟ ପରାମର୍ଶ ଓ ସେବା ଯୋଗାଇଦିଆଯିବ । ପରିଛନ୍ନତା ପାଇଁ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ପ୍ରସ୍ତୁତ ସାନିଟାରୀ ନାପକିନ୍ ‘ଶୁଭାଙ୍ଗୀ’ ବିତରଣ କରାଯିବ । ଆନେମିଆ ଓ ଅତି ଗୁରୁତର ଆନେମିଆ ରୋଗୀଙ୍କୁ ପୋଷଣ ସହାୟତା ଏବଂ ମଲ୍ଟି ଭିଟାମିନ ପ୍ରଦାନ କରାଯିବ । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସ୍ଥାନୀୟ ଗ୍ରାମବାସୀ, ଜେଏସପିଏଲର ଅଧିକାରୀ ଓ ଜିନ୍ଦଲ ଫାଉଣ୍ଡେସନର ସଦସ୍ୟମାନେ ଉପସ୍ଥିତ ଥିଲେ ।ଏଠାରେ ସୂଚନା ଯୋଗ୍ୟ, ଜିନ୍ଦଲ ଫାଉଣ୍ଡେସନର ‘କିଶୋରୀ ଏକ୍ସପ୍ରେସ ପ୍ଲସପ୍ଲସ’ ଓଡ଼ିଶା, ଝାଡ଼ଖଣ୍ଡ ଓ ହରିୟାଣାରେ ସଫଳ ସାବ୍ୟସ୍ତ ହୋଇଛି । ଏହି ପଦକ୍ଷେପ ପାଇଁ ଦେଶର ୭.୫ଲକ୍ଷ କିଶୋରୀ ଆନେମିଆମୁକ୍ତ ହୋଇସାରିଛନ୍ତି । ଅନୁଗୁଳରେ ‘କିଶୋରୀ ଏକ୍ସପ୍ରେସ ପ୍ଲସପ୍ଲସ’ ପାଇଁ ୫୩୭ ଗ୍ରାମର କିଶୋରୀ ଆନେମିଆମୁକ୍ତ ହୋଇସାରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ