ବାଲିଯାତ୍ରାରେ ଯୋଡ଼ି ହେଲା ନୂଆ ପରମ୍ପରା !
କଟକ : କଟକର ଐତିହାସିକ ବାଲିଯାତ୍ରା ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି । ବାଲିଯାତ୍ରାରେ ପ୍ରଥମ କରି ଆରମ୍ଭ ହୋଇଥିବା ପଥ ଉତ୍ସବରେ ପୋଷ୍ୟ ସନ୍ତାନ ଗ୍ରହଣ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ କଲିକତାର ବଂଗୀୟ ଦମ୍ପତି ସାମିଲ ହୋଇ ଏକ ଦଶ ମାସର କନ୍ୟା ସନ୍ତାନକୁ କୋଳକୁ ନେଇଥିଲେ । ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଉପସ୍ଥିତିରେ ସମସ୍ତ ନିୟମ ପାଳନ କରି ସୁଦୀପ୍ତ ଭୌମିକ ଓ ବିଶାଖା ରାୟଭୌମିକ ବସୁନ୍ଧରାରେ ପାଳିତ ଏକ ଦଶ ମାସର ଶିଶୁ କନ୍ୟାକୁ ଗ୍ରହଣ କରିଥିଲେ । ବଂଗୀୟ ଦମ୍ପତିଙ୍କ ଏଭଳି ଉଦ୍ୟମକୁ ସମସ୍ତେ ପ୍ରଶଂସା କରିଥିଲେ । କଟକ ପଥୋତ୍ସବରେ ଶ୍ରୀ ହରିକୋଟାରୁ ଆସିଥିବା ସ୍ୱତନ୍ତ୍ର ବସରେ ଲୋକଙ୍କୁ ମହାକାଶ ସଂପର୍କିତ ଜ୍ଞାନ ଆହରଣର ସୁଯୋଗ ମିଳିଛି । ଭଜନ, କୀର୍ତ୍ତନ, ଗୀତ, ନୃତ୍ୟ, ଫୁଟବଲ୍ ଖେଳ ଭଳି କାର୍ଯ୍ୟକ୍ରମ ବାଲିଯାତ୍ରାରେ ଚମକ ଆଣିଥିଲା ।
ଗଲା ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ବାଲିଯାତ୍ରାର ସବୁଠୁ ଅଧିକ ଭିଡ ପଡିଆରେ ଜମିଥିଲା । ଦିନକୁ ଦିନ ବ୍ୟବସାୟ ପରିମାଣ ବଢି ଚାଲିଥିବା ବେଳେ ସବୁଠୁ ଅଧିକ ବ୍ୟବସାୟ ହୋଇଥିଲା । ଗତକାଲିର ରେକର୍ଡ ଅନୁଯାୟୀ ଓରମାସ ପଲ୍ଲିଶ୍ରୀ ମେଳାରେ କେବଳ ୯୭ ଲକ୍ଷ ୮୨ ହଜାର ୬୭୦ ଟଙ୍କାର ବ୍ୟବସାୟ ହୋଇଥିଲା । କେବଳ ଓରମାସ ବ୍ୟବସାୟ ପରିମାଣ ଦେଢ କୋଟି ଛୁଇଁ ଥିବା ଆକଳନ କରାଯାଉଛି । ସଂଧ୍ୟାରେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ଅସୀମା ପଣ୍ଡାଙ୍କ ସଂଗୀତ କାର୍ଯ୍ୟକ୍ରମକୁ ଦର୍ଶକ ଭରପୁର ଉପଭୋଗ କରିଥିଲେ । ବାଲିଯାତ୍ରା ପଡିଆରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ତିନିଟି ଜଳାଶୟ ନିର୍ମାଣ ଏବଂ ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ପ୍ରଶଂସା କରିଛନ୍ତି ।


