ବାଲି ବ୍ୟବସାୟୀ ଓ ଦେଶି ମଦ ଭାଟି ମାଲିକ ପ୍ରଦୀପ ବିନ୍ଧାଣିଙ୍କ ଘରେ ଇଡି ଚଢ଼ାଉ

ବେତନଟୀ,(ଉଦିତ କୁମାର ପରିଡା):ବୁଢ଼ାବଳଙ୍ଗ ନଦୀରୁ ବେଆଇନ୍‌ ଭାବେ ଅତ୍ୟଧିକ ବାଲି ଉତ୍ତୋଳନ ଅଭିଯୋଗରେ ଜାତୀୟ ଗ୍ରିନ ଟ୍ରିବୁନାଲ (ଏନଜିଟି) ଦ୍ୱାରା ୧୮ କୋଟି ଟଙ୍କା ଜୋରିମାନା ଭରିବାକୁ ନିର୍ଦ୍ଦେଶ ପାଇଥିବା ବାଲି ସୈରାତ ଲିଜଧାରୀ ତଥା ବ୍ୟବସାୟୀ ପ୍ରଦୀପ କୁମାର ବିନ୍ଧାଣି ଓରଫ୍ ଭାଲୁଙ୍କ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳରେ ଥିବା ଡାହିସାହି ଘରେ ଆଜି ସକାଳୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢ଼ାଉ କରିଛି। ଏହି ଚଢ଼ାଉ ତାଙ୍କର ଦୁଇଟି ଦେଶୀ ମଦ ଭାଟିରେ ମଧ୍ୟ ଜାରି ରହିଛି। ସୂଚନା ଅନୁଯାୟୀ, ପ୍ରଦୀପ ବିନ୍ଧାଣି ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ବ୍ଲକ୍‌ ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀରୁ ସରକାରୀ ଲିଜ୍‌ରେ ବାଲି ଉତ୍ତୋଳନ କରୁଥିଲେ। କିନ୍ତୁ ଲିଜ୍‌ରେ ଉଲ୍ଲେଖ ଥିବା ପରିମାଣଠାରୁ ଅନେକ ଗୁଣ ଅଧିକ ବାଲି ଉଠାଇ ନେଇଥିବା ଅଭିଯୋଗରେ ତାଙ୍କ ନାମରେ ଏକ ମାମଲା ଦାୟର ହୋଇଥିଲା। ଏହି ମାମଲାର ଶୁଣାଣି କରି ଜାତୀୟ ଗ୍ରିନ ଟ୍ରିବୁନାଲ (ଏନଜିଟି) ତାଙ୍କୁ ୧୮ କୋଟି ଟଙ୍କା ଜୋରିମାନା ଭରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଏହି ଅର୍ଥ ଆଦାୟ କରିବାକୁ ଦାୟିତ୍ଵ ଦେଇଥିଲେ। ହେଲେ ଏହି ଜୋରିମାନା ଟଙ୍କା ଆଜିଯାଏଁ ମୟୂରଭଞ୍ଜ ରାଜସ୍ୱ ବିଭାଗ ଆଦାୟ କରିପାରି ନ ଥିବା ବେଳେ ଅଭିଯୁକ୍ତ ପ୍ରଦୀପ ବିନ୍ଧାଣି ବିଭାଗୀୟ କାର୍ଯ୍ୟାନୁଷ୍ଠାନକୁ ଅଟକାଇବା ପାଇଁ ଓଡିଶା ହାଇ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏବଂ ଏହି ମାମଲା ବର୍ଷ ବର୍ଷ ଧରି ଚାଲିବ ବୋଲି ଭାବି ଥିଲେ । କିନ୍ତୁ ଆଜି ହଠାତ୍ ଇଡି କର୍ତୁପକ୍ଷଙ୍କ ଦ୍ବାରା ଚଢ଼ାଉ ସେହି ଭାବନା ରେ ପୂର୍ଣ୍ଣଛେଦ ପକାଇଥିଲା। ଆଜିର ଇଡି ଚଢ଼ାଉ ପରେ ପ୍ରଶ୍ନ ଉଠୁଛି ଯେ, ଏତେ ବଡ଼ ପରିମାଣର ଜୋରିମାନା ଖିଲାପ କାରିଙ୍କ ଉପରେ କାହିଁକି ରାଜ୍ୟ ସରକାର କିମ୍ବା ଖଣି ଓ ରାଜସ୍ୱ ବିଭାଗ କୌଣସି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି? ଏହି ୧୮ କୋଟି ଟଙ୍କା କ’ଣ ରାଜସ୍ୱ ଖାତାକୁ ଆସିବ ନାହିଁ? ନଦୀର ପରିବେଶ ଉପରେ ଏଭଳି ବେଆଇନ୍ ଖନନର ପ୍ରଭାବକୁ ନେଇ ଏନଜିଟି ଯେଉଁ ଗୁରୁତର ନିର୍ଦ୍ଦେଶ ଦେଇଛି, ତାହାର କାର୍ଯ୍ୟକାରିତା କେତେ? ଏହା ସହିତ ଅଭିଯୁକ୍ତ ବ୍ୟକ୍ତିଙ୍କ ନାମରେ ଦୁଇଟି ସରକାରୀ ଦେଶୀ ମଦ ଭାଟି ଥିବା ଓ ତହିଁରେ ମଧ୍ୟ ଇଡି ଚଢ଼ାଉ ଚାଲିଥିବା ସୂଚନା ମିଳିଛି। ଏହା ଏକ ବଡ଼ ପ୍ରଶ୍ନ ସୃଷ୍ଟି କରିଛି ଯେ, ଯେଉଁ ବ୍ୟକ୍ତି ଏନଜିଟିଙ୍କ ଜୋରିମାନା ଭରିପାରୁ ନାହାନ୍ତି, ସେ କେଉଁ ଉତ୍ସରୁ ଏତେ ବଡ଼ ପରିମାଣର କଳା ଧନ ସଞ୍ଚୟ କରି ଅନ୍ୟ ବ୍ୟବସାୟ ଚଳାଇ ପାରୁଛନ୍ତି ସେ ପୁଣି ସରକାରୀ ଲିଜ ପାଇ ? ଏହି ଘଟଣା ରାଜ୍ୟରେ ବିଜେପି ସରକାର ଆସିବା ପରେ ବାଲି ସୈରାତ ଲିଜ୍ ବ୍ୟବସ୍ଥାରେ ହୋଇ ଥିବା ବିଶାଳ ଦୁର୍ନୀତି ଓ ସରକାରୀ ସଚେତନତାର ଅଭାବକୁ ଆଖି ରେ ଆଙ୍ଗୁଠି ଗେଞ୍ଜି ଦେଖାଇ ଦେଉଛି । ଏହା ସହିତ ଏକ କେନ୍ଦ୍ରୀୟ ଏଜେନ୍ସିକୁ ହସ୍ତକ୍ଷେପ କରିବାକୁ ପଡ଼ୁଥିବାରୁ ରାଜ୍ୟ ସରକାରଙ୍କ ପ୍ରଶାସନିକ ବ୍ୟବସ୍ଥା ଓ ଦକ୍ଷତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେଣୁ ଏହି ମାମଲାରେ ରାଜ୍ୟ ସରକାର ତୁରନ୍ତ ଆତ୍ମ ସମୀକ୍ଷା କରିବା ସହିତ ଏନଜିଟିଙ୍କ ନିର୍ଦ୍ଦେଶକୁ ପାଳନ କରି ୧୮ କୋଟି ଟଙ୍କା ଜୋରିମାନା ଆଦାୟ କରିବାକୁ କଡ଼ା ପଦକ୍ଷେପ ଗ୍ରହଣ କରିବା ଉଚିତ୍ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି, ନଚେତ୍ ରାଜ୍ୟର ନଦୀ ଓ ପରିବେଶ ସହ ରାଜସ୍ୱ ଲୁଟ୍‌ର ଏଭଳି ଘଟଣା ଆଗକୁ ଆହୁରି ବଢ଼ିବ ବୋଲି ସ୍ଥାନୀୟ ବୁଦ୍ଧିଜୀବି ମାନେ ଆଶଙ୍କା କରୁଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ