ବାଲେଶ୍ବରରେ ପ୍ରତିଷ୍ଠା ହେବ ନୂତନ ସାଇନ୍ସ ପାର୍କ

ବାଲେଶ୍ବର, (ସରୋଜ ପଣ୍ଡା):ବାଲେଶ୍ବର ଜିଲ୍ଲାରେ ଏକ ଜିଲ୍ଲାସ୍ତରୀୟ ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା ପାଇଁ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ବିଧାନସଭାର ପ୍ରଶ୍ନକାଳରେ ସଦର ବିଧାୟକ ମାନସ କୁମାର ଦତ୍ତ ପ୍ରଶ୍ନ କରିଥିଲେ। ଏହା ସହିତ ରାଜ୍ୟର କେଉଁ କେଉଁ ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରହିଛି ଏଵଂ କେଉଁ ବ୍ୟବସ୍ଥାରେ କେତେ ଅର୍ଥ ବ୍ୟୟ ହେବ ସେ ବାବଦରେ ବିଧାୟକ ଶ୍ରୀ ଦତ୍ତ ଜାଣିବାକୁ ଚାହିଁଥିଲେ I ସେହିପରି କେଉଁ ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ସ୍ଥାପନ ହୋଇସାରିଛି ତାହାର ଉତ୍ତର ରଖିବାକୁ ଶ୍ରୀ ଦତ୍ତ ବିଜ୍ଞାନ ଓ କାରିଗରୀ ବିଭଗ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।ବାଲେଶ୍ଵର ଜିଲ୍ଲାରେ ଏକ ଜିଲ୍ଲାସ୍ତରୀୟ ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା ନେଇ ରାଜ୍ୟ ସରକାରଙ୍କ ଯୋଜନା ରହିଛି । ଏଥିପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ବାଲେଶ୍ବର ଓ ରେମୁଣା ପୌରାଞ୍ଚଳରେ ସମେତ ଅନ୍ୟ ଦୁଇ ତିନୋଟି ସ୍ଥାନ ଜାଗା ଚିହ୍ନଟ କରଯାଇଛି I ଚିହ୍ନଟ ହୋଇଥିବା ଜମିକୁ ପ୍ରଥମେ ଜିଲ୍ଲା ପ୍ରଶାସନସ୍ତରରେ ତର୍ଜମା ସହ ରାଜ୍ୟ ସରକାରଙ୍କ ନିକଟକୁ ସମ୍ଭାବ୍ୟତା ବିବରଣୀ ପ୍ରଦାନ ପରେ ବିଜ୍ଞାନ ଓ କାରିଗରୀ ବିଭାଗର ଅଧିକାରୀ ଏବଂ ଜିଲ୍ଲା ରାଜସ୍ବ ଅଧିକାରୀ ସମ୍ପୃକ୍ତ ଜମିର ମିଳିତ ନିରୀକ୍ଷଣ ପୂର୍ବକ ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା ନେଇ ଜାଗାର ଚୁଡାନ୍ତ ନିଷ୍ପତି ନେବେ । ଚୂଡ଼ାନ୍ତ ହୋଇଥିବା ଜମି ବିଷୟରେ ଜିଲ୍ଲାପାଳଙ୍କ ନିକଟରୁ ପ୍ରସ୍ତାବ ଆସିବା ପରେ ବିଜ୍ଞାନ ଓ କାରିଗରୀ ବିଭାଗ ବିଜ୍ଞାନ କେନ୍ଦ୍ର ସ୍ଥାପନ ନେଇ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଧାୟକ ଶ୍ରୀ ଦତ୍ତଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି । ପୂର୍ବରୁ ଶ୍ରୀକୋଣା ମୌଜରେ ଏହି କେନ୍ଦ୍ର ପ୍ରତିଷ୍ଠା ଜିଲ୍ଲାପାଳ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ମାତ୍ର ପ୍ରସ୍ତାବିତ ଜମିର କିସମ ଜଙ୍ଗଲ ହୋଇଥିବାରୁ ସେଥିରେ ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା ସମ୍ଭବପର ହୋଇପାରି ନଥିବା ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।ରାଜ୍ୟର ସମସ୍ତ ଜିଲ୍ଲାରେ ପର୍ଯ୍ୟାୟ କ୍ରମେ ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି । ଏ ପର୍ଯ୍ୟନ୍ତ ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟରେ ଜିଲ୍ଲା ବିଜ୍ଞାନ କେନ୍ଦ୍ରର ପ୍ରତିଷ୍ଠା ହୋଇସାରିଛି । ଗଞ୍ଜାମ, ଭଦ୍ରକ, ବଲାଙ୍ଗିର ଏବଂ ସୁନ୍ଦରଗଡରେ ବିଜ୍ଞାନ କେନ୍ଦ୍ର ନିର୍ମାଣଧୀନ ରହିଛି । ଚଳିତ ବର୍ଷ ଜଗତସିଂହପୁର, କଳାହାଣ୍ଡି, ବୌଦ୍ଧ, ଝାରସୁଗୁଡା, କେନ୍ଦ୍ରାପଡା, ନୂଆପଡ଼ା ଏବଂ ଗଜପତି ଠାରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି I ଭାରତ ସରକାରଙ୍କ ଅଧୀନ ନ୍ୟାସନାଲ ପ୍ରୋଜେକ୍ଟସ୍ କନଷ୍ଟ୍ରକସନ୍ କର୍ପୋରେସନ ଲିମିଟେଡ (ଏନପିସିସି), ନ୍ୟାସନାଲ ବିଲଡିଂ କନଷ୍ଟ୍ରକସନ୍ କର୍ପୋରେସନ ଲିମିଟେଡ (ଏନବିସିସି) ଏଵଂ ଓଡ଼ିଶା ସରକାରଙ୍କ ଅଧୀନ ଇଡକୋ ଓ ଓଡ଼ିଶା କନଷ୍ଟ୍ରକସନ୍ କର୍ପୋରେସନ ଲିମିଟେଡ (ଓସିସିଏଲ୍) ମାଧ୍ଯମରେ ଏହି ପ୍ରକଳ୍ପର ସ୍ଥାପନ ପାଇଁ ପଦକ୍ଷେପ ନିଆଯାଇଛି I ପ୍ରତ୍ୟେକ ବିଜ୍ଞାନ କେନ୍ଦ୍ର ପାଇଁ ମୋଟାମୋଟି ୬.୫ କୋଟି ଟଙ୍କା ବ୍ୟୟ ଅଟକଳ ରହିଥିବା ମନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ