ବାଲେଶ୍ଵର ଜିଲ୍ଲା ବିଜେପିର ବିଶେଷ ସମ୍ପର୍କ ଅଭିଯାନ ଆନୁକୂଲ୍ୟରେ ସହଦେବଖୁଣ୍ଟା ସ୍ଥିତ ମାହେଶ୍ୱରୀ ଭବନରେ ବୈଠକ ଅନୁଷ୍ଠିତ
ବାଲେଶ୍ଵର ,(ସରୋଜ ପଣ୍ଡା) : ସଦରର ପୂର୍ବତନ ବିଧାୟକ ଶ୍ରୀ ଜୀବନ ପ୍ରଦୀପ ଦାଶ ସଭାପତିତ୍ବରେ ଆୟୋଜିତ ବୈଠକରେ ସଂଯୁକ୍ତା ମହାପାତ୍ର ମଞ୍ଚ ଆହ୍ଵାନ କରିଥିଲେ । ମୁଖ୍ୟ ଅତିଥି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ତ୍ରିବେନ୍ଦ୍ର ସିଂ ରାୱତ୍ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ପରେ ବିଶେଷ ସମ୍ପର୍କ ଅଭିଯାନର ସଂଯୋଜିକା ମମତା ମହାପାତ୍ର ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ବୈଠକରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ତିରୁପତି ଓ କିଟ୍ସର ପୂର୍ବତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ, ଭାରତୀୟ ସେନାନୀ ସଂଘର ସଭାପତି ଶ୍ରୀ କ୍ଷେତ୍ର ମୋହନ ମହାପାତ୍ର, ସମ୍ପାଦକ ଶ୍ରୀ ଆନନ୍ଦ ଚନ୍ଦ୍ର ବରାଳ, ଅଲ ଓଡ଼ିଶା ଭେଟରାନ ସଲଜର୍ ଏସୋସିଏସନର ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ବେହେରା ଓ ବାଲେଶ୍ଵର ଶାଖାର ସଭାପତି ଶ୍ରୀ ଚନ୍ଦ୍ରମଣି ମହାପାତ୍ର, ବାୟୁସେନା ସଂଘର ସଭାପତି ଶ୍ରୀ ଶିବଦାସ କୁଣ୍ଡୁ ପ୍ରମୁଖ ମଞ୍ଚାସୀନ ଥିଲେ ।
୨୦୧୪ରେ ଦେଶରେ ମୋଦୀ ସରକାର ହେବା ପରେ ଭାରତ ସରକାର ସଦା ସର୍ବଦା ଭାରତୀୟ ସେନାର ମନୋବଳ ବୃଦ୍ଧି କରିବା ସହ ସେନା କର୍ମଚାରୀ ତଥା ତାଙ୍କର ପରିବାରବର୍ଗଙ୍କୁ ଉଚିତ ସମ୍ମାନ ପ୍ରଦାନ କରିଛନ୍ତି । ସେନାକୁ ଆଧୁନିକ ଅସ୍ତ୍ରଶସ୍ତ୍ର, ବୁଲେଟ୍ ପ୍ରୁଫ ଜ୍ୟାକେଟ ଯୋଗାଇବା ସହିତ ବର୍ତ୍ତମାନ ସେନାକୁ କୌଣସି ଜରୁରୀ ନିଷ୍ପତି ପାଇଁ ଦିଲ୍ଲୀର ଅନୁମତି ନେବାକୁ ପଡୁନାହିଁ ବୋଲି ମୁଖ୍ୟ ଅତିଥି ଶ୍ରୀ ରାୱତ୍ ନିଜର ଅଭିଭାଷଣରେ କହିଥିଲେ ।ମୋଦୀ ସରକାର ସମୟରେ ଦେଶର ସୀମା ସୁରକ୍ଷିତ ରହିଛି ଏବଂ ମୋଦୀଙ୍କ ତୃତୀୟ ପାଳିରେ ଦେଶର ପ୍ରତିରକ୍ଷା ବିଭାଗ ଆହୁରି ଅଧିକ ଶକ୍ତିଶାଳୀ ହେବ ବୋଲି ଅନ୍ୟ ଅତିଥିଗଣ ମତବ୍ୟକ୍ତ କରିଥିଲେ ।
ପରିଶେଷରେ ବିଶେଷ ସମ୍ପର୍କ ଅଭିଯାନର ସଂଯୋଜକ ଡ. କୁମାର ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।