ବାଲେଶ୍ୱରଠାରେ ଆନ୍ତର୍ଜାତିକ ମାଦକ ଦ୍ରବ୍ୟ ଦୁରୁପଯୋଗ ଓ ଅବୈଧ ଚାଲାଣ ନିରୋଧ ଦିବସ ପାଳିତ
ବାଲେଶ୍ୱର,(,(ଯୁଗାବ୍ଦ ନ୍ୟୁଜ୍୍)): ସ୍ଥାନୀୟ ସଦର ବ୍ଲକ ସମ୍ମିଳନୀ କକ୍ଷଠାରେ ଆନ୍ତର୍ଜାତିକ ମାଦକ ଦ୍ରବ୍ୟ ଦୁରୁପଯୋଗ ଓ ଅବୈଧ ଚାଲାଣ ନିରୋଧ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବି ଯୁଗଳ କିଶୋର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମାଜ ଗଢିବା ଦିଗରେ ଅବୈଧ ନିଶା କାରବାରକୁ ସଂପୂର୍ଣ୍ଣ ବନ୍ଦ କରିବା ଉପରେ ଯୋର ଦେବା ସହ ଯୁବ ଗୋଷ୍ଠୀ ଏହି ନିଶା ରାକ୍ଷସ ଠାରୁ କିପରି ଦୂରେଇ ରହିପାରିବେ ସେଥିପାଇଁ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ଉପଜିଲ୍ଲାପାଳ ନୀଲୁ ମହାପାତ୍ର ଯୋଗ ଦେଇ ଧରପଗଡ ଓ ଅବୈଧ ମାଦକ ଦ୍ରବ୍ୟ ଚାଲାଣ କ୍ଷେତ୍ରରେ କେବଳ ଅବକାରୀ କିମ୍ବା ପୋଲିସ ପ୍ରଶାସନ ଏକାକୀ ଉଦ୍ୟମ କଲେ ତାହା ଯଥେଷ୍ଟ ହେବ ନାହିଁ ଏଥିପାଇଁ ଜନ ସହଯୋଗ ଲୋଡା ବୋଲି କହିଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୁବାଷ ନିଆଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭା ପ୍ରାରମ୍ଭରେ ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର ଭତ୍ରା ଦିବସର ଆଭିମୁଖ୍ୟ ଏବଂ କାର୍ଯ୍ୟକ୍ରମର ରୂପରେଖ ସଂପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ, ବାଲେଶ୍ୱର ଶାଖାର ସଭାପତି ପ୍ରଭାକର ସାହୁ, ସାଧାରଣ ସମ୍ପାଦିକା ଶ୍ରୀମତୀ ମମତା ମହାପାତ୍ର, ରୂପାୟନ ସଂସ୍ଥାର ସଂପାଦିକା ଶ୍ରୀମତୀ ଶ୍ରଦ୍ଧାଞ୍ଜଳୀ ରାୟ ପ୍ରମୁଖ ନିଶା ସେବନ ଏବଂ ତା’ର କୁପରିଣାମ ଓ ସାମାଜିକ, ଆର୍ଥିକ, ସ୍ୱାସ୍ଥ୍ୟଗତ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ଆୟୋଜିତ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାରେ ଯାଜ୍ଞସେନୀ ପାଣିଗ୍ରାହୀ, ଦେବସ୍ମିତା ବିନ୍ଧାଣୀ, ଶ୍ରଦ୍ଧାଞ୍ଜଳି ବିଶ୍ୱାଳ ପ୍ରମୁଖ ବିଜୟୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଉଲ୍ଲେଖନୀୟ ସେବା ନିମନ୍ତେ ଅବକାରୀ ଓ ପୋଲିସ ଆଇଆଇସି ଏକ୍ସାଇଜ ମୋବାଇଲ ସ୍କାଡ ଶ୍ରୀ ଭଦେଲାଲ ନାୟକ, ଓଆଇସି ଜଳେଶ୍ୱର ହରପ୍ରସାଦ ରଣା, ଓଆଇସି ସୋର ଓ ଖଇରା କୁଳମଣୀ ମହାରଣା, ଏଏସଆଇ ଏକ୍ସାଇଜ ଚନ୍ଦ୍ରମୋହନ ସେଠୀ, ଏଏସଆଇ ଏକ୍ସାଇଜ ଭାସ୍କର ଚନ୍ଦ୍ର ବେହେରା, ଏକ୍ସାଇଜ କନେଷ୍ଟବଲ ପ୍ରହଲ୍ଲାଦ ବିଶ୍ୱାଳ, ଦେବାଶିଷ ମଲ୍ଲିକ ଏବଂ ଅବକାରୀ ଉପ ଅଧୀକ୍ଷକ ଅମରେନ୍ଦ୍ର କୁମାର ଜେନା ଅଧିକାରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ଆଇଆଇସି ସହଦେବଖୁଂଟା ଥାନା ଶୁଭ୍ରାଂଶୁ କୁମାର ନାୟକ, ସବ୍ ଇନସପେକ୍ଟର ବିରଂଚି ସାହୁ, ନୀଳମଣି ନାୟକ ଏବଂ କନେଷ୍ଟବଲ ପ୍ରଦୀପ କୁମାର ଦେ ଏବଂ ସ୍ୱତନ୍ତ୍ର ଭାବେ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ, ବାଲେଶ୍ୱର ଏବଂ ଜ୍ଞାନଶ୍ରୀ ସ୍ୱେଚ୍ଛାସେବୀ ସଂଗଠନକୁ ନିଶା ନିବାରଣ କ୍ଷେତ୍ରରେ ତାଙ୍କର ଗୁଣାତ୍ମକ କାର୍ଯ୍ୟଧାରା ଓ ମହତ୍ୱପୂର୍ଣ୍ଣ ଯୋଗଦାନ ସକାଶେ ସମ୍ବର୍ଦ୍ଧିତ କରାଯାଇଥିଲା । ସକାଳେ ପ୍ରଜାପିତା ବ୍ରହ୍ମାକୁମାରୀ, ସ୍ପୋର୍ଟସ ହଷ୍ଟେଲ, ରୂପାୟନ, ମୋନା ଓ ଅନ୍ୟାନ୍ୟ ସଂଗଠନର କର୍ମକର୍ତ୍ତାମାନଙ୍କୁ ନେଇ ଏକ ର୍ୟାଲିର ଆୟୋଜନ କରାଯାଇଥିଲା । ଏହାକୁ ଭାରପ୍ରାପ୍ତ ଜିଲ୍ଲାପାଳ ସମ୍ବିତ କୁମାର ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ଜିଲ୍ଲା ମଙ୍ଗଳ ଅଧିକାରୀ ରାଜୀବ ଲୋଚନ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ମନସ୍ୱିନୀ ରାଉତ ପ୍ରମୁଖ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ । ସ୍ଥାନୀୟ ଟାଉନ ହାଇସ୍କୁଲ ଠାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ରୂପାୟନ” ତରଫରୁ ଛାତ୍ରଛାତ୍ରୀମାନଙ୍କୁ ଦିବସ ସଂପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ଜିଲ୍ଲାପାଳ ସମ୍ବିତ କୁମାର ନାୟକ ଯୋଗ ଦେଇ ନିଶାର କୁପରିଣାମ ସଂପର୍କରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । ପରେ ସ୍ଥାନୀୟ ଜିଲ୍ଲା କାରାଗାର ଠାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ଉପ-ଜିଲ୍ଲାପାଳ ନୀଲୁ ମହାପାତ୍ର ମୁଖ୍ୟ ଅତିଥି, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୁବାଷ ନିଆଲ ମୁଖ୍ୟ ବକ୍ତା ଓ ଜିଲ୍ଲା ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର ଭତ୍ରା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଦିବସ ପାଳନର ତାତ୍ପର୍ଯ୍ୟ ସଂପର୍କରେ ଅନ୍ତେବାସୀମାନଙ୍କୁ ବୁଝାଇ ଥିଲେ । ଏ ସବୁ କାର୍ଯ୍ୟକ୍ରମରେ ଟାଉନ୍ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁଧାଂଶୁ ଶେଖର ଜେନା, ଜେଲ ଅଧୀକ୍ଷକ କୁଳମଣି ବେହେରା, ସମାଜସେବୀ ତଥା ରୋଟାରିଆନ ସୁବ୍ରତ କର, ରୂପାୟନର କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ସୁଜାତା ପଣ୍ଡା, ଜେଲର ଶ୍ରୀମତୀ ଦିପ୍ତୀମୟୀ ରାଉତ, ପରୀବିକ୍ଷଣ ଅଧିକାରୀ ଦେବବ୍ରତ ଜେନା ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ ।