ବାଲେଶ୍ୱରଠାରେ ଜିଲ୍ଲାସ୍ତରୀୟ ଜୟଦେବ ଜୟନ୍ତୀ ପାଳିତ

ବାଲେଶ୍ୱର, : ସଦଭାବନା ସଭାଗୃହଠାରେ ଜିଲ୍ଲାସ୍ତରୀୟ କବି ଜୟଦେବ ଜୟନ୍ତୀ ଜିଲ୍ଲା ପ୍ରଶାସନ ଓ ଫକୀରମୋହନ ସାହିତ୍ୟ ପରିଷଦ, ବାଲେଶ୍ୱରର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ରାଉତ ଯୋଗ ଦେଇ ଏହି ଯୁଗଜନ୍ମା ଜଗନ୍ନାଥଙ୍କ ପରମ ଭକ୍ତ କହି ଜୟଦେବଙ୍କ କାବ୍ୟକୃତି ସମଗ୍ର ଦେଶରେ ପ୍ରସିଦ୍ଧି ଅର୍ଜନ କରିପାରିଛି ଯାହା ସମାଜର ପ୍ରତ୍ୟେକ ମଣିଷ ଅବଗତ ହେବା ଆବଶ୍ୟକ ବୋଲି କହିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକର ପ୍ରାରମ୍ଭରେ କବି ଜୟଦେବଙ୍କ ସୁଦୃଶ୍ୟ ପ୍ରତିକୃତିରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ ଏବଂ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ପରେ ପରେ ନୃତ୍ୟ ସଙ୍ଗୀତ କଳା ମନ୍ଦିରର କଳାକାରମାନଙ୍କ ଦ୍ୱାରା ଜୟଦେବଙ୍କ ରଚନାରୁ ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା । ସଭାକାର୍ଯ୍ୟର ଆରମ୍ଭରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ମନସ୍ୱିନୀ ରାଉତ ଅତିଥି ପରିଚୟ ପ୍ରଦାନ ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ଶିକ୍ଷାବିତ୍ ଡଃ ପ୍ରହ୍ଲାଦ ଚରଣ ମହାନ୍ତି ଜୟଦେବଙ୍କ ସଂପର୍କରେ ଅନେକ ଅପ୍ରକାଶିତ ତଥ୍ୟ ଉପସ୍ଥାପନ ପୂର୍ବକ ଜୟଦେବଙ୍କ ଜନ୍ମସ୍ଥାନକୁ ନେଇ ସେ ଓଡିଶା ମାଟିର ସନ୍ତାନ ବୋଲି ବିଭିନ୍ନ ଗବେଷକଙ୍କ ମତ ଓ ତଥ୍ୟ ଉପସ୍ଥାପନ କରିଥିଲେ । ଅନ୍ୟତମ ବକ୍ତା ଭାବେ ଡ. ଲକ୍ଷୀ୍ମକାନ୍ତ ତ୍ରିପାଠୀ ଜୟଦେବଙ୍କ ରଚନାରେ ଯେଉଁ ଲାଳିତ୍ୟ ଏବଂ ଚାତୁରୀ ଭରି ରହିଛି ତା’ର ଉଦାହରଣ ଉପସ୍ଥାପନ କରି କବିଙ୍କ ମହାନତାକୁ ପ୍ରଶଂସା କରିଥିଲେ । ଆଜି ବି ଜୟଦେବଙ୍କ କୃତି ପରିବେଶକୁ ଆଧ୍ୟାତ୍ମିକ ଭାବଧାରାରେ ପ୍ଲାବିତ କରିବାର ଯଥେଷ୍ଟ ସାମର୍ଥ୍ୟ ରଖେ ବୋଲି ବକ୍ତାମାନେ ମତପୋଷଣ କରିଥିଲେ । ଅନ୍ୟତମ ବକ୍ତା ବରିଷ୍ଠ ସାମ୍ବାଦିକ କାବ୍ୟଶିଳ୍ପୀ ଶ୍ରୀ ସର୍ବେଶ୍ୱର ଦାସ ଆଶୁ କବିତା ମାଧ୍ୟମରେ ଜୟଦେବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଉପ-ଜିଲ୍ଲାପାଳ ନୀଲୁ ମହାପାତ୍ର ଜୟଦେବଙ୍କ କୃତି ଓ କୃତିତ୍ୱର ଯଥେଷ୍ଟ ପ୍ରଚାର ପ୍ରସାରର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିପରି ଫକୀରମୋହନ ସାହିତ୍ୟ ପରିଷଦର ଉପ-ସଭାପତି ପ୍ରଦୀପ ଚାଟାର୍ଜୀ ମଧ୍ୟ ଅନୁରୂପ ଭାବେ କବିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ସାହିତ୍ୟିକ,ସାମ୍ବାଦିକ ପ୍ରମୁଖ ଯୋଗ ଦେଇଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସୁବାଷ ନିଆଲ ସଂଯୋଜନା ଓ ଡ.କୁମାର ଗୋପାଳ ଧନ୍ୟବାଦ ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ