ବାଲେଶ୍ୱରରେ ଆନ୍ତର୍ଜାତିକ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା):କିନ୍ନରଙ୍କ ସାମାଜିକ ସୁରକ୍ଷା ଭିତ୍ତିକ ‘ସ୍ୱୀକୃତି’ ପ୍ରକଳ୍ପର କାର୍ଯ୍ୟକାରିତା ସମ୍ପର୍କିତ ‘ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ’ ରୁରାଲ ଡେଭେଲୋପମେଣ୍ଟ ଆକ୍ସନ ସେଲ (ଆରଡିଏସି) ଓ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର ମିଳିତ ସହଯୋଗରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଏଥିଲେ ଯୋଗଦେଇ ତୃତୀତ ଲିଙ୍ଗ ଭାବେ ପରିଚିତ କିନ୍ନରମାନେ ସମାଜର ଅବିଚ୍ଛେଦ୍ୟ ଅଙ୍ଗ ହୋଇଛନ୍ତି ବୋଲି କହିଥିଲେ । ସାମ୍ବିଧାନିକ ମାନ୍ୟତା ପରେ ସ୍ୱତନ୍ତ୍ର ପରିଚୟ ପାଇଥିବା ଏହି କିନ୍ନରଙ୍କ ଜୀବନଧାରଣ ପାଇଁ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନକୁ ସବୁ ମହଲରୁ ଗୁରୁତ୍ୱ ଦିଆଯିବା ଉଚିତ ବୋଲି ଅତିରିକ୍ତ ଜିଲାପାଳ ଶ୍ରୀ ମହାପାତ୍ର ମତ ପ୍ରକାଶ କରିଥିଲେ । ଜିଲା ପରିଷଦ ମୁଖ୍ୟ କାର୍ଯ୍ୟନିବାହୀ ତଥା ଉନ୍ନୟନ ଅଧିକାରୀ ରବୀନ୍ଦ୍ର କୁମାର ସାହୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଟ୍ରାନ୍ସଜେଣ୍ଡରଙ୍କୁ ସ୍ୱାବଲମ୍ବୀ କରିବା ଓ ଆତ୍ମ ନିଯୁକ୍ତି କ୍ଷେତ୍ରରେ ରହିଥିବା ବିଭିନ୍ନ ସରକାରୀ ସୁବିଧା ସୁଯୋଗ ସମ୍ପର୍କରେ ଆଲୋଚନା କରିଥିଲେ । ଟ୍ରାନ୍ସଜେଣ୍ଡରମାନେ ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ବିଭିନ୍ନ ଉଦ୍ୟୋଗ ସ୍ଥାପନ କରିପାରିବେ । ଗ୍ରାମ୍ୟ କିମ୍ବା ସହରାଂଚଳ ଉନ୍ନୟନ ସଂସ୍ଥା ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପରେ ସାମିଲ ହୋଇ ସେମାନେ ଜୀବିକା ଅର୍ଜନ କରିପାରିବେ । ଓରମାସର ଜୀବିକା ମିଶନ ମାଧ୍ୟମରେ କିନ୍ନରମାନଙ୍କ ପାଇଁ ଉଦ୍ଦିଷ୍ଟ ନିୟୋଜନର ସୁଯୋଗ ନେବାକୁ ଶ୍ରୀ ସାହୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ଓ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ତରୁଣ ତପନ ପ୍ରହରାଜ ଏଥିରେ ଯୋଗଦେଇ କିନ୍ନରମାନଙ୍କ ସାମାଜିକ ସୁରକ୍ଷାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରିଣୀ ମମତା ନାୟକଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲା କିନ୍ନର ସଂଘର ସଭାପତି ରାଣୀ ହୁସେନ ଓ ସମ୍ପାଦିକା ଇତିଶ୍ରୀ ମାଝୀ ମଞ୍ଚାସୀନ ଥିଲେ । ଆରଏଡିସିର ମୁଖ୍ୟ ପ୍ରକଳ୍ପ ଅଧିକାରୀ ବିଜୟ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ