ପଞ୍ଚାୟତରେ ମନମୁଖୀ କାର୍ଯ୍ୟକୁ ନେଇ ଗ୍ରାମବାସୀଙ୍କ ଧାରଣା
ବାଲେଶ୍ୱର, (ସରୋଜ ପଣ୍ଡା):ବାହାନଗା ବ୍ଲକ ଚକଜଗନ୍ନାଥପୁର ପଞ୍ଚାୟତ କାର୍ଯ୍ୟରେ ପୂର୍ବତନ ସରପଞ୍ଚଙ୍କ ଅଯଥା ହସ୍ତକ୍ଷେପକୁ ନେଇ ଗ୍ରାମବାସୀମାନେ ଜିଲାପାଳଙ୍କ ଠାରେ ଫେରାଦ ହୋଇଛନ୍ତି । ପୂର୍ବତନ ସରପଞ୍ଚଙ୍କ ବିରୋଧରେ ଏକାଧିକ ଦୁର୍ନୀତି ମାମଲା ଚାଲିଥିବା ବେଳେ ସେ ବର୍ତ୍ତମାନର ମହିଳା ସରପଞ୍ଚଙ୍କ ସ୍ୱାମୀଙ୍କୁ ହାତ କରି ସବୁ କଥାରେ ମୁଣ୍ଡ ପୂରାଇ ଚାଲିଛନ୍ତି ବୋଲି ଗ୍ରାମବାସୀମାନେ ଆରୋପ କରିଛନ୍ତି । ଏ ସମ୍ପର୍କରେ ପଞ୍ଚାୟତ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଡିଓ, ବିଧାୟକଙ୍କ ପର୍ଯ୍ୟନ୍ତ ସବୁଠାରେ ଅଭିଯୋଗ କରିବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଶେଷରେ ସେମାନେ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା କହିଛନ୍ତି । ସେମାନଙ୍କ ଅଭିଯୋଗ ଅନୁସାରେ ବସୁଧା ଯୋଜନାରେ ପଞ୍ଚାୟତରେ ପାନୀୟ ଜଳ ଯୋଗାଣ ଲାଗି ଦୁଇଟି ପ୍ରଡ଼କ୍ସନ ୱେଲ, ଓଭର ହେଡ଼ ଟ୍ୟାଙ୍କି, ପମ୍ପ ହାଉସ ପ୍ରଭୃତି ନିର୍ମାଣ ପାଇଁ ସରକାରୀ ଅନୁଦାନ ମଞ୍ଜୁର ହୋଇଛି । ଏଥି ନିମନ୍ତେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ବାହାନଗା ତହସିଲଦାରଙ୍କୁ କୁଣ୍ଡାଖାଇ ବଜାର ଓ ଚନ୍ଦନୀପୁରରେ ଜାଗା ଚି଼ହ୍ନଟ ପାଇଁ ଚିଠି ଦେଇଛନ୍ତି । ତହସିଲଦାର ଚିଠିର ଉତ୍ତର ଦେବା ପୂର୍ବରୁ କେମିତି ପ୍ରକଳ୍ପ କାମ ଆରମ୍ଭ ହେଲା ଓ ଶେଷ ମଧ୍ୟ ହେଲା ସେକଥା ବିଡିଓ କିମ୍ବା ନିର୍ବାହୀ ଯନ୍ତ୍ରୀ କହି ପାରୁନାହାନ୍ତି । ଏ ସମ୍ପର୍କରେ ତଦନ୍ତ ଦାବିରେ ଗ୍ରାମବାସୀମାନେ ଧାରଣା ଦେଇଥିବା କହିଛନ୍ତି । ପଂଚାୟତ ଦ୍ୱାରା କୌଣସ ସମୟରେ ୱାର୍ଡ଼ମେମ୍ବର କିମ୍ବା ନାଏବ ସରପଞ୍ଚଙ୍କୁ ବୈଠକୁ ଡକା ଯାଉନାହିଁ । ସରପଞ୍ଚଙ୍କ ସ୍ୱାମୀ ଓ ସହଯୋଗୀମାନେ ଅରାଜକତା ଚଳାଇ ସ୍ଥାନୀୟ ଏସଏଚଜି ସଦସ୍ୟାଙ୍କୁ ନେଇ ବେଠକ ସହ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ପଲୀସଭା କରୁନଥିବାରୁ ପଚାରିଲେ ସରକାର ପଲୀସଭା ବ୍ୟବସ୍ଥା ଉଠାଇଦେଇଥିବା ସରପଞ୍ଚ ଉତ୍ତର ହେଉଛନ୍ତି । ପୂର୍ବତନ ସରପଞ୍ଚଙ୍କ ଦ୍ୱାରା ପ୍ରଭାବିତ ହୋଇ ବର୍ତ୍ତମାନର ସରପଞ୍ଚ ଓ ତାଙ୍କ ସ୍ୱାମୀ ମନମୁଖୀ କାର୍ଯ୍ୟ ଚଳାଇଥିବା ସେମାନେ କହିଛନ୍ତି । ଏଥି ସହିତ ଚକ ଜଗନ୍ନାଥପୁର ପଞ୍ଚାୟତରେ ଏକାଧିକ ପ୍ରକଳ୍ପର ଅନିୟମିତତା ହୋଇଥିବା ବେଳେ ସମସ୍ତ କାର୍ଯ୍ୟର ବିଧିବଦ୍ଧ ତଦନ୍ତ ପାଇଁ ସେମାନେ ଦାବି କରିଛନ୍ତି । ଏସମ୍ପର୍କରେ ସେମାନେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ସନ୍ତୋଷ କୁମାର ସେଠୀ, ମଶିଶଙ୍କର ସେଠୀ, ସୁଜିତ ଜେନା, ପ୍ରମୋଦ କୁମାର ଆଚାର୍ଯ୍ୟ, ବିଜୟ ମହାପାତ୍ର, ମନୋରଞ୍ଜନ ବେହେରା, ସମୟ କୁମାର ପାଢୀ ପ୍ରମୁଖ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ ।


