ବାଲେଶ୍ୱରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ମହାପ୍ରୟାଣ ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା):ମଧୁସୂଦନ ସାଂସ୍କୃତିକ ପରିଷଦ ଓ ସାବିତ୍ରୀ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ମିଳିତ ସହଯୋଗରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ମହାପ୍ରୟାଣ ଦିବସ ଶନିବାର ପାଳିତ ହୋଇଯାଇଛି । ସାବିତ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ସବିତା ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ତତ୍କାଳୀନ ଉତ୍କଳର ସାମଗ୍ରୀକ ବିକାଶରେ ମଧୁବାବୁଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଫକୀର ମୋହନ ସାହିତ୍ୟ ପରିଷଦର ପୂର୍ବତନ ସଭାପତି ଡ. ଶିରୀଶ ଚନ୍ଦ୍ର ଜେନା ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ମଧୁବାବୁଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ । ଭାଷା ଭିତ୍ତିକ ସ୍ୱତନ୍ତ୍ର ଓଡ଼ିଶା ଗଠନଠାରୁ ଆରମ୍ଭ କରି ରାଜ୍ୟର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ବିକାଶକୁ ସେ ସର୍ବଦା ଗୁରୁତ୍ୱ ଦେଇ ଆସୁଥିଲେ ବୋଲି ଡ. ଜେନା ପ୍ରକାଶ କରିଥିଲେ । ରେମୁଣା ବ୍ଲକ ଅଧ୍ୟକ୍ଷ ରାଜେନ୍ଦ୍ର ରାଉତ, ପୌର ସଦସ୍ୟ କାର୍ତିକ ସାହୁ, ସାବିତ୍ରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରଶ୍ମିରେଖା ବେରା, ମଧୁସୂଦନ ସାଂସ୍କୃତିକ ପରିଷଦର ସମ୍ପାଦକ ଆଇନଜୀବୀ ପୁରୁଷୋତମ ବିଶ୍ୱାଳ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ କେବଳ ଭାଷା ଭିତ୍ତିକ ରାଜ୍ୟ ଗଠନ ନୁହେଁ ବରଂ ଜଣେ ପ୍ରଚଣ୍ଡ ସ୍ୱାଭିମାନୀ ବ୍ୟକ୍ତିତ୍ୱ ଭାବେ ଓଡ଼ିଆ ଜାତି ପାଇଁ ମଧୁବାବୁ ଆଦର୍ଶ ହୋଇ ପାରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ମଧୁସୂଦନ ସାଂସ୍କୃତିକ ପରିଷଦର ସଭାପତି ଓ ସାବିତ୍ରୀ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ସଭାପତି ଲକ୍ଷ୍ମୀ ନାରାୟଣ ମହାନ୍ତି ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ମଧୁସୂଦନ ସାଂସ୍କୃତିକ ପରିଷଦର ସଭାପତି ଶ୍ରୀ ମହାନ୍ତି ମୋ’ସ୍କୁଲ ଅଭିଯାନରେ ବିଦ୍ୟାଳୟକୁ ୫୦ ହଜାର ଟଙ୍କାର ସହାୟତା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ ଶିକ୍ଷୟତ୍ରୀ ହସିନା ବିବିି ମଧୁବାବୁଙ୍କ ଉଦ୍ଦେଶ୍ୟରେ କବିତା ପାଠ କରିଥିଲେ । ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଏଥିରେ ପୁରସ୍କୃତ କରାଯାଇଥିଲା । ଅ।।ଇନଜୀବୀ ପ୍ରଜ୍ଞାପାରମିତା ମହାନ୍ତି ଅତିଥି ପରିଚାୟ ପ୍ରଦାନ କରିଥିବା ବେଳେ ତୁଷାରକାନ୍ତି ମହାପାତ୍ର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭାବଗ୍ରାହୀ ମହାନ୍ତି, ପ୍ରତିମା ପଣ୍ଡା, ସୀତାରାମ ପ୍ରଧାନ, ଅଖିଳ କୁମାର ଦାସ, ଅଜିତ କୁମାର ମହାନ୍ତି, ପ୍ରଶାନ୍ତ ମହାନ୍ତି, ଦୁଷ୍ମନ୍ତ କୁମାର ଦାସ, ପ୍ରଦୀପ ମହାନ୍ତି, କଲ୍ୟାଣୀ ନନ୍ଦ, ବନଲତା ପ୍ରଧାନ, ଅନୁପ ଚାଟାର୍ଜୀ, ଦର୍ପନାରାୟଣ ଦାସ, ଯଶୋଧାରା ଦାସ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ ।