ବାଲେଶ୍ୱରରେ ଉଦଘାଟିତ ହେଲା ଇଣ୍ଡୋର ବ୍ୟାଡ୍‌ମିଂଟନ ଏବଂ ଲନ୍ ଟେନିସ୍ କୋର୍ଟ

ବାଲେଶ୍ୱର,(ଓ୍ବାଇଏନ୍ଏସ୍): ବାଲେଶ୍ୱର ସହରର ଅଫିସର କ୍ଲବ ପରିସରରେ ଆଜି ନବ ନିର୍ମିତ ଉଡେନ ଇଣ୍ଡୋର ବ୍ୟାଡମିଂଟନ କୋର୍ଟ ଏବଂ ସିନ୍ଥେଟିକ୍ ଲନ୍ ଟେନିସ୍ କୋର୍ଟ ଉଦଘାଟିତ ହୋଇଯାଇଛି । ମାନ୍ୟବର ମନ୍ତ୍ରୀ, ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, କ୍ରୀଡା ଏବଂ ଯୁବସେବା ବିଭାଗ, ଓଡିଶା ସରକାର ଶ୍ରୀ ତୁଷାରକାନ୍ତି ବେହେରା ଦିନିକିଆ ବାଲେଶ୍ୱର ଜିଲ୍ଲା ଗସ୍ତରେ ଆସି ପ୍ରାୟ ୨୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ବ୍ୟାଡମିଂଟନ ଓ ଟେନିସ କୋର୍ଟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଜିଲ୍ଲାର ଉଦୀୟମାନ କ୍ରୀଡା ପ୍ରତିଭାଙ୍କ ବିକାଶରେ ଏହିଭଳି ସୁବିଧା ବିଶେଷ ସହାୟକ ହୋଇପାରିବ ବୋଲି ମାନ୍ୟବର ମନ୍ତ୍ରୀ ଏହି ଅବସରରେ ମତବ୍ୟକ୍ତ କରିଥିଲେ । ରାଜ୍ୟରେ କ୍ରୀଡା ଭିତିଭୂମିର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଯେଉଁ ଯୋଜନା ରହିଛି ତାହାକୁ ସାକାର କରିବା ଦିଗରେ କ୍ରୀଡା ବିଭାଗ ପକ୍ଷରୁ ଏବେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ସମନ୍ୱିତ କ୍ରୀଡା କମ୍ପେ୍ଲକ୍ସ ନିର୍ମାଣ ହେବାକୁ ଯାଉଛି । ରାଜ୍ୟର ୮ଟି ଜିଲ୍ଲାରେ ଏଥି ପାଇଁ କାମ ମଧ୍ୟ ଆରମ୍ଭ ହୋଇଯାଇଛି । ଖୁବ ଶୀଘ୍ର ବାଲେଶ୍ୱରରେ ଜମି ଅଧିଗ୍ରହଣ କରାଯାଇ ସ୍ପୋର୍ଟସ କମ୍ପେ୍ଲକ୍ସ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ମାନ୍ୟବର ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଏହି ସମନ୍ୱିତ କ୍ରୀଡା କମ୍ପେ୍ଲକ୍ସରେ କ୍ରିକେଟ କିମ୍ବା ଫୁଟବଲ ଖେଳିବା ପାଇଁ ବଡ ପଡିଆ,ସୁଇମିଂ ପୁଲ, ବାସ୍କେଟବଲ, ଲନ ଟେନିସ୍ କୋର୍ଟ, ବ୍ୟାଡମିଂଟନ କୋର୍ଟ ପ୍ରଭୃତି ଉପଲବଧ ହେବା ସହ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ରହିବ । ସେହିପରି ଜିଲ୍ଲାର ପ୍ରତି ବ୍ଲକ ଏବଂ ଗ୍ରାମାଂଚଳରେ ମଧ୍ୟ କ୍ରୀଡା ଭିତିଭୂମିର ଉନ୍ନତି ପାଇଁ ଧ୍ୟାନ ଦିଆଯିବ । ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ଗ୍ରାମାଂଚଳର କ୍ରୀଡା ପ୍ରତିଭାମାନେ ଏହାର ସୁଯୋଗ ନେବା ସହ ରାଜ୍ୟ ଓ ଜାତୀୟ ସ୍ତରରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିବାକୁ ମାନ୍ୟବର ମନ୍ତ୍ରୀ ଶ୍ରୀ ବେହେରା ଏହି ଅବସରରେ ଆହ୍ୱାନ ଦେଇଥିଲେ ।  ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ନବନିର୍ବାଚିତ ବାଲେଶ୍ୱର ବିଧାୟକ ଶ୍ରୀ ସ୍ୱରୂପ କୁମାର ଦାସ ଯୋଗ ଦେଇ କ୍ରୀଡା ଭିତିଭୂମିର ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କ ସମେତ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଜେନା, ପୂର୍ବତନ ପୌରପାଳ ଶ୍ରୀ ଆଲୋକ କୁମାର ସାହୁ ପ୍ରମୁଖ ଏଥିରେ ମଂଚାସୀନ ଥିବା ବେଳେ ବିଭିନ୍ନ କ୍ରୀଡା ସଙ୍ଗଠନର ପ୍ରତିନିଧି, କ୍ରୀଡାବିତ୍‌, ବରିଷ୍ଠ ପଦାଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।ବ୍ୟାଡମିଂଟନ ଓ ଟେନିସ କୋର୍ଟ ଉଦଘାଟନ ପୂର୍ବରୁ ମାନ୍ୟବର ମନ୍ତ୍ରୀ ଶ୍ରୀ ବେହେରା ସ୍ଥାନୀୟ ସର୍କିଟ ହାଉସରେ ଜିଲ୍ଲାର କ୍ରୀଡା ତାଲିମ କେନ୍ଦ୍ର, ସ୍ପୋର୍ଟସ ହଷ୍ଟେଲ ଏବଂ ଷ୍ଟାଡିୟମ ସମେତ ଅନ୍ୟାନ୍ୟ କ୍ରୀଡା ଭିତିଭୂମି ଏବଂ ଆନୁସଙ୍ଗିକ ଆବଶ୍ୟକତା ଉପରେ ସମୀକ୍ଷା କରିଥିଲେ । ମନ୍ତ୍ରୀ ଶ୍ରୀ ବେହେରା ପର୍ଯ୍ୟଟନ ବିଭାଗ ଦ୍ୱାରା ଚାନ୍ଦିପୁର ବେଳାଭୂମିର ଉନ୍ନତିକରଣ ପାଇଁ କରାଯାଉଥିବା କାର୍ଯ୍ୟର ମଧ୍ୟ ଅନୁଧ୍ୟାନ କରିଥିଲେ । ଏଥି ସହିତ ଆଇଟି ଭିତିଭୂମି, ଟେଲି ଯୋଗାଯୋଗ ବ୍ୟବସ୍ଥା ଉପରେ ମନ୍ତ୍ରୀ ଶ୍ରୀ ବେହେରା ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ