ବାଲେଶ୍ୱରରେ ଓଡ଼ିଆ ନବ ଜାଗରଣ ପଦଯାତ୍ରା
ବାଲେଶ୍ୱର, (ସରୋଜ ପଣ୍ଡା):ଓଡ଼ଆ ଭାଷାର ସୁରକ୍ଷା, ସମୃଦ୍ଧି ତଥା ସ୍ୱାଭିମାନ ରକ୍ଷା ଉଦ୍ଦେଶ୍ୟରେ ‘ଓଡ଼ିଆ ନବ ଜାଗରଣ ଯାତ୍ରା’ ସଂଗଠନ ପକ୍ଷରୁ ବାଲେଶ୍ୱରରେ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନରୁ ଏହି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଓଡ଼ିଶା ସରକାରଙ୍କ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଏଥିରେ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟର ତ୍ରାଣକର୍ତ୍ତା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଯାତ୍ରାର ଉଦ୍ଦେଶ୍ୟ ତଥା ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ବାଲେଶ୍ୱରରୁ ଆରମ୍ଭ ହୋଇଥିବା ଏହି ଓଡ଼ିଆ ଜାଗରଣ ଯାତ୍ରା ପ୍ରତ୍ୟେକ ସ୍ୱାଭିମାନୀ ଓଡ଼ିଆଙ୍କ ମଧ୍ୟରେ ମାତୃଭାଷା ପ୍ରତି ଶ୍ରଦ୍ଧା ଓ ସମ୍ମାନ ଭରିଦେବା ସହ ସମସ୍ତେ ଓଡ଼ିଆ ଭାଷାକୁ ନେଇ ଗର୍ବ କରିବା ଉଚିତ ବୋଲି କହିଥିଲେ ।ଏହି ପଦଯାତ୍ରା ଆନ୍ଦୋଳନର ରୂପ ନେଉ ଓ ମାତୃଭାଷା ପ୍ରତି ପ୍ରତ୍ୟେକ ଓଡିଆଙ୍କ ମନରେ ନୂତନ ଜାଗରଣ ସୃଷ୍ଟି ହେଉ ବୋଲି ଶ୍ରୀ ପଟ୍ଟନାୟକ ଆଶା ପ୍ରକାଶ କରିଥିଲେ ।ଏହି ଫ୍ୟୁଚର ବାଲେଶ୍ୱର ସଂଗଠନର ମୁଖ୍ୟ ବରିଷ୍ଠ ଆଇନଜୀବୀ ବିଜୟ କୁମାର ପାଣିଗ୍ରାହୀ ଏହି ଯାତ୍ରାରେ ଯୋଗଦେଇ ସଂଗ୍ରାମର ଭୂମି ବାଲେଶ୍ୱରରୁ ଓଡି଼ଆ ନବ ଜାଗରଣ ଯାତ୍ରାର ଶୁଭାରମ୍ଭ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ । ଦିନକୁ ଦିନ ଓଡ଼ଆ ଭାଷାର ଅସ୍ମିତା ପ୍ରତି ବିପଦ ଦେଖା ଦେଇଥିବା ବେଳେ ନିଜ ରାଜ୍ୟରେ ବି ଓଡିଆ ଲୋକେ ପ୍ରତାରିତ ହୋଇ ଚାଲିଛନ୍ତି । ପ୍ରତ୍ୟେକ ଓଡିଆଙ୍କ ସ୍ୱାଭିମାନ ରକ୍ଷା ଦିଗରେ ଏହି ଅଭିଯାନ ସମସ୍ତଙ୍କୁ ଅନୁପ୍ରାଣିତ କରିବ ବୋଲି ଶ୍ରୀ ପାଣିଗ୍ରାହୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ନବ ଜାଗରଣ ଯାତ୍ରାର ଆବାହକ ନିରଦ ବରଣ ଖୁଣ୍ଟିଆ, ଡ. ସୁବ୍ରତ ପୃଷ୍ଟି, ଦେବେନ୍ଦ୍ର ପଣ୍ଡା, ପୀତାମ୍ବର ଭୂୟାଁ, ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ କାଳୀପଦ ପଣ୍ଡା, ଅଧ୍ୟାପକ ପ୍ରଦୀପ୍ତ ମିଶ୍ର, ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀ, ରମେଶ ଜେନା, କବି ସୁଧାକର ସେଠୀ ପ୍ରମୁଖଙ୍କ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ବହୁ ଛାତ୍ରଛାତ୍ରୀ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ । ପଦଯାତ୍ରା ସହର ପରିକ୍ରମା ପରେ ସଂଗଠନ ପକ୍ଷରୁ ଟାଉନହଲ ପରିସରରେ ସାଂଗଠନିକ ଶିବିର ଆୟୋଜିତ ହୋଇଥିଲା ।ଏଥିରେ ଓଡିଆ ନବଜାଗରଣ ଯାତ୍ରାର ଆବଶ୍ୟକତା, ଓଡିଆ ଭାଷାକୁ ନେଇ ବିଦ୍ୟାର୍ଥୀଙ୍କ ସମସ୍ୟା ଓ ଏହାର ସମାଧାନ, ନିଯୁକ୍ତି କ୍ଷେତ୍ରରେ ଥିବା ସୁବିଧା ସୁଯୋଗ ପ୍ରସଙ୍ଗ ଉପରେ ବକ୍ତାମାନେ ଆଲୋଚନା କରିଥିଲେ । ଏହି ଅବସରରେ ଏକ ପ୍ରତିନିଧି ଦଳ ଓଡ଼ିଆ ଭାଷାର ସୁରକ୍ଷା ତଥା ସ୍ୱାଭିମାନ ରକ୍ଷା ଦିଗରେ ଉଚିତ ପଦକ୍ଷେପ ଗ୍ରହଣ ଦାବିରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ ।