ବାଲେଶ୍ୱରରେ ଜିଲାସ୍ତରୀୟ ଏଡସ୍‍ ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲା ଏଡସ୍ ପ୍ରତିକାର ଓ ନିୟନ୍ତ୍ରଣ ୟୁନିଟ ଆନୁକୂଲ୍ୟରେ ଜିଲାସ୍ତରୀୟ ବିଶ୍ୱ ଏଡସ୍ ଦିବସ-୨୦୨୧ ବୁଧବାର ପାଳିତ ହୋଇଯାଇଛି । ସ୍ଥାନୀୟ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ଦୁଲାଳ ସେନ ଜଗଦ୍ଦେବଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଏଡ୍‌ସର ପ୍ରତିକାର ଓ ଚଳିତ ବର୍ଷର ବିଷୟ “ଅନ୍ତ ଅସମାନତାର, ଅନ୍ତ ଏଡସ୍‌, ଅନ୍ତ ମହାମାରୀର” ସମ୍ପର୍କରେ ଆଲୋଚନା କରାଯାଇଥିଲା । ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏଡସ୍ ରୋଗର ଭୟାବହତା ଏବଂ ଚଳିତ ବର୍ଷର ବାର୍ତ୍ତା ସମ୍ପର୍କରେ ଆଲୋଚନା କରିଥିଲେ । ବିଭିନ୍ନ କ୍ଷେତ୍ରରେ ଏଡସ୍ ରୋଗୀ ଯେପରି ଚିକିତ୍ସା ସେବାରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ଯତ୍ନବାନ ହେବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଦୁଲାଳସେନ ଜଗଦ୍ଦେବ ଏଡସ୍ ରୋଗର ଚିକିତ୍ସା, ପ୍ରତିକାର ଏବଂ ସଚେତନତା ସୃଷ୍ଟି ଉପରେ ଆଲୋକପାତ କରିଥିଲେ । ଏଡସ୍ ପ୍ରତିକାର ଓ ନିୟନ୍ତ୍ରଣ ଜିଲ୍ଲା ନୋଡାଲ୍ ଅଧିକାରୀ ଡା. ଶଶାଙ୍କ ଶେଖର ଚୌଧୁରୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ଜିଲ୍ଲାରେ ଏଡସ୍ ରୋଗୀଙ୍କ ସ୍ଥିତି ଏବଂ ଏଡସ୍ ନିୟନ୍ତ୍ରଣ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ ।୨୦୦୩ ମସିହାରୁ ୨୦୨୧ ଅକ୍ଟୋବର ମାସ ଶେଷ ସୁଦ୍ଧା ଜିଲାରେ ଚିହ୍ନଟ ହୋଇଥିବା ମୋଟ ଏଚଆଇଭି ସଂକ୍ରମିତଙ୍କ ସଂଖ୍ୟା ୧୭୫୦ ରେ ପହଞ୍ଚିଛି ବୋଲି ସେ କହିଥିଲେ । ଇତିମଧ୍ୟରେ ୪୧୩ଜଣ ଏଡସ୍ ରୋଗୀ ମୃତ୍ୟୁ ବରଣ କରିଥିବା ବେଳେ ୧୨୦ ଜଣ ଗର୍ଭବତୀ ମହିଳା ଆକ୍ରାନ୍ତ ଅଛନ୍ତି । ସଭା ପ୍ରାରମ୍ଭରେ ଜିଲା ସ୍କୁଲ ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ସଭା କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପୂର୍ବରୁ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର ବିଜୟୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏଥି ସହିତ ଏଡସ ସଚେତନତା ବାର୍ତ୍ତା ସମ୍ପର୍କିତ ଏକ ରଙ୍ଗୋଲି ପ୍ରତିଯୋଗିତା ଏବଂ ସିଡବ୍ଲ୍ୟୁଏସଡି ଷ୍ଟାଫମାନଙ୍କ ମଧ୍ୟରେ ମ୍ୟୁଜିକ ଚେୟାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଜିଲା ଏଡସ୍ ପ୍ରତିକାର ଓ ନିୟନ୍ତ୍ରଣ କକ୍ଷ ଡିପିଏମ ରଶ୍ମିତା ମହାନ୍ତି ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ବରିଷ୍ଠ ମେଡିକାଲ ଅଫିସର ଅନୁପ କୁମାର ଘୋଷ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ପତାକା ଦେଖାଇ ଏକ ସଚେତନତା ରଥର ଶୁଭାରମ୍ଭ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ