ବାଲେଶ୍ୱରରେ ଜିଲାସ୍ତରୀୟ ଓଡ଼ିଶା ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱର ଜିଲା ପ୍ରଶାସନ ଆନୁକୂଳ୍ୟରେ ୮୭ତମ ଜିଲାସ୍ତରୀୟ ଓଡ଼ିଶା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି । ପ୍ରତ୍ୟୁଷରୁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଜରିଆରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ ପୂର୍ବକ ସହର ପରିକ୍ରମା କରାଯାଇଥିଲା । ସକାଳେ ଅତିଥିମାନଙ୍କ ଦ୍ୱାରା ସହରର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ଏବଂ ସଂସ୍କୃତି ଭବନରେ ଚିତ୍ରକାଳା ପ୍ରଦର୍ଶନୀ ଉଦଘାଟନ କରାଯାଇଥିଲା । ସଂଧ୍ୟାରେ ଏକ ସାଧାରଣ ସଭା ସେଠାରେ ଅନୁଷ୍ଠିତ ହୋଇଥିଲା । ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଏଥିରେ ସଭାପତିତ୍ୱ କରିଥିଲେ । ସଂଧ୍ୟା ୬ଟାରେ ସମଗ୍ର ରାଜ୍ୟରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ହୋଇଥିବା ବେଳେ ଏହି ସଭାରେ ନାଟ୍ୟାନୁଷ୍ଠାନ ‘କଳାକାର’ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତେ ଏହି ସଙ୍ଗୀତ ଗାଇଥିଲେ । ଜିଲା ପରିଷଦ ସଭାପତି ନାରାୟଣ ଚନ୍ଦ୍ର ପ୍ରଧାନ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତଙ୍କୁ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଥିଲେ । ସ୍ୱତନ୍ତ୍ର ପ୍ରଦେଶ ଗଠନରେ ଲୁହଲହୁ ଦେଇଥିବା ମହାମନିଷୀଙ୍କୁ ସେ ମନେ ପକାଇଥିଲେ । ତେବେ ଓଡ଼ିଆ ଭାଷାର ସମୃଦ୍ଧି ସାଙ୍ଗକୁ ରାଜ୍ୟର କଳା ସଂସ୍କୃତି ଓ ଐତିହ୍ୟକୁ ସର୍ବଦା ଉଜ୍ଜୀବିତ ରଖିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ସଦର ବିଧାୟକ ସ୍ୱରୂପ କୁମାର ଦାସ, ପୌର ଅଧ୍ୟକ୍ଷା ସବିତା ସାହୁ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁ, ବାଲେଶ୍ୱର ଉପ-ଜିଲାପାଳ ଆଶିଷ ଈଶ୍ୱର ପାଟିଲ ଓ ପ୍ରୋବେସନର ଆଇଏଏସ କୁନାଲ ଚୌହ୍ୱାନ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷାର ସୁରକ୍ଷା ଓ ସମୃଦ୍ଧି, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଅବଦାନ ଥିବା ମହାମନିଷୀଙ୍କ ତ୍ୟାଗି ସମ୍ପର୍କରେ ଆଲୋକପାତ କରିଥିଲେ । ଓଡିଆ ସଂସ୍କୃତି, ଭାଷା, କଳା, ଭାସ୍କର୍ଯ୍ୟର ଗାଥା ବଖାଣିବା ସହ ଓଡ଼ିଶାର ପୂର୍ଣ୍ଣ ବିକାଶ ପାଇଁ ପ୍ରତ୍ୟେକଙ୍କ ସହଯୋଗ କାମନା କରିଥିଲେ । ଓଡ଼ିଶା ଦିବସ ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ଏହି ଅବସରରେ ପୁରସ୍କୃତ କରିଥିଲେ । ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ‘କଳାକାର’ର ସମ୍ପାଦକ ସୌମ୍ୟରଞ୍ଜନ ପ୍ରଧାନ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


