ବାଲେଶ୍ୱରରେ ଡାକ୍ତରୀ ସିଟ୍ ବୃଦ୍ଧିପାଇଁ ଏମ୍.ସି.ଆଇ. ପୁନଃବିଚାର କରିବାକୁ କ୍ରିୟାନୁଷ୍ଠାନ କମିଟିର ଦାବି

ବାଲେଶ୍ୱର,(,(ଯୁଗାବ୍ଦ ନ୍ୟୁଜ୍ ): ଓଡ଼ିଶାରେ ଗତବର୍ଷଠାରୁ ଚଳିତବର୍ଷ ଡାକ୍ତରୀ ଶିକ୍ଷାପାଇଁ ୩ଟି ମେଡିକାଲ୍ କଲେଜ୍ରେ ୧୦୦ଟି ସିଟ୍ ବୃଦ୍ଧିକରିବାକୁ ମେଡିକାଲ୍ କାଉନସିଲ୍ ଅଫ୍ ଇଣ୍ଡିଆ (ଏମ୍.ସି.ଆଇ.)ର ଅନୁମତିକୁ ବାଲେଶ୍ୱର ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ସ୍ୱାଗତ କରିଛି । ବାଲେଶ୍ୱରରେ ସରକାରୀ ମେଡିକାଲ୍ କଲେଜ୍ ପ୍ରତିଷ୍ଠାପାଇଁ ସରକାରୀ ନିଷ୍ପତ୍ତି ପରେ ବାଲେଶ୍ୱରର ଫକୀରମୋହନ ସରକାରୀ ମେଡିକାଲ୍ କଲେଜ୍ରେ ଡାକ୍ତରୀ ଶିକ୍ଷାପାଇଁ ୩୦୦ ସିଟ୍ ପ୍ରଦାନ ନିମିତ୍ତ ଜିଲ୍ଲାବାସୀ ଓ କ୍ରିୟାନୁଷ୍ଠାନକମିଟି ଦାବି କରିଆସୁଥିଲେ । ସେଥିନିମିତ୍ତ ୨୦୧୪ରେ ଓଡ଼ିଶାରେ ପ୍ରସ୍ତାବିତ ନୂତନ ଛଅଟି ମେଡିକାଲ୍ କଲେଜ୍ ମଧ୍ୟରୁ ଏକମାତ୍ର ବାଲେଶ୍ୱର ସରକାରୀ ମେଡିକାଲ୍ କଲେଜ୍ ପାଇଁ ରାଜ୍ୟ ସରକାର ୨୨ ଏକର ଜମି ମେଡିକାଲ୍ କଲେଜ୍ ପାଇଁ ଓ ତତ୍ସଂଲଗ୍ନ ୨୨ ଏକର ଜମି ୩୦୦ ଶଯ୍ୟାବିଶିଷ୍ଟ ଅତ୍ୟାଧୁନିକ ହସ୍ପିଟାଲ୍ ପାଇଁ ସ୍ୱାସ୍ଥ୍ୟବିଭାଗକୁ ପ୍ରଦାନ କରିଥିଲେ । ତେଣୁ ମେଡିକାଲ୍ କଲେଜ୍ର ୧୦୦ରୁ ଅଧିକ ଶିକ୍ଷାର୍ଥିଙ୍କ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି, ଗମନାଗମନ ପ୍ରଭୃତିର ଯଥେଷ୍ଟ ସୁବିଧା ରହିଛି । ବାଲେଶ୍ୱର ରାଜ୍ୟର ଏକ ଉପାନ୍ତ ଜିଲ୍ଲା ହୋଇଥିବାରୁ ପଡ଼ୋଶୀ ରାଜ୍ୟରୁ ବହୁ ରୋଗୀ ବାଲେଶ୍ୱର ଫକୀରମୋହନ ସରକାରୀ ମେଡିକାଲ୍ କଲେଜ୍କୁ ଚିକିତ୍ସାପାଇଁ ଆସୁଥିବାରୁ ଗତବର୍ଷ ଠାରୁ ରୋଗୀ ସଂଖ୍ୟା ଅହେତୁକ ଭାବେ ବୃଦ୍ଧିପାଇଛି । କିନ୍ତୁ ଏମ୍.ସି.ଆଇ. ବାଲେଶ୍ୱର ସରକାରୀ ମେଡିକାଲ୍ କଲେଜରେ ଡାକ୍ତରୀ ଶିକ୍ଷାର୍ଥିଙ୍କ ସିଟ୍ସଂଖ୍ୟା ବୃଦ୍ଧି ନକରିବା ଜିଲ୍ଲାବାସୀଙ୍କୁ ବିସ୍ମିତ କରିଛି ବୋଲି କ୍ରିୟାନୁଷ୍ଠାନ କମିଟି ମତପ୍ରକାଶ କରିଛି । ବାଲେଶ୍ୱରରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କିମ୍ବା ସରକାରୀ ମେଡିକାଲ୍ କଲେଜ୍ ପ୍ରତିଷ୍ଠାପାଇଁ ଜିଲ୍ଲାବାସୀ ଦଳମତ ନିର୍ବିଶେଷରେ ଦୀର୍ଘବର୍ଷ ଆନ୍ଦୋଳନ ଚଳାଇବାପରେ ସରକାର ଏହି ଉଚ୍ଚଶିକ୍ଷା ଓ ସ୍ୱାସ୍ଥ୍ୟଶିକ୍ଷା ପ୍ରତିଷ୍ଠାନ ପ୍ରତିଷ୍ଠା କରିବାକୁ ବାଧ୍ୟ ହୋଇଛନ୍ତି । ଡାକ୍ତରୀ ଶିକ୍ଷାଦାନ ପାଇଁ ସିଟ୍ ସଂଖ୍ୟା ବୃଦ୍ଧି କରାନଯିବା ନିଷ୍ପତ୍ତି ପୁନଶ୍ଚ ଜିଲ୍ଲାବାସୀଙ୍କୁ ଆନ୍ଦୋଳନକୁ ଓହ୍ଲାଇବା ନିମିତ୍ତ ବାଧ୍ୟ କରୁଛି ବୋଲି ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ସରକାରଙ୍କୁ ଚେତାବନୀ ଦେଇଛି । ତେଣୁ ଜିଲ୍ଲାବାସୀଙ୍କ ଏହି ଉଦ୍ବେଗକୁ ରାଜ୍ୟ ଓ କେନ୍ଦ୍ରସରକାର ଏମ୍.ସି.ଆଇ.କୁ ଜଣାଇ ଫକୀରମୋହନ ସରକାରୀ ମେଡିକାଲ୍ କଲେଜରେ ଚଳିତବର୍ଷ ଅନ୍ୟୁନ ଅଧିକ ୫୦ଟି ସିଟ୍ ବୃଦ୍ଧି କରିବାକୁ କ୍ରିୟାନୁଷ୍ଠାନ କମିଟିର ସଭାପତି ପ୍ରଫେସର ଅନନ୍ତ କୁମାର ପ୍ରଧାନ ଓ ସାଧାରଣ ସଂପାଦକ ନିରଞ୍ଜନ ପରିଡ଼ାଙ୍କ ବିବୃତ୍ତିକୁ କମିଟିର ଜନସଂପର୍କ ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ