ବାଲେଶ୍ୱରରେ ଡାକ ମେଳା
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଡାକ ମଣ୍ଡଳ ପକ୍ଷରୁ ଅଷ୍ଟମ ଡାକମେଳା ମୁଖ୍ୟ ଡାକଘର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ସହକାରୀ ଡାକ ଅଧୀକ୍ଷକ ରବିନାରାୟଣ ବେହେରା ଏଥିରେ ସଭାପତିତ୍ୱ କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ବାଲେଶ୍ୱର ଡାକମଣ୍ଡଳ ଅଧୀକ୍ଷକ ଜୟନ୍ତ କୁମାର ଦାସ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ୱଳ୍ପ ସଂଚୟ କ୍ଷେତ୍ରରେ ଡାକ ବିଭାଗର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ସାମ୍ପ୍ରତିକ ସ୍ଥିତିରେ ଡାକ ବିଭାଗ ପକ୍ଷରୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଜିଲା ସ୍ୱଳ୍ପ ସଞ୍ଚୟ ଅଧିକାରିଣୀୀ ପ୍ରଜ୍ଞା ମିଶ୍ର ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ୱଳ୍ପ ସଂଚୟ ଦ୍ୱାରା କିପରି ପରିବାରର ଅର୍ଥିକ ଉନ୍ନତି ହୋଇଥାଏ, ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଆଇପିପିବି ଶାଖା ପରିଚାଳକ ବିରଞ୍ଚିନାରାୟଣ ସାମଲ, ବାଲେଶ୍ୱର ଡାକ ମଣ୍ଡଳର ଅନ୍ୟତମ ସହକାରୀ ଅଧୀକ୍ଷକ ସମରଜିତ ନାୟକ, ନୀଳଗିରି ଆଇପି ଗିରିଧାରୀ ଧାମୁଡ଼ିଆ, ଜଳେଶ୍ୱର ଆଇପି କାର୍ତ୍ତିକ ଚନ୍ଦ୍ର ଦାସ ଓ ସଦାଶିବ ରାଉତ, ସୋର ।ଇପି ରିମ୍ପା ଅଧିକାରୀ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୯ ଜଣ ବିପିଏମଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା ।


