ବାଲେଶ୍ୱରରେ ପ୍ରତିଷ୍ଠା ହେବ ଆଉ ଏକ କୋଭିଡ ହସପିଟାଲ ମୁଖ୍ୟ ଶାସନ ସଚିବ ‘ଜନସମ୍ପର୍କ’ ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ

ବାଲେଶ୍ୱର, (ଓ୍ବାଇଏନ୍ଏସ୍):ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଅସିତ୍ କୁମାର ତ୍ରିପାଠୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ମହାପାତ୍ର, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ତଥା ବାଲେଶ୍ୱର ଜିଲ୍ଲା କୋଭିଡ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ମଧୁସୂଦନ ପାଢ଼ୀ ଏବଂ ନିର୍ଦ୍ଦେଶକ, ଡିଏମଇଟି ଡାକ୍ତର ସି.ବି.କେ ମହାନ୍ତି ବାଲେଶ୍ୱର ଜିଲ୍ଲା ଗସ୍ତ କରି କୋଭିଡ-୧୯ ସ୍ଥିତିର ସମୀକ୍ଷା କରିଛନ୍ତି ।ମୁଖ୍ୟ ଶାସନ ସଚିବ ଏଠାରେ ପହଂଚିବା ପରେ ପରେ ଜ୍ୟୋତି କୋଭିଡ ହସପିଟାଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଫକୀରମୋହନ ମେଡିକାଲ କଲେଜ ଓ ହସପିଟାଲ ବୁଲି ବାସ୍ତବ ସ୍ଥିତିର ଅନୁଧ୍ୟାନ କରିଥିଲେ । ପରେ ପରେ ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଳସେନ ଜଗଦ୍ଦେବଙ୍କ ସମେତ ବରିଷ୍ଠ ଅଧିକାରୀ ଓ ଚିକିତ୍ସକମାନଙ୍କ ସହ ଜିଲ୍ଲାରେ ଉପଲବଧ କୋଭିଡ୍ ଚିକିତ୍ସାର ସୁବିଧା ବିଷୟରେ ସମୀକ୍ଷା କରିଥିଲେ।ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କହିଥିଲେ ଯେ ବର୍ତମାନ ପର୍ଯ୍ୟନ୍ତ ବାଲେଶ୍ୱର ଜିଲ୍ଲାରେ କୋଭିଡ ପରିଚାଳନା ସନ୍ତୋଷଜନକ ରହିଛି । ମୃତ୍ୟୁହାର ୦.୩ ପ୍ରତିଶତ ରହିଛି ଯାହାକି ଅନ୍ୟାନ୍ୟ ଜିଲ୍ଲାଠାରୁ କମ୍ । କୋଭିଡ ପରିଚାଳନା ପାଇଁ ମୁଖ୍ୟ ଶାସନ ସଚିବ ଜିଲ୍ଲା ପ୍ରଶାସନ ଏବଂ କୋଭିଡ ଚିକିତ୍ସାରେ ନିୟୋଜିତ ଥିବା ସମସ୍ତ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସାଧୁବାଦ ଜଣାଇଥିଲେ । ମୁଖ୍ୟ ଶାସନ ସଚିବ ଆହୁରି ମଧ୍ୟ କହିଥିଲେ ଯେ ଭବିଷ୍ୟତର ସମ୍ଭାବ୍ୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ ଖୁବଶୀଘ୍ର ପ୍ରତିଷ୍ଠା କରାଯିବ । ଏଥିରେ ଆଇସିୟୁ ଏବଂ କୋଭିଡ ରୋଗୀମାନଙ୍କ ନିମନ୍ତେ ଅପରେସନ ଥିଏଟର ରହିବ । ଏହି ହସପିଟାଲ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ବର୍ତମାନ କାର୍ଯ୍ୟ କରୁଥିବା ଜ୍ୟୋତି କୋଭିଡ ହସପିଟାଲରେ ୪ଟି ନୂଆ ଆଇସିୟୁ ପ୍ରସ୍ତୁତ କରାଯିବ ଏବଂ ତୁରନ୍ତ ଆବଶ୍ୟକୀୟ ଷ୍ଟାଫ ଯୋଗାଇଦିଆଯିବ।କୋଭିଡ ନିରାକରଣ ଅଭିଯାନକୁ ଆହୁରି ସୁଦୃଢ କରିବା ପାଇଁ ‘ଜନସମ୍ପର୍କ ଅଭିଯାନ’ ଆରମ୍ଭ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅଭିଯାନ ମାଧ୍ୟମରେ ସମ୍ବେଦନଶୀଳ ବ୍ୟକ୍ତି ଯେପରିକି ବୃଦ୍ଧ, ବୟସ୍କ, ଗର୍ଭବତୀ ମହିଳାମାନଙ୍କ ସମେତ କୋ-ମର୍ବିଡିଟି( ଅନ୍ୟ ରୋଗରେ ଆକ୍ରାନ୍ତ) ଥିବା ଲୋକମାନଙ୍କୁ ଚିହ୍ନଟ କରାଯିବ । ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର କୋଭିଡ୍ କଲ୍ ସେଂଟର ବ୍ୟବସ୍ଥାର କାର୍ଯ୍ୟକାରିତାକୁ ନେଇ ମୁଖ୍ୟ ଶାସନ ସଚିବ ସନ୍ତୋଷ ପ୍ରକାଶ କରିଥିଲେ । ଏହି କଲ ସେଂଟର ମାଧ୍ୟମରେ ‘ହୋମ-ଅ।।ଇସୋଲେସନ’ରେ ଥିବା ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିବା ସହ ସେମାନଙ୍କୁ ଚିକିତ୍ସା ସମ୍ବନ୍ଧିତ ପରାମର୍ଶ ଦେବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ । ଜନସାଧାରଣଙ୍କୁ ଫୋନ ମାଧ୍ୟମରେ ସେମାନଙ୍କର ହୋଇଥିବା କୋଭିଡ ପରୀକ୍ଷାର ଫଳାଫଳ ବିଷୟରେ ଜଣାଇଦେବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ । ବିଶେଷ କରି ରାତ୍ରିକାଳୀନ ଆମ୍ବୁଲାନ୍ସର ବ୍ୟବସ୍ଥା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ବ୍ୟକ୍ତିଗତ ସ୍ୱଚ୍ଛତା ଆଦି ନିର୍ଦ୍ଦେଶକୁ କଡାକଡି ଲାଗୁ କରିବା ପାଇଁ ମୁଖ୍ୟ ଶାସନ ସଚିବ ଜିଲ୍ଲା ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇ ଖିଲାପକାରୀଙ୍କ ବିରୁଦ୍ଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଥିଲେ । ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଗଣମାଧ୍ୟମ ଜରିଆରେ ଲୋକମାନଙ୍କୁ ସୂଚନା ପ୍ରଦାନ ସହିତ ସେମାନଙ୍କୁ ସଚେତନ କରାଇବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ।ଏହି ଗସ୍ତ ସମୟରେ ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ସୁଧାଂଶୁ ଶେଖର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ନାୟକ, ଉପଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ, ସିଡିଏମଓ ଡା ଦୁଲାଳ ସେନ ଜଗଦ୍ଦେବ, ଫକୀରମୋହନ ମେଡିକାଲ କଲେଜ ଡିନ୍ ତଥା ଅଧ୍ୟକ୍ଷ ପ୍ରଫେସର (ଡା.) ରାମଚନ୍ଦ୍ର ଗିରି ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାରେ କୋଭିଡ ପରିଚାଳନା ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ