ବାଲେଶ୍ୱରରେ ବିଶ୍ୱ ରକ୍ତଦାତା ଦିବସ ଓ ଜିଲ୍ଲା ରକ୍ତଦାତା ସଂଘର ବାର୍ଷିକ ସମ୍ମିଳନୀ

ବାଲେଶ୍ୱର, ,(ଯୁଗାବ୍ଦ ନ୍ୟୁଜ୍): ବିଶ୍ୱ ରକ୍ତଦାତା ଦିବସ ଅବସରରେ ବାଲେଶ୍ୱର ଜିଲ୍ଲା ରକ୍ତଦାତା ସଂଘର ବାର୍ଷିକ ସମ୍ମିଳନୀ ଶୁକ୍ରବାର ଦିନ ସ୍ଥାନୀୟ ଆତିଥ୍ୟ ଭବନରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି କମଲ ଚକ୍ରବର୍ତ୍ତୀ ସମ୍ମିଳନୀର ସାଧାରଣ ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଅତିଥିଭାବେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଓ ସମ୍ମାନିତ ଅତିଥିଭାବେ ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ, ନିଦାନ ବିଶେଷଜ୍ଞ ଡା. ମହେଶ କୁମାର ବିଶ୍ୱାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଦୁଲାଲ ଚନ୍ଦ୍ର ଜଗଦେବ ଏବଂ ଜିଲ୍ଲା ରକ୍ତ ଭଣ୍ଡାର ଅଧିକାରୀ ଡା. ବସନ୍ତ କୁମାର ଉପାଧ୍ୟାୟ ଯୋଗଦେଇ ସ୍ୱେଚ୍ଛାକୃତ ରକ୍ତଦାନ ଉପରେ ଗୁରୁତ୍ୱାରୋପ କରିଥିଲେ । ରକ୍ତର ବିଭାଗୀକରଣ କରିଥିବା ବୈଜ୍ଞାନିକ ଡାକ୍ତର କାର୍ଲ ଲ୍ୟାଣ୍ଡ୍ଷ୍ଟିନର୍ଙ୍କ ଜନ୍ମଦିନକୁ ପ୍ରତିବର୍ଷ ଜୁନ୍ ୧୪ ତାରିଖରେ ସମଗ୍ର ବିଶ୍ୱରେ ରକ୍ତଦାତା ଦିବସ ଭାବେ ପାଳିତ ହୋଇଆସୁଛି । ଅଦ୍ୟାବଧି ମାନବ ରକ୍ତର ବିକଳ୍ପ ଉଦ୍ଭାବନ ହୋଇପାରିନାହିଁ । ତେଣୁ ଜଣେ ସୁସ୍ଥ ଲୋକର ରକ୍ତଦାନରେ ଅନ୍ୟଜଣଙ୍କର ମୂଲ୍ୟବାନ ଜୀବନ ରକ୍ଷା ହୋଇପାରୁଛି । କେବଳ ସମଗ୍ର ମାନବ ଜାତିକୁ ରକ୍ତଦାନ ଏକତାସୂତ୍ରରେ ବାନ୍ଧି ରଖିପାରିବ । ଜାତି, ବର୍ଣ୍ଣ,ଧର୍ମ, ସଂପ୍ରଦାୟ ଓ ଦେଶ, ବିଦେଶ, ବିଭିନ୍ନତା ମଧ୍ୟରେ ଜଣଙ୍କର ରକ୍ତହିଁ ଅନ୍ୟଜଣଙ୍କୁ ଜୀବନ ଦାନ କରିପାରୁଛି । ତେଣୁ ବାଲେଶ୍ୱର ରକ୍ତଦାତା ସଂଘର ଉଦ୍ୟମକୁ ଅତିଥିମାନେ ଭୂୟସୀ ପ୍ରଶଂସା କରିଥିଲେ । ବାଲେଶ୍ୱରରେ ସରକାରୀ ମେଡିକାଲ କଲେଜ୍ କାର୍ଯ୍ୟକ୍ଷମ ହେବାପରେ ରକ୍ତର ଚାହିଦା ବୃଦ୍ଧିପାଇଛି । ତେଣୁ ରକ୍ତଦାନ ପାଇଁ ଅଧିକ ସଚେତନତା ସୃଷ୍ଟି କରିବା ଉପରେ ଅତିଥି ଓ ବକ୍ତାମାନେ ଗୁରୁତ୍ୱ ଦେଇଥିଲେ । ସଂଘର ସାଧାରଣ ସଂପାଦକ ଇଂ. ଡଃ. ହୃଷିକେଶ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ବାଲେଶ୍ୱର ଜିଲ୍ଲାର ଚିକିତ୍ସାଳୟମାନଙ୍କରେ ଆବଶ୍ୟକ ହେଉଥିବା ରକ୍ତର ଶତକଡ଼ା ୯୦-୯୫ ଭାଗ ରକ୍ତ ସ୍ୱେଚ୍ଛାକୃତ ରକ୍ତଦାତାଙ୍କଠାରୁ ସଂଗ୍ରହ କରାଯାଇପାରୁଛି । ଜିଲ୍ଲାର ପ୍ରାୟ ୩୦୦ଟି ରକ୍ତଦାନ ଶିବିର ପ୍ରତିବର୍ଷ ବିଭିନ୍ନ ସଂଗଠନ ତରଫରୁ କରାଯାଉଛି । ତଥାପି ରକ୍ତର ସଂପୂର୍ଣ୍ଣ ଆବଶ୍ୟକତା ପୂରଣ ହୋଇପାରୁନାହିଁ । ତେଣୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ନିୟମିତ ବ୍ୟବଧାନରେ କରାଯିବା ଜରୁରୀ ବୋଲି ସଂପାଦକ ଡଃ ସାହୁ ବାର୍ଷିକ ବିବରଣୀରେ ପ୍ରକାଶ କରିଥିଲେ । ବାଲେଶ୍ୱରରେ ରକ୍ତ ପୃଥକୀକରଣ ପ୍ରକ୍ରିୟା କାର୍ଯ୍ୟକାରୀ ହୋଇପାରିଲେ ଅଧିକଦିନ ରକ୍ତ ସଂରକ୍ଷଣ ହୋଇପାରନ୍ତା । ଏଥିପାଇଁ ନିର୍ବାଚିତ ଲୋକପ୍ରତିନିଧିମାନେ ଓ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେବାକୁ ଡଃ ସାହୁ ନିବେଦନ କରିଥିଲେ । ଏହି ସଭାରେ ଗତ ୨୦୧୮ ମସିହାରେ ସର୍ବାଧିକ ରକ୍ତ ସଂଗ୍ରହ ପାଇଁ ପ୍ରଥମ ପୁରସ୍କାର ଚାନ୍ଦିପୁର ଆଇ.ଟି.ଆର., ୨ୟ ପୁରସ୍କାର ଆଦିତ୍ୟ ନାରାୟଣ ସେନାପତି, ୩ୟ ପୁରସ୍କାର ଶ୍ରୀନିକ୍ସ ଇଂଜିନିୟରିଂ କଲେଜକୁ ପ୍ରଦାନ କରାଯାଇଥିଲା । ରକ୍ତସଂଗ୍ରହ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ‘÷ଆମ ଓଡ଼ିଶା’, ‘ଜୀବନବିନ୍ଦୁ’, ‘ସତ୍ୟସାଇ ସେବା ସଂଗଠନ’, ‘ଗଣତାନ୍ତ୍ରିକ ଯୁବ ଫେଡେରେସନ୍’ ଓ ରୁପ୍ସାର ‘ଓଡ଼ିଶା ରକ୍ତଦାତା ସଂଘ’ର ପ୍ରତିନିଧିମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ ଓ ସଂଗଠନର ବାର୍ଷିକ ମୁଖପତ୍ର ‘ସ୍ପନ୍ଦନ’କୁ ଉଦ୍ଘାଟନ କରିଥିଲେ । ସଂଘର ଅଫିସ୍ ସଂପାଦକ କୁମାର ଗୋପାଳ ମଞ୍ଚ ଆହ୍ୱାନ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଉପସଭାପତି ସୁକୁମାର ରଣା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଉତ୍ସବରେ ସଂଘର ଅନ୍ୟୁନ ୨୮୦ ପ୍ରତିନିଧି ଯୋଗ ଦେଇଥିଲେ । ବିଶ୍ୱ ରକ୍ତଦାତା ଦିବସ ଅବସରରେ ସଂଘ ତରଫରୁ ପୂର୍ବାହ୍ନରେ ରକ୍ତଭଣ୍ଡାର ପରିସରରେ ଶତାଧିକ ରକ୍ତଦାତା ରକ୍ତଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସେକ୍ ଜନତ୍ ହୁସେନ୍ , ରବି ରାଉତ, ବେଣୁଧର ପାଳ, ଜାମସେଦ୍ ଅଲି ଖାଁ, ଦୁକୁଲଚନ୍ଦ୍ର ଘଡ଼ାଇ, ବିଶ୍ୱଜିତ୍ ଘୋଷ, ଯଶୋଦା ନନ୍ଦନ ଆସ୍, ଗୌରାଙ୍ଗ ପଣ୍ଡା, ଶ୍ୟାମସୁନ୍ଦର ଜେନା, ଅଖିଳ ଦାସ, ରାକେଶ ଗିରି, ଗୌରାଙ୍ଗ ପାଣିଗ୍ରାହୀ, ରମେଶ ଚନ୍ଦ୍ର ଜେନା ଓ ନିରଞ୍ଜନ ପରିଡ଼ା ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ