ବାଲେଶ୍ୱରରେ ଭର୍ଚୁୁଆଲ ହାଇକୋର୍ଟ ଉଦଘାଟିତ
ବାଲେଶ୍ୱର, (ସରୋଜ ପଣ୍ଡା):ଓଡ଼ିଶା ହାଇକୋର୍ଟର ଭର୍ଚୁଆଲ ଶାଖା ଶୁକ୍ରବାର ବାଲେଶ୍ୱରରେ ଉଦଘାଟିତ ହୋଇଯାଇଛି । ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ ଆଭାସିରେ ଏହାକୁ ଉଦଘାଟନ କରିଥିଲେ । ଭାରତବର୍ଷରେ ପ୍ରଥମଥର ପାଇଁ ଉଚ୍ଚ ନ୍ୟାୟଳୟର ଭର୍ଚୁଆଲ କୋର୍ଟ ପ୍ରତିଷ୍ଠା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମୁଖ୍ୟ ବିଚାରପତି ଶ୍ରୀ ଚନ୍ଦ୍ରଚୂଡ଼ କହିଥିଲେ । ଏହି କୋର୍ଟ ମାଧ୍ୟମରେ ବିଚାର ପ୍ରକ୍ରିୟା ତ୍ୱରାନ୍ୱିତ ହେବା ସହ ଜନସାଧାରଣଙ୍କୁ ସ୍ୱଳ୍ପ ସମୟରେ ନ୍ୟାୟ ମିଳି ପାରିବ ବୋଲି ସେ ଆଶା ପ୍ରକାଶ କରିଥିଲେ । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ ମୁରଲିଧରଙ୍କ ଅଧ୍ୟକ୍ଷତାରେ ତଥା ଭର୍ଚୁଆଲ ପ୍ରକ୍ରିୟାରେ ଆୟୋଜିତ ଏହି ଉଦଘାଟନୀ ଉତ୍ସବରେ ହାଇକୋର୍ଟର ବିଚାରପତି ବିଶ୍ୱନାଥ ରଥ ଉପସ୍ଥିତ ଥିଲେ । ସେହିଭଳି ଜିଲା ଓ ଦୌରାଜଜଙ୍କ କୋର୍ଟ କାର୍ଯ୍ୟାଳୟ ପରିସରରେ ଆୟୋଜିତଏହି ଆଭାସି ହାଇକୋର୍ଟ ଉଦଘାଟନ ବେଳେ ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ, ଜିଲା ଓ ଦୌରାଜଜ ଅଶାନ୍ତ କୁମାର ଦାସଙ୍କ ସମେତ ବାଲେଶ୍ୱରର ଅନ୍ୟାନ୍ୟ କୋର୍ଟର ଜଜ ଓ ବହୁ ଆଇନଜୀବୀ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକୁ ରେଜିଷ୍ଟ୍ରାର ରଂଜନ କୁମାର ପ୍ରଧାନ ଓ କୋର୍ଟ ମ୍ୟାନେଜର ପ୍ରିୟଙ୍କା ମିଶ୍ର ପରିଚାଳନା କରିଥିଲେ ।


