ବାଲେଶ୍ୱରରେ ମତ୍ସ୍ୟ ଚାଷ ସଂପର୍କିତ ଜାତୀୟ କର୍ମଶାଳା ନିମନ୍ତେ ପ୍ରସ୍ତୁତି
ବାଲେଶ୍ୱର- ବାଲେଶ୍ୱରରେ ଆୟୋଜିତ ହେବ ମତ୍ସ୍ୟ ଚାଷ ସଂପର୍କିତ ଜାତୀୟ କର୍ମଶାଳା । ଏ ନେଇ ଗୁରୁବାର ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମାନ୍ୟବର କେନ୍ଦ୍ର ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ପ୍ରାଣୀଧନ, ଦୁଗ୍ଧ ଉତ୍ପାଦନ ଏବଂ ମତ୍ସ୍ୟ ସମ୍ପଦ ବିଭାଗ ରାଷ୍ଟ୍ର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଯୋଗ ଦେଇ ଏହି ଜାତୀୟ କର୍ମଶାଳାର ରୂପରେଖ ସଂପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଆସନ୍ତା ଫେବୃୟାରୀ ୨୭ ଏବଂ ୨୮ ତାରିଖରେ ନୋସି ବିଜନେସ ପାର୍କ ପରିସରରେ ଏହି କର୍ମଶାଳାର ଆୟୋଜନ କରାଯିବା ନିମନ୍ତେ ବୈଠକରେ ନିଷ୍ପତି ହୋଇଛି । ଏହି ଦୁଇଦିନିଆ କର୍ମଶାଳାରେ ରାଜ୍ୟ ତଥା ରାଜ୍ୟ ବାହାରର ୩ହଜାରରୁ ଉର୍ଦ୍ଧ୍ୱ ମତ୍ସ୍ୟ ଚାଷୀଙ୍କ ସମେତ ବହୁ ବୈଜ୍ଞାନିକ,ବିଶେଷଜ୍ଞ ଓ ଅଧିକାରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମତ୍ସ୍ୟ ଚାଷ ସଂପର୍କିତ ଉନ୍ନତ ଜ୍ଞାନକୌଶଳ ଓ ଏବଂ ଅଳ୍ପ ଜମିରୁ କିପରି ଅଧିକ ଆୟ କରାଯାଇପାରିବ ସେ ସଂପର୍କରେ ଚାଷୀଙ୍କୁ ଅବଗତ କରିବା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ହୋଇଥିବା ବେଳେ ଏହାର ଆୟୋଜନ ଓ ସୁପରିଚାଳନା ନିମନ୍ତେ ବିଭିନ୍ନ ଟିମ ଗଠନ କରାଯାଇ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି । ଉଭୟ ମଧୁର ଜଳ ଏବଂ ଲୁଣି ଜଳରେ ଉନ୍ନତ ପ୍ରଣାଳୀରେ କିଭଳି ମାଛ ଚାଷ କରାଯାଇପାରିବ ସେ ବାବଦରେ ବିଶେଷଜ୍ଞମାନେ ଏହି ଦୁଇଦିନିଆ କର୍ମଶାଳାରେ ବିସ୍ତୃତ ସୂଚନା ପ୍ରଦାନ କରିବେ । ସେହିଭଳି ମତ୍ସ୍ୟ ଚାଷୀମାନଙ୍କୁ ଏହି ଅବସରରେ କିଶାନ କ୍ରେଡିଟ୍ କାର୍ଡ ପ୍ରଦାନ ନିମନ୍ତେ ଗୃହରେ ପ୍ରସ୍ତାବ ଦିଆଯାଇଥିଲା । ବାଲେଶ୍ୱର ଭଳି ଉପକୂଳବର୍ତୀ ଜିଲ୍ଲାରେ ମତ୍ସ୍ୟ ଚାଷ ନିମନ୍ତେ ଅମାପ ସୁଯୋଗ ରହିଛି ଏବଂ ଏହା ଦ୍ୱାରା ଜିଲ୍ଲାର ଆର୍ଥିକ ପ୍ରଗତି ହୋଇପାରିବ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ଷଡଙ୍ଗୀ ପ୍ରକାଶ କରିଥିଲେ । କର୍ମଶାଳା ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି ଲାଗି ମାନ୍ୟବର ମନ୍ତ୍ରୀ ଜୋର୍ ଦେଇଥିଲେ । ଏତଦ ଭିନ୍ନ କର୍ମଶାଳାରେ ଚାଷୀଙ୍କ ପଞ୍ଜୀକରଣ, ଅତିଥିଙ୍କ ଅଭ୍ୟର୍ଥନା ଓ ରହିବା ବ୍ୟବସ୍ଥା, ମଂଚ ପରିଚାଳନା, ଷ୍ଟଲ ପ୍ରସ୍ତୁତି, ସଫଳ ଚାଷୀମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯିବା, ଚାଷୀମାନଙ୍କ ପାଇଁ ଋଣ ଓ ବଜାର ସୁଯୋଗର ସୃଷ୍ଟି ସଂପର୍କରେ ଏହି ବୈଠକରେ ଆଲୋଚନା କରାଯାଇଥିଲା । ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ନାୟକ ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ଭାରତ ସରକାରଙ୍କ ମତ୍ସ୍ୟ ବିଭାଗର ଯୁଗ୍ମ ସଚିବ ଶ୍ରୀ ସାଗର ମେହେରା, ଏସଟିଏ ଶ୍ରୀ ଗୁଣମୟ ପାତ୍ର, ଏନ.ଏଫ.ଡି.ବି, ହାଇଦ୍ରାବାଦର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଏ.ବି.ପ୍ରକାଶ, ବରିଷ୍ଠ ଅଧିକାରୀ ଶ୍ରୀ ମାନସ କୁମାର ସିହ୍ନା, ରାଜ୍ୟ ସରକାରଙ୍କ ଅତିରିକ୍ତ ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ଉମେଶ ମହାନ୍ତି, ଡିଡିଏଫ ଶ୍ରୀ ରବିନାରାୟଣ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


