ବାଲେଶ୍ୱରରେ ଶାନ୍ତି ଶୃଙ୍ଖଳରେ ଭସାଣିଯାତ୍ରା ସମ୍ପନ୍ନ ଭାସାଣି ଯାତ୍ରାରେ କମ୍ପିଲା ସିନେମା ବଜାର
ବାଲେଶ୍ୱର, (ସରୋଜ ପଣ୍ଡା):ଭକ୍ତଙ୍କ ଗହଣରେ ୫ ଦିନର ରହଣି ପରେ ଧରାପୃଷ୍ଠରୁ ମେଲାଣି ନେଇଛନ୍ତି ଦୁର୍ଗତି ନାଶିନୀ ମାଆ ଦୁର୍ଗା । ପାର୍ବଣର ଶେଷ ପର୍ବ ଭାବେ ସବୁଠି ଚାଲିଛି ମାଆଙ୍କ ବିସର୍ଜନ ଓ ଆୟୋଜିତ ହୋଇଛି ଭସାଣି ଶୋଭାଯାତ୍ରା । ଚଳିତ ବର୍ଷ ବାଲେଶ୍ୱର ସହର ଓ ସହର ଉପକଣ୍ଠ ଗ୍ରାମାଞ୍ଚଳରେ ପୂଜା ପାଇଥିବା ମୋଟ ୮୫ରୁ ଊର୍ଦ୍ଧ୍ୱ ମଣ୍ଡପରେ ମାଆଙ୍କ ମୃଣ୍ମୟ ମୂର୍ତ୍ତିକୁ ଉଭୟ ବାଲିଘାଟ ଓ ନୁଣିଆଯୋଡ଼ିରେ ବିସର୍ଜନ କରାଯାଇଥିଲା । ଦଶମୀ ଦିନ ସନ୍ଧ୍ୟା ସୁଦ୍ଧା ୮ଟି ଘରୋଇ ମେଢ ସହ ୨ଟି ସାର୍ବଜନୀନ ମେଢ ଭସାଣ ଶେଷ ହୋଇଥିବା ବେଳେ ବାକି ସମସ୍ତ ମଣ୍ଡପର ଦେବୀଙ୍କ ମୃଣ୍ମୟ ମୂର୍ତ୍ତିକୁ ଏକାଦ୍ୱଶୀରେ ବିସର୍ଜନ କରାଯାଇଛି । ଗୁରୁବାର ସକାଳ ୯ଟାରୁ ଦେବୀଙ୍କ ମେଢ଼ ଭସାଣି ଶୋଭାଯାତ୍ରା ଆରମ୍ଭ ହୋଇ ରାତ୍ରିର ଶେଷ ପ୍ରହର ପର୍ଯ୍ୟନ୍ତ ଚାଲିଥିଲା । ଏନେଇ ପ୍ରଶାସନ ପକ୍ଷରୁ ଫକୀର ମୋହନ ଗୋଲେଇ ଓ ସିନେମାଛକରେ ଦୁଇଗୋଟି ଅସ୍ଥାୟୀ କ୍ୟାମ୍ପ ସ୍ଥାପନ ସହ ଭସାଣି ଶୋଭାଯାତ୍ରାକୁ ପରିଚାଳନା କରାଯାଇଥିଲା । ଡାକ୍ତରଖାନା ରୋଡ଼, କଲେଜ ରୋଡ଼୍ ଓ ଟାଉନହଲ ରୋଡ଼୍ ଦେଇ ଆସୁଥିବା ମେଢ଼-ଶୋଭାଯାତ୍ରକୁ କ୍ରମାନ୍ୱୟରେ ବାଲିଘାଟ ଅଭିମୁଖେ ଯିବାକୁ ଦିଆଯାଇଥିଲା ।ଏକାଦଶୀ ଭସାଣ ଯାତ୍ରାରେ ନୁଣିଆଯୋଡ଼ିରେ ୩୯ଟି ମେଢ଼ ଓ ବାଲିଘାଟ ଠାରେ ମୋଟ ୪୬ଟି ମେଢ ବିସର୍ଜିତ ହୋଇଥିଲା । ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ, ଏସପି ସୁଧାଂଶୁ ଶେଖର ମିଶ୍ର, ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଓ ଭବେଶ କୁମାର ନାୟକ, ବାଲେଶ୍ୱର ଉପ-ଜିଲାପାଳ କିଶୋର ସ୍ୱାଇଁଙ୍କ ସମେତ ବିଭାଗର ଅଧିକାରୀ ଓ ନିର୍ବାଚିତ ଲୋକ ପ୍ରତିନିଧିମାନେ ସିନେମାଛକରେ ଉପସ୍ଥିତ ରହି ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏଡିସନାଲ ଏସପି, ଡିଏସପିଙ୍କ ସମେତ ବିଭିନ୍ନ ଥାନାର ଅଧିକାରୀମାନେ ଉପସ୍ଥିତ ରହି ଭସାଣି ଶୋଭାଯାତ୍ରାକୁ ପରିଚାଳନା କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ କ୍ୟାମ୍ପରେ ସାମ୍ବାଦିକ ଦେବବ୍ରତ ପାଣିଗ୍ରାହୀ ଘୋଷକ ଭାବେ ଦାୟିତ୍ୱ ତୁଲାଇଥିଲେ । ସମସ୍ତ ମେଢ଼ ଓ ଶୋଭାଯାତ୍ରା ଯିବା ପରେ ଶେଷରେ ସିନେମାଛକ ସ୍ଥିତ ମେଢ଼ ବିସର୍ଜନ ପାଇଁ ନିଆଯାଇଥିଲା । ଗୋଟିଏ ସ୍ଥାନରେ ଏକାଧିକ ମେଢ଼ ଦେଖିବା ପାଇଁ ବାଲେଶ୍ୱର ସହର ସମେତ ଜିଲାର ବିଭିନ୍ନ ଅଞ୍ଚଳରୁ ଲୋକେ ସିନେମାଛକରେ ଭିଡ଼ ଲଗାଇଥିଲେ । ଅନୁରୂପ ଭାବେ ପ୍ରତିବର୍ଷ ଭଳି ଚଳିତ ଦଶହରାରେ ସିନେମାଛକରେ ୨୫ରୁ ଊର୍ଦ୍ଧ୍ୱ ଦଳଙ୍କ ଆଖଡ଼ା ଖେଳ ପ୍ରଦର୍ଶନ ମଧ୍ୟ ବେଶ୍ ଉପଭୋଗ୍ୟ ଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଖେଳ ଚାଲିଥିଲା । ପାର୍ବଣର ବିଶେଷତା ଭାବେ ଦୀର୍ଘଦିନ ଧରି ଚାଲିଆସିଥିବା ବାଲେଶ୍ୱରରେ ପାଇକ ଆଖଡ଼ା ପ୍ରଦର୍ଶନ ପରମ୍ପରାକୁ ଉପଭୋଗ କରିବା ପାଇଁ ପ୍ରତିବର୍ଷ ଉତ୍ସୁକତାର ସହ ଅପେକ୍ଷା କରିଥିଲେ । ଏହି ଖେଳକୁ ଦେଖିବା ପାଇଁ ସହର ସମେତ ଜିଲାର ବିଭିନ୍ନ ଅଞ୍ଚଳରୁ ଲୋକେ ସିନେମାଛକରେ ରୁଣ୍ଡ ହୋଇଥିଲେ । ଜନଗହଳି ନିୟନ୍ତ୍ରଣ ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପ୍ରଶାସନ ଓ ପୁଲିସର ପଦସ୍ଥ ଅଧିକାରୀମାନେ ସିନେମାଛକରେ ଉପସ୍ଥିତ ରହି ପରିସ୍ଥିତିକୁ ଅନୁଧ୍ୟାନ କରିଥିଲେ । ତେବେ ଚଳିତବର୍ଷ ଦୁର୍ଗାପୂଜା ଓ ଭସାଣି ଉତ୍ସବ ବେଶ୍ ଶାନ୍ତି ଶୃଙ୍ଖଳାର ସହ ଉଦ୍ଯାପିତ ହୋଇଥିଲେ ବି ଶବ୍ଦ ପ୍ରଦୂଷଣକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପରିଲକ୍ଷିତ ହୋଇଥିଲା । ଉଚ୍ଚ ଶବ୍ଦଯୁକ୍ତ ଡିଜେ ସାଉଣ୍ଡ ବ୍ୟବହାର ଉପରେ କଟକଣା କରାଯାଇଥିଲେ ବି କେତେକ ପୂଜା କମିଟି ପ୍ରଶାସନର ଏହି ନିର୍ଦ୍ଦେଶକୁ ଉଲ୍ଲଂଘନ କରିଥିବା ଦେଖିବାକୁ ମିଳିଥିଲା ।


