ବାଲେଶ୍ୱରରେ ସାନ୍ତାଳୀ ଭାଷା ବିଜୟ ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା) : ୯୨ତମ ସମ୍ବିଧାନ ସଂଶୋଧନ ଆଇନର ସାନ୍ତାଳୀ ଭାଷା ସହ ଅଲିଚିକି ଲିପିକୁ ୨୦୦୩ ମସିହା ଡିସେମ୍ବର ୨୨ ତାରିଖରେ ସରକାରୀ ସ୍ୱୀକୃତି ମିଳିଥିବା ବେଳେ ସେହି ଦିବସକୁ ସ୍ମରଣୀୟ ରଖିବା ପାଇଁ ବାଲେଶ୍ୱରର ଆଦିବାସୀ ଛାତ୍ର ସଂଘ ପକ୍ଷରୁ ୧୯ତମ ସାନ୍ତାଳୀ ଭାଷା ବିଜୟ ଦିବସ ବୁଧବାର ପାଳିତ ହୋଇଯାଇଛି । ସ୍ଥାନୀୟ ଟାଉନହଲ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସଦର ବିଧାୟକ ସ୍ୱରୂପ କୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଭାଷା ସାହିତ୍ୟର ସମୃଦ୍ଧିରେ ଗୋଟିଏ ଜାତିର ସାମଗ୍ରିକ ବିକାଶ ହୋଇଥାଏ ବୋଲି ମତପ୍ରକାଶ କରିଥିଲେ । ସାମ୍ପ୍ରତିକ ଅଧୁନିକତାର ଚାକଚକ୍ୟ ସତ୍ତ୍ୱେ ଦେଶର ମୂଳ ଅଧିବାସୀ ଭାବେ ପରିଚିତ ଆଦିବାସୀଙ୍କ ଭାଷା, ସଂସ୍କୃତି ଓ ପରମ୍ପରାର ମୌଳିକାତା ନଷ୍ଟ ହୋଇନାହିଁ । ଏହି ଭଳି ସ୍ଥିତିରେ ଆଦିବାସୀଙ୍କ ଭାଷାର ସୁରକ୍ଷା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଥିବା ବିଧାୟକ ଶ୍ରୀ ଦାସ ପ୍ରକାଶ କରିଥିଲେ । ସର୍ବଭାରତୀୟ ଆଦିବାସୀ ଲେଖକ ସଂଘ ରାଜ୍ୟ ଶାଖା ସମ୍ପାଦକ ଅର୍ଜୁନ ମାରାଣ୍ଡି ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସାନ୍ତାଳୀ ଭାଷାକୁ ସମ୍ବିଧାନରେ ସାମିଲ ପାଇଁ ସଂଗଠିତ ଦୀର୍ଘ ଦିନର ଆନ୍ଦୋଳନ ସମ୍ପର୍କରେ ଆଲୋଚନା କରିଥିଲେ । ଓଡିଶାର ଜନସଂଖ୍ୟାର ମାତ୍ର ୨ ପ୍ରତିଶତ ଲୋକେ ସାନ୍ତାଳୀ ଭାଷା ବ୍ୟବହାର କରୁଥିବା ବେଳେ ଏହାର ସଂରକ୍ଷଣ ଏକାନ୍ତ ଆବଶ୍ୟକ ବୋଲି ସେ ମତପ୍ରକାଶ କରିଥିଲେ । ଏନେଇ ବିଦ୍ୟାଳୟଠାରୁ ବିଶ୍ୱବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ସ୍ୱତନ୍ତ୍ର ପାଠ୍ୟକ୍ରମ ଆରମ୍ଭ ପାଇଁ ସେ ଦାବି ଜଣାଇଥିଲେ । ବାଲେଶ୍ୱରର ସହକାରୀ ଅଗ୍ନିଶମ ଅଧିକାରୀ ପୋରେନ ସୋରେନ ଓ ବାହାନଗା ବ୍ଲକର ଅତିରିକ୍ତ ଶିକ୍ଷାଧିକାରୀ ରୁହିଆ ମୁର୍ମୁ ଏଥିରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ସାନ୍ତାଳୀ ଭାବେ ପ୍ରଚାର ପ୍ରସାର ପାଇଁ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ବାଲେଶ୍ୱର ଆଦିବାସୀ ଛାତ୍ର ସଂଘର ସଭାପତି ପ୍ରବୀର ମାରାଣ୍ଡିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଶଙ୍କରନାଥ ଟୁଡୁ ସ୍ୱାଗତ ଭାଷଣ ରଖିଥିବା ବେଳେ ଦୁଲାରୀ ହେମରମ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ବିଜୟ ହେମ୍ବ୍ରମ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । କାର୍ଯ୍ୟକାରୀ ସଭାପତି ଯମୁନା ମାଝୀ, ଉପ-ସଭାପତି ଗଣେଶ ଚନ୍ଦ୍ର ସୋରେନ, ସମ୍ପାଦକ ସନତ ମାଝୀ, ସହ-ସମ୍ପାଦକ ଦୀପକ କୁମାର ଟୁଡୁ ପ୍ରମୁଖଙ୍କ ସମେତ ଦୀପା ମାଝୀ, ଫୁଲ ସୋରେନ, ସଞ୍ଜୟ ମାଝୀ, ଦୀପକ ହାଁସଦା, ଗୋବିନ୍ଦ ମାରାଣ୍ଡି, ଗୌତମ ସିଂ, ସୁମିତ୍ରା ହେମରମ, ପ୍ରିୟଙ୍କା ସୋରେନ, ପରମାନନ୍ଦ ମାଝୀ, ବିକାଶ ମାଝୀ, ସାହିଲ ହେମରମ, ନିବେଦିତା ମୁର୍ମୁ, ପୂର୍ଣ୍ଣମା ସୋରେନ ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।