ବାଲେଶ୍ୱରରେ ହର୍ଷ ଉଲାସରେ ଇଦ-ଉଲ-ଫିତର
ବାଲେଶ୍ୱର, (ସରୋଜ ପଣ୍ଡା) :-ଦୀର୍ଘ ଦୁଇ ବର୍ଷର କୋଭିଡ କଟକଣା ପରେ ବାଲେଶ୍ୱରର ମୁସଲମାନ ସମ୍ପ୍ରଦାୟଙ୍କ ପକ୍ଷରୁ ତ୍ୟାଗ ଓ ବଳିଦାନର ପର୍ବ ‘ଇଦ-ଉଲ ଫିତର’ ବେଶ ହର୍ଷ ଉଲ୍ଲାସରେ ମଙ୍ଗଳବାର ପାଳିତ ହୋଇଯାଇଛି । ଇସଲାମ ଧର୍ମାବଲମ୍ବୀଙ୍କ ଏକମାସର ଉପବାସ (ରୋଜା) ବ୍ରତ ଆଜି ଶେଷ ହୋଇଛି । ଏନଇ ସହରର ଦରଘା ମୈଦାନରେ ସକାଳୁ ମୁସଲମାନ ଭାଇମାନେ ସମୂହ ନମାଜ ପାଠ କରିବା ସହିତ ପରସ୍ପରକୁ ଇଦ୍ ମୁବାରକ ଜଣାଇଥିଲେ । ଏଥି ସହିତ ବିଭିନ୍ନ ମସଜିଦରେ ସାମୂହିକ ନମାଜପାଠ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ସହରର ଦରଘା ମୈଦାନ ସମେତ ଖ୍ୱାଜାବାଦ, ବାଲୁବଜାର, ପଠାନ୍ ମହଲା, ସୁନହଟ, ଖଲାସୀ ମହଲା, କାଦ୍ରି ମହଲା, ମଛୁଆସାହି, କସବା ମହଲା, ମାଣିଖମ୍ବ, ସୁଏଲପୁର, ମୋତିଗଞ୍ଜ, କଚେରିବଜାର, ଖପରାପଦା, ଅରଡ଼ବଜାର ଓ ସହର ଉପକଣ୍ଠ ବାଲିଆ, କଣ୍ଟାବଣିଆ, ସୋମନାଥପୁର, ଚଷାଖଣ୍ଡ ପ୍ରଭୃତି ଅଞ୍ଚଳର ମସଜିଦ୍ଗୁଡ଼ିକରେ ମଧ୍ୟ ସାମୂହିକ ନମାଜ ପାଠ କରାଯାଇଥିଲା । ଦରଘା ମଇଦାନରେ ଆୟୋଜିତ ସାମୂହିକ ନମାଜ କାର୍ଯ୍ୟକ୍ରମରେ ସଦର ବିଧାୟକ ସ୍ୱରୁପ କୁମାର ଦାସ ପହଞ୍ଚି ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ଇଦ ଶୁଭେଚ୍ଛା ଜଣାଇଥିଲେ । ପରମ୍ପରା ଅନୁଯାୟୀ ଏହିଦିନ ମୁସଲମାନ ଭାଇମାନେ ସାଧ୍ୟମତେ ଅନ୍ୟକୁ ଦାନ କରିଥିଲେ । ଏହି ଅବସରରେ ସହରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଜିଲା ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।