ବାଲେଶ୍ୱରର ବିଭିନ୍ନ ସ୍ଥାନରେ ବାହୁଡ଼ା ଯାତ୍ରା

ବାଲେଶ୍ୱର, (ସରୋଜ ପଣ୍ଡା) :-ମାଉସୀଘରେ ୯ଦିନର ଲୀଳାଖେଳା ପରେ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ସୁଦର୍ଶନଙ୍କ ସହ ଶନିବାର ବଡ଼ଦେଉଳକୁ ବାହୁଡ଼ିଛନ୍ତି ବହାପ୍ରଭୁ ଶ୍ରୀଜଗନ୍ନାଥ । ଶ୍ରୀକ୍ଷେତ୍ର ବଡ଼ଦାଣ୍ଡ ଭଳି ସହର ସମେତ ବାଲେଶ୍ୱର ଜିଲାରେ ଶ୍ରଦ୍ଧା ଓ ଭକ୍ତିର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜିଲାର ବିଭିନ୍ନ ସ୍ଥାନରେ ରଥାରୁଢ଼ ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହିତ ଭକ୍ତମାନେ ରଥକୁ ମନ୍ଦିର ପର୍ଯ୍ୟନ୍ତ ଟାଣି ଟାଣି ନେଉଥିବା ଲକ୍ଷ୍ୟ କରାଯାଇଛି । ବାଲେଶ୍ୱର ସହରର ସିନେମାଛକ ସ୍ଥିତ ମାଉସୀମା’ ମନ୍ଦିରରୁ ବିଶେଷ ନୀତିପୂଜା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଧାଡ଼ି ପହଣ୍ଡି ବିଜେ ଅନୁଷ୍ଠିତ ହୋଇଥିଲା । ପରେ ଭକ୍ତମାନେ ଅତ୍ୟନ୍ତ ଆନନ୍ଦର ସହ ରଥକୁ ଟାଣି ନେଇଥିଲେ ବାଣ୍ଠିଆ ଶ୍ରୀଜଗନ୍ନାଥ ମନ୍ଦିର ଅଭିମୁଖେ । ସହରର ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଯୋଗଦେଇ ରଥାଋଢ଼଼ ଦିଅଁଙ୍କୁ ଦର୍ଶନ ସହିତ ରଥ ଟଣାରେ ସକ୍ରିୟ ସହଯୋଗ କରିଥିଲେ । ଆନ୍ତର୍ଜାତିକ କୃଷ୍ଣ ଦର୍ଶନ ଗବେଷଣାତ୍ମକ ଆଧ୍ୟାତ୍ମିକ ଅନୁଷ୍ଠାନ ‘ଇସ୍କନ’ର ବହୁ ସଦସ୍ୟ ଏଥିରେ ଯୋଗଦେଇ ଭଜନ କୀର୍ତ୍ତନ କରିଥିଲେ । ଘଣ୍ଟଘଣ୍ଟା, ଭଜନ କୀର୍ତ୍ତନ ସାଙ୍ଗକୁ ଭକ୍ତଙ୍କ ଜୟ ଜଗନ୍ନାଥ ଓ ହରିବୋଲ ଧ୍ୱନିରେ ବାଲେଶ୍ୱର ସହରରେ ଏକ ଭାବାବେଗ ପରିବେଶ୍ ଅନୁଭୁତ ହୋଇଥିଲା । ଲଘୁଚାପ ଜନିତ ବର୍ଷା ସତ୍ତ୍ୱେ ଶହ ଶହ ଭକ୍ତ ଆନନ୍ଦ ଉଲାସର ସହ ରଥଟଣାରେ ସାମିଲ ହୋଇଥିଲେ । ସହର ସମେତ ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ଏଥିରେ ଯୋଗଦେଇ ଶ୍ରୀ ଜୀଉମାନଙ୍କୁ ଦର୍ଶନ କରିବା ସହ ରଥ ଟାଣିଥିଲେ । ଅନୁରୂପ ଭାବେ ବାଲେଶ୍ୱର ସହର ଉପକଣ୍ଠ ବାଲିଆ ବୃନ୍ଦାବନ ଶାସନ ଶ୍ରୀଜଗନ୍ନାଥ ମନ୍ଦିର, ଆଜିମାବାଦ ଜଗନ୍ନାଥ ମନ୍ଦିର, ପୁଲିସଲାଇନ ଜଗନ୍ନାଥ ମନ୍ଦିର, ଝାଡ଼େଶ୍ୱର ଜଗନ୍ନାଥ ମନ୍ଦିର, ସୁଏଲପୁର ଜଗନ୍ନାଥ ମନ୍ଦିର, ମଣ୍ଡଳବଜାର ଜଗନ୍ନାଥ ମନ୍ଦିର ସମେତ ସହରର ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କର ପବିତ୍ର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ