ବାଲେଶ୍ୱର କ୍ଲବ ପରିସରରେ ନୂତନ କଲ୍ୟାଣମଣ୍ଡପ ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱରର ଅଗ୍ରଣୀ ମନୋରଞ୍ଜନ ସଂଗଠନ ବାଲେଶ୍ୱର କ୍ଲବ ପକ୍ଷରୁ ଏକ ନୂତନ କଲ୍ୟାଣ ମଣ୍ଡପ ତାମୁଳିଆ ସ୍ଥିତ କ୍ଲବ ପରିସରରେ ଉଦଘାଟିତ ହୋଇଯାଇଛି । ସଦର ବିଧାୟକ ସ୍ୱରୂପ କୁମାର ଦାସ ଏହି କଲ୍ୟାଣ ମଣ୍ଡପକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ କ୍ଲବର ସଦସ୍ୟମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ବାଲେଶ୍ୱରବାସୀଙ୍କ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ସ୍ୱଳ୍ପ ମୂଲ୍ୟରେ ଉପଲବ୍ଧ ନୂତନ ଆକର୍ଷଣୀୟ ବ୍ୟବସ୍ଥାର ସୁଯୋଗ ନେବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । କ୍ଲବର ସଦସ୍ୟମାନଙ୍କ ବ୍ୟତୀତ ସାଧାରଣ ଲୋକେ ମଧ୍ୟ ଏହି ବ୍ୟବସ୍ଥାକୁ ବ୍ୟବହାର କରିବା ନେଇ ନିଆଯାଇଥିବା ନିଷ୍ପତି ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ବୋଲି ବିଧାୟକ ଶ୍ରୀ ଦାସ କହିଥିଲେ । ତେବେ କ୍ଲବ ପକ୍ଷରୁ ଗଠନମୂଳକ କାର୍ଯ୍ୟକ୍ରମ ଜାରି ରଖିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ କ୍ଲବର ଉପସଭାପତି ପ୍ରକାଶ ମହାନ୍ତି ଉପସ୍ଥିତ ରହି କ୍ଲବ ପକ୍ଷରୁ ଜାରି ରହିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଯେଉଁ ଆଦର୍ଶ ନେଇ କ୍ଲବ ପ୍ରତିଷ୍ଠ ହୋଇଥିଲା ଦୀର୍ଘ ୨୩ବର୍ଷ ପରେ ମଧ୍ୟ ସେହି ପରମ୍ପରା ଅକ୍ଷୁର୍ଣ୍ଣ ରହିପାରିଛି ବୋଲି ଶ୍ରୀ ମହାନ୍ତି କହିଥିଲେ । କ୍ଲବର ସଦସ୍ୟ ଚିନ୍ମୟ କାନ୍ତି ବିଶ୍ୱାଳ କାର୍ଯ୍ୟକ୍ରମ ସଂଯୋଜନା କରିବା ସହିତ ନୂତନ କଲ୍ୟାଣ ମଣ୍ଡପର ପରିଚାଳନା ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ସରୋଜ ବୋଦନୱାଲା, ସହ ସମ୍ପାଦକ ଶଶିଭୂଷଣ ମିଶ୍ର, ଶୋଭନ ଦାସମହାପାତ୍ର ପ୍ରମୁଖଙ୍କ ସମେତ କ୍ଲବର ବହୁ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପରେ କ୍ଲବ ପରିସରରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ