ବାଲେଶ୍ୱର ଜିଲ୍ଲାରେ ରକ୍ତ ଶିକୁଳି ରକ୍ତହୀନତା ନିରାକରଣ ସଚେତନତା ଅଭିଯାନର ଶୁଭାରମ୍ଭ
ବାଲେଶ୍ୱର, (ସରୋଜ ପଣ୍ଡା):ବିଶ୍ୱ ରକ୍ତ ଶିକୁଳି ଦିବସ ଉପଲକ୍ଷେ ଆଜି ରେମୁଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଜିଲ୍ଲାସ୍ତରୀୟ ରକ୍ତ ଶିକୁଳି ରକ୍ତହୀନତା ନିରାକରଣ ସଚେତନତା ଅଭିଯାନର ଶୁଭାରମ୍ଭ ହୋଇଯାଇଛି I ଏହି ସଭାରେ ମାନ୍ୟବର ସାଂସଦ ବାଲେଶ୍ୱର ଶ୍ରୀ ପ୍ରତାପ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରେମୁଣା ବ୍ଲକ ଅଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ରାଉତ, ରେମୁଣା ଏନଏସି ଅଧ୍ୟକ୍ଷା ଶ୍ରୀମତୀ ତନୁଜା ଗିରି, ରେମୁଣା ଏନଏସି ଉପାଧ୍ୟକ୍ଷ ଶ୍ରୀ ଏହସାନ ଖାଁ, ବାଲେଶ୍ୱର ସଦର ବିଧାୟକଙ୍କ ପ୍ରତିନିଧି ଶ୍ରୀ ଧୀରଜ କୁମାର ମହାନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ ଦୁଲାଲସେନ ଜଗଦ୍ଧେବ, ଡିପିଏଚଓ ଡ଼ ମୃତୁଞ୍ଜୟ ମିଶ୍ର, ଡିଡବ୍ଲୁଓ ଶ୍ରୀମତୀ ବିଦ୍ୟୁତଳତା ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତ ଏବଂ ଅନ୍ୟାନ୍ୟ ଅତିଥିମାନେ ପ୍ରମୁଖ ମଞ୍ଚାସୀନ ଥିଲେ Iସଭା ପ୍ରାରମ୍ଭରେ ସିଡିଏମଓ ଡ଼ ଜଗଦ୍ଧେବ ଏହି ବଂଶାନୁକ୍ରମିକ ରକ୍ତ ବିକୃତି ବିଷୟରେ ଜନସାଧାରଣଙ୍କୁ ଶିକ୍ଷିତ କରିବା ଏବଂ ରୋଗୀମାନଙ୍କ ପାଇଁ ଶୀଘ୍ର ନିଦାନ ଏବଂ ବ୍ୟାପକ ଯତ୍ନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ଷଡ଼ଙ୍ଗୀ ସମଗ୍ର ଜିଲ୍ଲାରେ ସିକଲସେଲ ରୋଗ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ। ସିକଲସେଲ ରୋଗର ପ୍ରଭାବୀ ସମାଧାନ ପାଇଁ ସରକାର, ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଏବଂ ସମୁଦାୟକୁ ସାମିଲ କରି ଏକ ବହୁ-ଅଂଶଧାରୀ ଆଭିମୁଖ୍ୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଶ୍ରୀ ଷଡ଼ଙ୍ଗୀ ।ଏହି ସଚେତନତା ଅଭିଯାନ ଅନ୍ତର୍ଗତ ସିକଲସେଲ ରୋଗର କାରଣ, ଲକ୍ଷଣ ଓ ଚିକିତ୍ସା ବିକଳ୍ପ ସମ୍ପର୍କରେ ସୂଚନାତ୍ମକ ପ୍ରଚାରପତ୍ର ବଣ୍ଟନ କରାଯାଇଥିଲା I ଏଥିସହିତ ସିକେଲସେଲ ପରୀକ୍ଷାରେ ନେଗେଟିଭ ରିପୋର୍ଟ ହାସଲ କରିଥିବା ୧୦ ଜଣ ହିତାଧିକାରୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା I ଏଠାରେ ସୂଚନା ଥାଉ କି, ସିକଲସେଲ ରୋଗର ପ୍ରଭାବ ଓ ଏହାର ନିରାକରଣ ଉପାୟ ଉପରେ ଆଲୋକପାତ କରିବା ପାଇଁ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଇଥାଏ। ଆଜିଠାରୁ ରାଜ୍ୟର ୨୧ଟି ଜିଲ୍ଲାରେ ଏହି ସଚେତନତା ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ଏଥିରେ ସିକଲସେଲ ରୋଗ ଏବଂ ଏହାର ନିରାକରଣ ଉପରେ ସ୍କ୍ରିନିଙ୍ଗ, ଟେଷ୍ଟିଂ ଏବଂ ଶିକ୍ଷା ପ୍ରଦାନ କରାଯିବ। ଡିପିଏମ ଶ୍ରୀ ଅନିଲ କୁମାର ମହାନ୍ତି ସଭା ପରିଚାଳନା କରିଥିଲେ I