ବାଲେଶ୍ୱର ଜିଲ୍ଲାର ମାଟ୍ରିକ ପାସହାର ୯୦.୬୯ ପ୍ରତିଶତ : ଏ-୧ ଓ ବି-୧ରେ ରାଜ୍ୟରେ ସର୍ବାଧିକ

ବାଲେଶ୍ୱର, (ସରୋଜ ପଣ୍ଡା) :-ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ବର୍ଷର ମ୍ୟାଟ୍ରିକ୍ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି । ସମଗ୍ର ରାଜ୍ୟରେ ପାସ ହାସ ୯୦.୫୫ ପ୍ରତିଶତ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲାର ପାସହାର ୯୦.୬୯ ପ୍ରତିଶତ ଛୁଇଁବା ସହ ସମଗ୍ର ରାଜ୍ୟରେ ଦଶମ ସ୍ଥାନରେ ରହିଛିି । କଟକ ସ୍ଥିତ ବୋର୍ଡ଼ ମୁଖ୍ୟାଳୟଠାରେ ଦିବା ୧ଟାରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ ହେବା ପରେ ଏହା ଇଣ୍ଟରନେଟ ମାଧ୍ୟମରେ ଉପଲବ୍ଧ ହୋଇଥିଲା । ଫଳାଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକମାନେ କମ୍ପ୍ୟୁଟର ଏବଂ ମୋବାଇଲ ମାଧ୍ୟମରେ ଏହି ପରୀକ୍ଷା ଫଳ ପାଇଥିଲେ । ଏ ନେଇ ବାଲେଶ୍ୱର ସହର ସମେତ ଜିଲ୍ଲାର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବେଶ ଉତ୍ସୁକତା ପରିଲକ୍ଷିତ ହୋଇଥିଲା । ଚଳିତ ବର୍ଷ ବାଲେଶ୍ୱର ଜିଲାରେ ମୋଟ ୫୨୧ ଟି ବିଦ୍ୟାଳୟରୁ ୧୬୮ ଟି କେନ୍ଦ୍ରରେ ମୋଟ ୩୨ ହଜାର ୭୧୧ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସର୍ବୋମୋଟ ୨୯ହଜାର ୬୬୪ ଜଣ ଛାତ୍ରଛାତ୍ରୀ ମ୍ୟାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଜଣାଯାଇଛି । ଏଥିରୁ ଏ-୧ବର୍ଗରେ ୧୫୦୩, ଏ-୨ରେ ୭୨୦୧, ବି-୧ରେ ୮୩୮୭, ବି-୨ରେ ୬୩୮୨, ସି-ରେ ୩୮୪୧ , ଡି-ବର୍ଗରେ ୧୯୧୦ ଏବଂ ଇ -ବର୍ଗରେ ୪୪୦ଜଣ ପରୀକ୍ଷାର୍ଥୀ ଉତୀର୍ଣ୍ଣ ହୋଇଥିବା ବେଳେ ୨୫୮ଜଣ ପରୀକ୍ଷାର୍ଥୀ ଅକୃତକାର୍ଯ୍ୟ ହୋଇଛନ୍ତି ବୋଲି ଜିଲ୍ଲା ଶିକ୍ଷାଧିକାରୀ ବିଷ୍ଣୁପ୍ରସାଦ ସୂତାର ସୂଚନା ଦେଇଛନ୍ତି । ଜଳେଶ୍ୱର ଟାଉନ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ସ୍ୱରୂପା ଜେନା ମୋଟ ୫୯୪ନମ୍ବର ଅର୍ଥାତ ୯୯ ପ୍ରତିଶତ ନମ୍ବର ରଖି ସମଗ୍ର ଜିଲାରେ ଟପର ହୋଇଛନ୍ତି । ତେବେ ଚଳିତ ବର୍ଷ ପରୀକ୍ଷାରେ ମୋଟ ୧୪,୫୬୫ ଜଣ ଛାତ୍ର ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧୫,୦୯୯ ଜଣ ଛାତ୍ରୀ ସଫଳତା ହାସଲ କରିଛନ୍ତି । ସମଗ୍ର ଓଡ଼ିଶାରେ ୯୦.୬୯ ପ୍ରତିଶତ ପାଇ ବାଲେଶ୍ୱର ଶିକ୍ଷା ଜିଲ୍ଲା ଦଶମ ସ୍ଥାନରେ ରହିଥିଲେ ହେଁ ଏ-୧, ଏ ଓ ବି-୧ ବର୍ଗରେ ପାସ ସଂଖ୍ୟା ହିସାବରେ ସମଗ୍ର ରାଜ୍ୟରେ ବାଲେଶ୍ୱର ପ୍ରଥମ ସ୍ଥାନରେ ରହିଛି । ଏହା ସହିତ ୬୦ପ୍ରତିଶତରୁ ଅଧିକ ନମ୍ବର ରଖି ୭୮.୩୮ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି ଯାହାକୁ ସମଗ୍ର ରାଜ୍ୟରେ ସର୍ବାଧିକ । ଦୁଇବର୍ଷ ଧରି କରୋନା ସଂକ୍ରମଣ ଜନିତ କଟକଣା ପାଇଁ ମାଟ୍ରିକ୍ ପରୀକ୍ଷା ଓ ଖାତା ଦେଖାରେ ଅସ୍ୱାଭାବିକ ପରିସ୍ଥିତି ହୋଇଥିବା ବେଳେ ଚଳିତ ବର୍ଷ ପରୀକ୍ଷା ଫଳାଫଳକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ସନ୍ତୋଷ ପରିଲକ୍ଷିତ ହୋଇଛି । ବାଲେଶ୍ୱର ଜିଲାରେ ଶିକ୍ଷାର ମାନକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ମ୍ୟାଟ୍ରିକ ପରୀକ୍ଷାର୍ଥୀମାନଙ୍କ ପାଇଁ ଉନ୍ନତ ଶିକ୍ଷା ପ୍ରଦାନ ସହିତ ଆଗାମୀ ବର୍ଷ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଡିଇଓ ଶ୍ରୀ ସୂତାର କହଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ