ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହେଲା ଚତୁର୍ଦ୍ଦଶ ଜାତୀୟ ମତଦାତା ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆଜି ଚତୁର୍ଦ୍ଦଶ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି I ଏହି ପରିପ୍ରେକ୍ଷୀରେ ସକାଳ ଘ. ୮.୩୦ ମି ସମୟରେ କଲେକ୍ଟୋରେଟ ପରିସରରୁ ଏକ ସଚେତନତା ରାଲିର ଆୟୋଜନ କରାଯାଇଥିଲା I ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ସୁଧାକର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀମତୀ ପ୍ରିୟଦର୍ଶିନୀ ମଲ୍ଲିକ, ଉପଜିଲ୍ଲାପାଳ, ବାଲେଶ୍ୱର ଶ୍ରୀଯୁକ୍ତ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଏହି ରାଲିକୁ ଶୁଭାରମ୍ଭ କରିଥିବା ବେଳେ ବହୁ ସଂଖ୍ୟକ ଏନ.ସି.ସି, ରେଡ କ୍ରସ, ସିଭିଲିଆନ ଦଳର ଛାତ୍ରଛାତ୍ରୀ ଏବଂ ଜନସାଧାରଣଏହି ରାଲିରେ ଯୋଗ ଦେଇଥିଲେ I ଉକ୍ତ ରାଲି ଫାଣ୍ଡି ଛକ, ଏଫ.ଏମ.ଗୋଲେଇ ଅତିକ୍ରମ କରି ଗାନ୍ଧୀ ସ୍ମୃତି ଭବନ ଠାରେ ସମାପ୍ତ ହୋଇଥିଲା I ଏଠାରେ ଉପସ୍ଥିତ ଅତିଥିମାନେ ଛାତ୍ରଛାତ୍ରୀଙ୍କ ସହିତ ଜାତୀୟ ମତଦାତା ଦିବସ ପାଳନର ଆଭିମୁଖ୍ୟ ଓ ଭୋଟଦାନ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ ଏବଂ ଏକ ସଂକ୍ଷିପ୍ତ ପ୍ରଶ୍ନୋତ୍ତର ସ୍ପର୍ଦ୍ଧା ଦ୍ୱାରା ନିଜର ଭୋଟଦାନ ସମ୍ପର୍କିତ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସେମାନଙ୍କୁ ସଚେତନ କରାଇଥିଲେ I ଉକ୍ତ ଦିବସ ଉପଲକ୍ଷେ ଗାନ୍ଧୀ ସ୍ମୃତି ଭବନଠାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ କହିଥିଲେ ଯେ ଗଣତନ୍ତ୍ରର ମୁଖ୍ୟ ଉପାଦାନ ଭାବେ ନାଗରିକର ମତଦାନ ଅଧିକାର ସାବ୍ୟସ୍ତ ସହ ନିରପେକ୍ଷ ଓ ସ୍ୱଚ୍ଛ ନିର୍ବାଚନ କରାଇବା ଉଦ୍ଦେଶ୍ୟରେ ଆଜିର ଏହି ଦିବସ ପାଳନ କରାଯାଉଛି I ନାଗରିକଙ୍କୁ ମିଳିଥିବା ମତଦାନର ଅଧିକାର ବ୍ୟବହାର ସହ ଭୋଟ ହାର ବୃଦ୍ଧି କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଶିନ୍ଦେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ I ତତ୍ସହିତ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେଶିର୍କେ ଏକ କାହାଣୀ ମାଧ୍ୟମରେ ନୂତନ ଯୁବ ଭୋଟରଙ୍କୁ ଭୋଟଦାନ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ I ଉକ୍ତ ସଭାରେ ତହସିଲଦାର (ସଦର) ଶ୍ରୀଯୁକ୍ତ ଆଶିଷ କୁମାର ମହାପାତ୍ର, ବି.ଡି.ଓ (ଜଳେଶ୍ୱର) ଶ୍ରୀମତୀ ପୁନମ ରାଉତ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଧରଣୀଧର ପାତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ଭବାନୀ ଶଙ୍କର ଭୂୟାଁ ଏବଂ ଡେପୁଟି କଲେକ୍ଟର (ନିର୍ବାଚନ) ସୁଶ୍ରୀ ରାଇମତ ଟୁଡୁ ଯୋଗଦେଇ ଜାତୀୟ ମତଦାତା ଦିବସ ପାଳନର ଯଥାର୍ଥତା ସମ୍ପର୍କରେ ଆଲୋଚନା କରିଥିଲେ I ଜାତୀୟ ମତଦାତା ଦିବସ ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ସ୍ତରୀୟ ବକ୍ତୃତା ଓ କୁଇଜ଼ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ I ଏହା ସହିତ ଜିଲ୍ଲାର ବିଭିନ୍ନ ନିର୍ବାଚନୀ ମଣ୍ଡଳରେ ନିର୍ବାଚନ ପ୍ରସ୍ତୁତିରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଅଧିକାରୀମାନଙ୍କୁ ପୁରସ୍କୃତ କରାଯାଇଥିଲା I ପରିଶେଷରେ ୧୮ ରୁ ୨୫ ବୟସର ନୂତନ ଭାବେ ପଞ୍ଜିକୃତ ହୋଇଥିବା ୨୦ ଜଣ ନୂତନ ଭୋଟରଙ୍କୁ ନିର୍ବାଚନ ଫଟୋ ପରିଚୟ ପତ୍ର (ଏ.ପି.ଆଇ.ସି) ପ୍ରଦାନ କରାଯାଇଥିଲା I