ବାଲେଶ୍ୱର ଜିଲ୍ଲା ସଟଡାଉନ
ବାଲେଶ୍ୱର,(ଓ୍ବାଇଏନ୍ଏସ୍):କୋଭିଡ-୧୯ ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଲାଗି ବାଲେଶ୍ୱର ଜିଲ୍ଲାକୁ ଆସନ୍ତା ଏପ୍ରିଲ ୨୬ତାରିଖ(ରବିବାର) ସକାଳ ୧୦ଘଟିକା ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଥିବା ବେଳେ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ କଡାକଡି ଯାଂଚ କରାଯାଇଛି । ବାଲେଶ୍ୱର ସହର ସମେତ ସମଗ୍ର ଜିଲ୍ଲାରେ ପୋଲିସ ବାହିନୀ ମୁତୟନ କରାଯିବା ସହିତ ଆନ୍ତଃରାଜ୍ୟ ସୀମାକୁ ସିଲ କରାଯାଇ ସେଠାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବାଲେଶ୍ୱର ସହର ମଧ୍ୟରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଅତ୍ୟନ୍ତ ଜରୁରୀ ସେବା ବ୍ୟତୀତ ଜିଲ୍ଲାର ସମସ୍ତ ଅଫିସ, ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି । ସଟଡାଉନ ସମୟରେ କୋଭିଡ-୧୯ ସମ୍ବନ୍ଧିତ ବିଭିନ୍ନ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏହି କ୍ରମରେ ଆଜି ଗୋଟିଏ ଦିନରେ ୩୦୦ରୁ ଉର୍ଦ୍ଧ୍ୱ ନମୁନା(ସାମ୍ପଲ) ସଂଗ୍ରହ ହୋଇପାରିଛି । ଜିଲ୍ଲାର ବିଭିନ୍ନ ଗ୍ରାମ ପଂଚାୟତ ଏବଂ ସହରାଂଚଳରେ ରାଜ୍ୟ ବାହାରୁ ଆସିଥିବା ଲୋକଙ୍କର ପଞ୍ଜୀକରଣ ପ୍ରକ୍ରିୟାରେ ସନ୍ତୋଷଜନକ ଅଗ୍ରଗତି ହୋଇଛି । ଆକ୍ଟିଭ କଂଟାକ୍ଟ ଟ୍ରେସିଂ କରିବା ନିମନ୍ତେ ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ଦ୍ୱାରା ହେଉଥିବା ସାମ୍ପଲ ସର୍ଭେ କାମ ବ୍ଲକଗୁଡିକରେ ତ୍ୱରିତ ବେଗରେ ସମ୍ପନ୍ନ ହୋଇଛି । ବାଲେଶ୍ୱର ସହରରେ ବିଶୋଧନ କାର୍ଯ୍ୟ କରାଯାଇଛି । ଜରୁରୀ ପରିସ୍ଥିତିରେ ଲୋକମାନେ ହେଲ୍ପ ଲାଇନରେ ଯୋଗାଯୋଗ କରିବାକୁ କୁହାଯାଇଛି । କୃଷି ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ଏସ.କେ.ବଶିଷ୍ଠଙ୍କୁ ବାଲେଶ୍ୱର ଜିଲ୍ଲାର ତଦାରଖ ନିମନ୍ତେ ଦାୟିତ୍ୱ ଦିଆଯାଇଥିବା ବେଳେ ସେ ଆଜି ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ବି.ଯୁଗଳ କିଶୋର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ନାୟକଙ୍କ ସମେତ ଜିଲ୍ଲାର ଅନ୍ୟ ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀମାନେ ଜିଲ୍ଲାର ବିଭିନ୍ନ ଅଂଚଳ ଗସ୍ତ କରି ସ୍ଥିତିର ଯାଂଚ କରିଛନ୍ତି । ଜନସାଧାରଣଙ୍କୁ ନିଜ ଘରେ ରହିବା ଏବଂ ବାହାରକୁ ନ ବାହାରିବା ପାଇଁ କୁହାଯାଇଛି । ସଟଡାଉନ ଆଦେଶ ଏବଂ କଟକଣାର ଉଲ୍ଲଙ୍ଘନ କଲେ ଆଇନ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ କରାଇ ଦିଆଯାଇଛି ।