ବାଲେଶ୍ୱର ପଥ ବିକ୍ରେତା ସଂଘ ପକ୍ଷରୁ ପଥପ୍ରାନ୍ତ ସଭା
ବାଲେଶ୍ୱର ,(ଯୁଗାବ୍ଦ ନ୍ୟୁଜ୍): ବାଲେଶ୍ୱରର ନିର୍ବାଚିତ ପୌରପରିଷଦର ଅବଧି ପୂରଣ ହେବାପରେ ନୂତନଭାବେ ଦାୟିତ୍ୱ ନେଇଥିବା ବାଲେଶ୍ୱର ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଟାଉନ୍ ଭେଣ୍ଡିଂ କମିଟିର ବିନା ନିଷ୍ପତ୍ତିରେ ଅତ୍ୟନ୍ତ ବେଆଇନ ଭାବେ ପଥବିକ୍ରେତା ଉଚ୍ଛେଦର ମେରି ରାୟ ଶାସନ ଆରମ୍ଭ କରିଛନ୍ତି । ପ୍ରଥମତଃ ବାଲେଶ୍ୱର ପୌର ପରିଷଦର ପଥପାଶ୍ୱର୍ ବିକ୍ରେତା ଉଚ୍ଛେଦ ଅଭିଯାନ ଦେଶରେ ପ୍ରଣିତ ପଥବିକ୍ରେତା ଜୀବିକା ସୁରକ୍ଷା ଓ ପଥବିକ୍ରୟ ବିନିୟମ ଆଇନ୍ ୨୦୧୪ର ବିରୋଧୀ, ଦ୍ୱିତୀୟତଃ ବର୍ଷାଋତୁର ମଧ୍ୟଭାଗରେ ଉଚ୍ଛେଦ ବ୍ୟବସ୍ଥା ନୀତିବିରୋଧୀ ଓ ତୃତୀୟତଃ ବିକାଶର ସ୍ୱପ୍ନ ଦେଖାଇ ବିକାଶ ନାମରେ ଆଇନସମ୍ମତ ଆତ୍ମନିର୍ଭରଶୀଳ ବ୍ୟକ୍ତିମାନଙ୍କୁ ଜୀବିକାଅର୍ଜନରୁ ଉଚ୍ଛେଦ କରି ଏହି ପଥବିକ୍ରେତାବର୍ଗଙ୍କୁ ସାମ୍ବିଧାନିକ ଓ ମାନବୀୟ ଅଧିକାରରୁ ବଞ୍ôଚତ କରାଇ ଜନମଙ୍ଗଳ ରାଷ୍ଟ୍ରର ମୌଳିକ ଢାଞ୍ଚାକୁ କୁଠାରାଘାତ କରାଯାଇଛି । ଏହା ପ୍ରତିବାଦରେ ଆଜି ବାଲେଶ୍ୱର ସହରର ସମସ୍ତ ଉଠାଦୋକାନୀ ତାଙ୍କ ବ୍ୟବସାୟ ବନ୍ଦ ରଖି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗାନ୍ଧିସ୍ମୃତି ଭବନ ଠାରୁ ଉଠାଦୋକାନୀଙ୍କ ଶୋଭାଯାତ୍ରା ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ôଚବା ପରେ ସଙ୍ଘ ଉପସଭାପତି ଆବିଦ୍ ଖାନ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଓଡ଼ିଶା ପଥବିକ୍ରେତା ସଂଘର ସଭାପତି ତଥା ନ୍ୟାସନାଲ୍ ହକର୍ ଫେଡେରେସନ୍ର ସର୍ବଭାରତୀୟ ଅତିରିକ୍ତ ସାଧାରଣ ସଂପାଦକ ଜୟନ୍ତ ଦାସ, ବାଲେଶ୍ୱର କ୍ଷୁଦ୍ର ବ୍ୟବସାୟୀ ସଂଘର ସଭାପତି ତଥା ବରିଷ୍ଠ ସାମ୍ବାଦିକ ରଞ୍ଜନ ବାଗ, ଉଠାଦୋକାନୀ ସଂଘ ସଂପାଦକ ମୋହିନୀ ମୋହନ ପରିଡ଼ା, ସହସମ୍ପାଦକ ଅଭିରାମ ବାରିକ୍, ପ୍ରମୁଖ ଉଦ୍ବୋଧନ ଦେଇ ବାଲେଶ୍ୱର ପୌର ପରିଷଦ ଓଡ଼ିଶାର ଅନ୍ୟତମ ସର୍ବପୁରାତନ ପୌରପରିଷଦ ବୋଲି ସୂଚନା ଦେଇ ଏଠାରେ ସହରର କ୍ରମବିକାଶରେ ପଥପାଶ୍ୱର୍ ବିକ୍ରେତାମାନଙ୍କର ଅବଦାନ ସର୍ବାଧିକ । ପୌର ପରିଷଦ ଗଠନଠାରୁ ଇତିମଧ୍ୟରେ ବାଲେଶ୍ୱର ପୌରପରିଷଦ, ରାଜ୍ୟ ସରକାର ଅଥବା କେନ୍ଦ୍ର ସରକାର ଏହି ଜିଲ୍ଲା ସଦର ମହକୁମା ସହରର ଜନଗଣଙ୍କ ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ଯେତିକି ବଜାର ବ୍ୟବସ୍ଥା କରାଯିବା କଥା ତାହାର ଅନ୍ୟୁନ ୧୦ଗୁଣ ବଜାର ଭିତ୍ତିଭୂମି ପଥପାଶ୍ୱର୍ ବିକ୍ରେତାମାନେ ନିଜ ବ୍ୟୟରେ ନିର୍ମାଣ କରି ପୌରପରିଷଦକୁ ଅନ୍ୟୁନ ୧୦୦କୋଟିରୁ ଅଧିକ ମୂଲ୍ୟର ଭିତ୍ତିଭୂମି ପ୍ରଦାନ କରିଛନ୍ତି, ଯାହାକି ବାକି ଭାରତବର୍ଷରେ ସାଧାରଣ ଜନଗଣଙ୍କ ଅବଦାନରେ ଏତେବଡ଼ ଭିତ୍ତିଭୂମି ବିରଳ ଅଟେ । ଏହା ଦଶନ୍ଧି ଦଶନ୍ଧି ଧରି ଭାରତବର୍ଷର ସହର ବିକାଶ ଯୋଜନା ପ୍ରଣେତାମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ବିଭିନ୍ନ ସମୟରେ ପ୍ରଶାସନିକ ଅଧିକାରୀମାନେ ବ୍ରିଟିଶ୍ ଆଇନ ଭିତ୍ତିରେ ପଥପାଶ୍ୱର୍ ବିକ୍ରେତାମାନଙ୍କୁ ବେଆଇନ୍ ଜବରଦଖଲକାରୀ ଭାବେ ନାମିତ କରାଇ ସେମାନଙ୍କ ବିରୁଦ୍ଧରେ ପାଞ୍ଚ ଆଇନ୍ କେଶ୍ ଭଳି ମୋକଦ୍ଦମା କରାଯାଉଥିଲା । ଏହି ପୃଷ୍ଠଭୂମିରେ ପଥପାଶ୍ୱର୍ ବିକ୍ରେତାମାନେ ବିଭିନ୍ନ ସମୟରେ ସ୍ୱେଚ୍ଛାଚାରୀ ସରକାରୀ ଅଧିକାରୀମାନଙ୍କ ଲୁଣ୍ଠନ ଓ ଅତ୍ୟାଚାର ବିରୁଦ୍ଧରେ ସର୍ବଭାରତୀୟ ପଥପାଶ୍ୱର୍ବିକ୍ରେତାଙ୍କ ଆନ୍ଦୋଳନର ଅଂଶୀଦାରଭାବେ ଲଗାତର ଆନ୍ଦୋଳନ ପରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ପଥପାଶ୍ୱର୍ ବିକ୍ରେତାମାନେ ଜୀବିକା ଅର୍ଜନ କରିବା ସମ୍ବିଧାନର ମୌଳିକ ଅଧିକାର ଅନ୍ତର୍ଭୁକ୍ତ ଓ ଅଧିକାରୀମାନେ ମନମୁଖୀଭାବେ ଉଚ୍ଛେଦ ନକରିବାପାଇଁ ନିର୍ଦ୍ଦେଶ, ଏହା ଭିତ୍ତିରେ ଭାରତ ସରକାର ପ୍ରଥମେ ୨୦୦୪ରେ ପଥବିକ୍ରେତା ଜୀବିକା ସୁରକ୍ଷାର ଜାତୀୟ ନୀତି, ପୁନର୍ବାର ୨୦୦୯ରେ ସଂଶୋଧିତ ଜାତୀୟ ନୀତି, ୨୦୧୦ରେ ମଡେଲ୍ ଆଇନ୍, ୨୦୧୦ରେ ସମଗ୍ର ଦେଶରେ ପଥବିକ୍ରେତା ଓ ପଥଚାରୀଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା କରିବାପାଇଁ ଆବଶ୍ୟକୀୟ ଆଇନ୍ ପ୍ରଣୟନ ନିମନ୍ତେ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ୨୦୧୩ ମସିହାରେ କେନ୍ଦ୍ରୀୟ ଆଇନ ପ୍ରଣୟନ ନିମନ୍ତେ ସଂସଦରେ ବିଲ୍ ଆଗତ, ୨୦୧୪ରେ ଚୂଡ଼ାନ୍ତ ଭାବେ ‘ପଥବିକ୍ରେତା ଜୀବିକା ସୁରକ୍ଷା ଓ ପଥବିକ୍ରୟ ବିନିୟମ ଆଇନ -୨୦୧୪’ କେନ୍ଦ୍ରୀୟ ଆଇନ୍ ଭାବେ ପ୍ରଣୀତ ହେଲା । ଏହି ଆଇନ୍ରେ ପଥପାଶ୍ୱର୍ ବିକ୍ରେତାମାନେ ଜବରଦଖଲକାରୀ ନୁହଁନ୍ତି, ପରନ୍ତୁ ସମାଜର ୯୦ଭାଗରୁ ଅଧିକ ମଣିଷଙ୍କୁ ଆବଶ୍ୟକୀୟ ସାମଗ୍ରୀ ସ୍ୱଳ୍ପମୂଲ୍ୟରେ ଯୋଗାଇବା, କୃଷକ, ଗ୍ରାମ୍ୟ କାରିଗର ଓ ଗ୍ରାହକଙ୍କ ମଧ୍ୟରେ ବିପଣନର ସର୍ବବୃହତ୍ତମ ଭିତ୍ତିଭୂମିଭାବେ ରାସ୍ତାର ଏକ ଅଂଶ ବ୍ୟବହାର କରିବାର ଆଇନଗତ ଅଧିକାର ପାଇଥିôବାବେଳେ, ଏହି ବର୍ଗର ଆତ୍ମନିର୍ଭରଶୀଳ ସେବକମାନଙ୍କପାଇଁ ମୋଟ ଭୂମିର ଶତକଡ଼ା ୨.୫ ଏମାନଙ୍କ ପାଇଁ ସଂରକ୍ଷିତ ରଖିବା ସହ ଯେଉଁ ବଜାର ଯେତେ ଜନସଂଖ୍ୟାକୁ ସେବା ଯୋଗାଇଥାଏ, ସେହି ଜନସଂଖ୍ୟାର ଶତକଡ଼ା ୨.୫ ଭାଗ ପର୍ଯ୍ୟନ୍ତ ପଥବିକ୍ରେତା ସଂପୃକ୍ତ ବଜାରରେ ରାସ୍ତାପାଶ୍ୱର୍ରେ ବିପଣନ କରିପାରିବାର ଆଇନଗତ ଅଧିକାର ପ୍ରଦାନ କରାଯାଇଛି । ସହରୀ ବାବୁମାନଙ୍କ ଧୁଳି, ଧୂଆଁ ଖାଇ ଭୋର ୪ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ସମାଜର ସଂଖ୍ୟାଗରିଷ୍ଠ ଜନଗଣଙ୍କୁ ଅନ୍ତୁଡ଼ିଶାଳରୁ ଜୁଇଗାତ ପର୍ଯ୍ୟନ୍ତ ଆବଶ୍ୟକୀୟ ସାମଗ୍ରୀ ଯୋଗାଇବାର ସର୍ବବୃହତ୍ତମ ସେବା ଦେଇଥାନ୍ତି । ବାସ୍ତବରେ ବିଚାର କଲେ ଭାରତର ଅର୍ଥନୀତିର ପ୍ରାଣ ଫୁଟ୍ପାଥ୍ରେ ପରିଚାଳିତ ହେଉଥାଏ । କେତେକ ଅଜ୍ଞ ଅଧିକାରୀ ଜନଗଣଙ୍କ ସଚ୍ଚୋଟପଣିଆରେ ଜୀବିକା ଅର୍ଜନର ରାସ୍ତାକୁ ବନ୍ଦ କରି ଅସାମାଜିକ ଓ ଅପରାଧପ୍ରବଣତା ବୃଦ୍ଧିପାଇଁ ଏହି ବୃତ୍ତିକୁ ବିଲୋପ କରିବାପାଇଁ ମୁଷ୍ଟିମେୟ ରାହୁ ପୁଞ୍ଜିପତିଙ୍କ ପଦଲେହନର କାର୍ଯ୍ୟ କରିଥାନ୍ତି । ଏନ୍.ଏସ୍.ଏସ୍.ଓ.ର ପରିସଂଖ୍ୟାନ ଅନୁସାରେ ଭାରତରେ ଅନ୍ୟୁନ ୫କୋଟି ପଥବିକ୍ରେତା ୧୧୦କୋଟିରୁ ଅଧିକ ଜନଗଣଙ୍କୁ ତାଙ୍କର ଆବଶ୍ୟକୀୟ ସମସ୍ତ ସାମଗ୍ରୀ ସ୍ୱଳ୍ପ ମୂଲ୍ୟରେ ଯୋଗାଇ ଦେଶରେ ବାର୍ଷିକ ୫୦ ଲକ୍ଷ କୋଟିର ବ୍ୟବସାୟ କରିଥାନ୍ତି । ଏହି ବ୍ୟବସାୟକୁ କବ୍ଜା କରିବା ପାଇଁ ଯୋଜନାବଦ୍ଧ ଭାବେ ବିଦେଶୀ ରାହୁ ପୁଞ୍ଜିପତିମାନେ ଶ୍ୱେନଦୃଷ୍ଟି ପକାଇଥିବାବେଳେ ଏହି ଅଜ୍ଞ ଅଧିକାରୀମାନେ ୫କୋଟି ଜନଗଣଙ୍କର ଜୀବିକା ଛଡ଼ାଇନେଇ ବିଦେଶୀ ରାହୁ ପୁଞ୍ଜିପତିଙ୍କର ପଦସେବା ଦାୟିତ୍ୱ ନିଭାଉଛନ୍ତି । ବାଲେଶ୍ୱରର ପୂର୍ବତନ ସାଂସଦ ଓ ପୂର୍ବତନ ଜିଲ୍ଲାପାଳଙ୍କ ଉଦ୍ୟମରେ କେନ୍ଦ୍ରୀୟ ଆଇନ ଭିତ୍ତିରେ ଟାଉନ୍ ଭେଣ୍ଡିଂ କମିଟି ଗଠିତ ହୋଇ ୩ଟି ବୈଠକରେ ପଥପାଶ୍ୱର୍ ବିକ୍ରେତାମାନଙ୍କ ସଂପର୍କରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବାବେଳେ, ଏହାପ୍ରତି ଭ୍ରୂକ୍ଷେପ ନକରି ପୌରପ୍ରଶାସନ ଅତ୍ୟନ୍ତ ବେଆଇନଭାବରେ ଉଚ୍ଛେଦ ଚଳାଇଛନ୍ତି । ଏହି ପୃଷ୍ଠଭୂମିରେ ଜିଲ୍ଲାର ସର୍ବୋଚ୍ଚ ପ୍ରଶାସକ ଓ ବିଚାରକ ଭାବେ ଏହି ବେଆଇନ୍ ଉଚ୍ଛେଦ ପ୍ରକ୍ରିୟା ବନ୍ଦ କରି ମାନ୍ୟବର ସୁପ୍ରିମକୋର୍ଟ ଓ ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶମତେ ଉଚ୍ଛେଦପ୍ରାପ୍ତ ସମସ୍ତ ପଥପାଶ୍ୱର୍ ବିକ୍ରେତାଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଥଇଥାନ କରିବାପାଇଁ ବକ୍ତାମାନେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦୃଢ଼ଦାବି ଉପସ୍ଥାପନ କରିଥିଲେ । ଜିଲ୍ଲାପାଳଙ୍କ ଅନୁପସ୍ଥିତି ଯୋଗୁଁ ଆଜିର ଏହି ବିକ୍ଷୋଭ ପାଇଁ ଜିଲ୍ଲା ପ୍ରଶାସନ ଡାକବାଜି ଯନ୍ତ୍ର ବ୍ୟବହାର ପାଇଁ ଅନୁମତି ଦେଇନଥିଲେ ମଧ୍ୟ ହଜାର ହଜାର ଉଠାଦୋକାନୀ ପ୍ରତିବାଦ ଗଣସତ୍ୟାଗ୍ରହରେ ଅଂଶଗ୍ରହଣ କରିଥିଲେ । ସତ୍ୟାଗ୍ରହ ପରେ ୭ଜଣିଆ ପ୍ରତିନିଧିଦଳ ଉପଜିଲ୍ଲାପାଳଙ୍କ ଠାରେ ଦାବିପତ୍ର ଉପସ୍ଥାପନ କରିଥିଲେ । ଜିଲ୍ଲାପାଳ ପରବର୍ତ୍ତୀ ନିର୍ଦ୍ଦେଶ ନଦେବା ପର୍ଯ୍ୟନ୍ତ ଏହି ଉଚ୍ଛେଦ ବନ୍ଦ ପାଇଁ ଉପଜିଲ୍ଲାପାଳ କୌଣସି ନିର୍ଦ୍ଦେଶ ଦେଇନପାରିବାର ଅସହାୟତା ପ୍ରକାଶ କରି ଜିଲ୍ଲାପାଳ ଫେରିବା ପରେ ତାଙ୍କସହ ସଂଘ ପ୍ରତିନିଧିମାନଙ୍କର ସାକ୍ଷାତ କରାଇବାର ଦାୟିତ୍ୱ ନେଇଥିଲେ । ଉଚ୍ଛେଦ ବନ୍ଦ ନହେଲେ ସମବେତ ଉଠାଦୋକାନୀମାନେ ୧୫ଦିନ ମଧ୍ୟରେ ବାଲେଶ୍ୱର ବନ୍ଦ ଭଳି ଚରମ ଆନ୍ଦୋଳନରେ ଝାସ ଦେବେ ବୋଲି ଚେତାବନୀ ଦେଇଥିଲେ ।