ବାଲେଶ୍ୱର ମଧୁବୈଶ୍ୟ ସମାଜର ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲା ମଧୁବୈଶ୍ୟ ସମାଜର ଏକ ବୈଠକ ବାରବାଟୀ ସ୍ଥିତ ଅଭିରାମ ସାହୁଙ୍କ ଗଣେଶ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ଉପ-ସଭାପତି ନିରଞ୍ଜନ ସାହୁ ଏଥିରେ ସଭାପତିତ୍ୱ କରିଥିଲେ । ଏଥିରେ ସଂଘର ସମସ୍ତ ଜିଲାସ୍ତରୀୟ କର୍ମକର୍ତ୍ତା ଓ ସଦସ୍ୟଙ୍କ ସମେତ ବ୍ଲକ କମିଟି କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ସାମ୍ପ୍ରତିକ ସ୍ଥିତିରେ ମଧୁବୈଶ୍ୟମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଓ ଏହାର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ । ଏଥି ସହିତ ଆସନ୍ତା ଡିସେମ୍ବର ୧୮ ତାରିଖରେ ହେବାକୁ ଥିବା ବାର୍ଷିକ ସମ୍ମିଳନୀ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସମ୍ପାଦକ ଯୋଗେନ୍ଦ୍ର ସାହୁ ସମ୍ମିଳନୀର ରୂପରେଖ ସମ୍ପର୍କରେ ଆଲୋକପାତ କରିଥିଲେ । ଘଟିକା ସ୍ଥାନୀୟ ଆୟୁଷ୍ମାନ କଲ୍ୟାଣ ମଣ୍ଡପରେ ଏହି ସମ୍ମିଳନୀ ଆୟୋଜନ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ସମ୍ମିଳନୀରେ ଚିତ୍ରାଙ୍କନ, ରଙ୍ଗୋଲି, କୁଇଜ୍, ନାଚ, ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେବ । କୃତୀ ପ୍ରତିଯୋଗୀଙ୍କ ସମେତ ମେଟ୍ରିକ୍, +୨, +୩ରେ ସର୍ବାଧିକ ନମ୍ବର ରଖିଥିବା ବାଲେଶ୍ୱର ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ପୁରସ୍କାର, ପୂଜ୍ୟପୂଜା ସମ୍ମାନ, କୌଳିକ ବୃତ୍ତି ସମ୍ମାନ ଆଦି ପ୍ରଦାନ କରାଯିବା ନେଇ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।