ବାଲେଶ୍ୱର ରେଳଷ୍ଟେସନ୍ ନିକଟରୁ ଉଚ୍ଛେଦ ହୋଇଥିବା କ୍ଷୁଦ୍ର ବ୍ୟବସାୟୀମାନେ ରେଳରୋକ କରିବେ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ଗତ ୧୩ ତାରିଖ ଦିନ ଷ୍ଟେସନ ମେନେଜର୍ ଭାଗବତ ଦାସ ମଣ୍ଡଳ ପରିଚାଳନା ନିରୀକ୍ଷକ ଆଶିଷ କୁମାର ଖୁଣ୍ଟିଆ ପ୍ରମୁଖ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ରେଳଷ୍ଟେସନ ସମ୍ମୁଖରେ ଦୀର୍ଘବର୍ଷ ଧରି ବ୍ୟବସାୟ କରିଆସୁଥିବା ଦୋକାନଗୁଡ଼ିକୁ ଉଚ୍ଛେଦ କରାଯାଇଥିବା ସମ୍ପର୍କରେ ମତପ୍ରକାଶ କରି ଗତ ମାର୍ଚ୍ଚ ୭ ତାରିଖ ଦିନ ବ୍ୟବସାୟୀମାନେ ସ୍ୱଇଚ୍ଛାରେ ଦୋକାନ ଉଠାଇନେଇଛନ୍ତି ବୋଲି ଯାହା ପ୍ରକାଶ କରିଛନ୍ତି ତାହା ସମ୍ପୂର୍ଣ୍ଣ ଅସତ୍ୟ ଓ ଉଦ୍ଦେଶ୍ୟ ପ୍ରଣୋଦିତ । ରେଳବିଭାଗର ବହୁ ଅପାରଗତାକୁ ଲୁଚାଇବାକୁ ଯାଇ ଏହି କ୍ଷୁଦ୍ର ବ୍ୟବସାୟୀମାନଙ୍କ ମୁଣ୍ଡରେ ଅଠା ବୋଳିବାକୁ ରେଳ କର୍ତ୍ତୃପକ୍ଷ ଚେଷ୍ଟା କରିଛନ୍ତି । ସୌନ୍ଦର୍ଯ୍ୟକରଣ ଆଳରେ ବର୍ଷବର୍ଷ ଧରି ଚା’ ପାନ, ଫଳ ଓ ଜଳଖିଆ ପ୍ରଭୃତି ବ୍ୟବସାୟ କରି ନିଜ ପରିବାର ପୋଷଣ କରିବା ସହ ଯାତ୍ରୀମାନଙ୍କୁ ସହଯୋଗ କରିଆସୁଥିବା ଦରିଦ୍ର ବ୍ୟବସାୟୀମାନଙ୍କ ପରିବାର ପେଟରେ ଲାତ ମାରି ଜନସାଧାରଣଙ୍କ ସହଯୋଗ ପାଇଁ ଯେଉଁ ଆଶା କରିଛନ୍ତି ତାହା ଏକ ବୃଥା ଆସ୍ଫାଳନ ବୋଲି କ୍ଷୁଦ୍ର ବ୍ୟବସାୟୀ ସଂଘ ବୈଠକରେ ମତ ପ୍ରକାଶ ପାଇଛି । ସମସ୍ତ ଆବେଦନ ନିବେଦନ ଓ ଜିଲ୍ଲା ପ୍ରଶାସନର ପରାମର୍ଶକୁ ରେଳକର୍ତ୍ତୃପକ୍ଷ ଅବଜ୍ଞା କରି ଦ୍ୱିପାକ୍ଷିକ ଆଲୋଚନାକୁ ବିଳମ୍ବିତ କରୁଥିôବାରୁ ସଭାରେ ଉଦ୍ବେଗ ପ୍ରକାଶ ପାଇଛି । ରେଳକର୍ତ୍ତୃପକ୍ଷଙ୍କର ବାଲେଶ୍ୱର ଷ୍ଟେସନର ଆଧୁନିକୀକରଣ ପାଇଁ ଆନ୍ତରିକତା ନଥିବା ସମ୍ପର୍କରେ ଯାତ୍ରୀମାନେ ଓ ବହୁ ଗଣସଂଗଠନ ଅଭିଯୋଗ କରିଆସୁଛନ୍ତି । ନିଜର ଜୀବନ ଜୀବିକା ବଞ୍ଚାଇବାପାଇଁ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରିବାର ଅଧିକାରକୁ ରେଳକର୍ତ୍ତୃପକ୍ଷ ଧମକ ଦେଇ ଛଡ଼ାଇ ନେଇପାରିବେ ନାହିଁ ବୋଲି ସଙ୍ଘ ତରଫରୁ କୁହାଯାଇଛି । ଯଦି ନିର୍ବାଚନ ଶେଷ ହେବାପରେ ରେଳକର୍ତ୍ତୃପକ୍ଷ ଆଲୋଚନା ମାଧ୍ୟମରେ ଏହି କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ଥଇଥାନ କରିବାର ସୁଯୋଗ ନଦିଅନ୍ତି, ତେବେ ମଇ ମାସ ପ୍ରଥମ ସପ୍ତାହରେ ରେଳରୋକ ସହ ବ୍ୟାପକ ଆନ୍ଦୋଳନ ହେବ ବୋଲି ସଙ୍ଘ ତରଫରୁ ଚେତାବନୀ ଦିଆଯାଇଛି । ଏହି ବୈଠକରେ ରାଧାରମଣ ଷଡ଼ଙ୍ଗୀ ଅଧ୍ୟକ୍ଷତା କରିଥିବାବେଳେ ଟି.ୟୁ.ଏ.ସି.ସି. ସଂପାଦକ ଗୌରାଙ୍ଗ ପାଣିଗ୍ରାହୀଙ୍କ ସମେତ ରବୀନ୍ଦ୍ର ବେହେରା, ବାସନ୍ତୀ ବର୍ଦ୍ଧନ, ଜୟନ୍ତୀ ସାମଲ, ପାର୍ବତୀ ସାହୁ, ବାବୁ ବର୍ଦ୍ଧନ, ବାସନ୍ତୀ ସାହୁ ଓ ନିକୁଞ୍ଜ ବସନ୍ତ ରାୟ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


