ବାଲ୍ୟ ବିବାହର ବିଲୋପ ପାଇଁ ଶିକ୍ଷକ ନିରଞ୍ଜନଙ୍କ ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ବାଲ୍ୟ ବିବାହ ଏକ କୁସଂସ୍କାର ଅଟେ. ଏହାର ସମ୍ପୂର୍ଣ ବିଲୋପ ପାଇଁ ଜଣେ ଶିକ୍ଷକ ଏକ ନିଆରା ଢଙ୍ଗରେ ସଚେତନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି. ବାଲ୍ୟ ବିବାହ ହେଉଛି ନିର୍ଦ୍ଦିଷ୍ଟ ବୟସ ସୀମା ନ ହେଉଣୁ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ଔପଚାରିକ ଅବା ଅଣ ଔପଚାରିକ ଵିଵାହ। ୟୁନିସେଫ୍ ଦ୍ଵାରା ଆଇନଗତ ଭାବେ ପୁଅମାନଙ୍କ ପାଇଁ ୨୧ ବର୍ଷ ଓ ଝିଅ ମାନଙ୍କ ପାଇଁ ୧୮ବର୍ଷ ଧାର୍ଯ୍ୟ ହୋଇଛି। ଦାରିଦ୍ର୍ୟ, ରାଜନୈତିକ ଓ ଅର୍ଥନୈତିକ ସ୍ବଚ୍ଛତାର ଅଭାବ କାରଣରୁ ଇତିହାସରେ ବାଲ୍ୟବିବାହ ବିଭିନ୍ନ ସମାଜରେ ଦେଖିବାକୁ ମିଳୁଥିଲା। ବର୍ତ୍ତମାନ ମଧ୍ୟ ଦାରିଦ୍ର୍ୟ, ଯୌତୁକ ଦାବି ଓ ସାଂସ୍କୃତିକ ପରମ୍ପରା, ସାମାଜିକ ଓ ଧାର୍ମିକ ଚାପ, ଝିଅ ଅବିବାହିତ ରହିଯିବାର ଭୟ, ଅସାକ୍ଷରତା ଓ ଝିଅମାନଙ୍କ କ୍ଷେତ୍ରରେ ରୋଜଗାର କରିବାର ଅକ୍ଷମତା ଅନେକ ସମୟରେ ବାଲ୍ୟବିବାହର କାରଣ ପାଲଟିଛି। ଭାରତରେ ବାଲ୍ୟବିବାହ ଭଳି କୁତ୍ସିତ ପ୍ରଥାକୁ ରୋକିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ବାଲ୍ୟବିବାହ ନିଷେଧ ଅଧିନିୟମ ୨୦୦୬ ନଭେମ୍ବର ୨୦୦୭ରୁ ଲାଗୁ କରାଯାଇଛି। ବିଭିନ୍ନ କ୍ଷେତ୍ରରେ ବାଲ୍ୟ ବିବାହ ସମୟରେ ଝିଅମାନେ ନାବାଳକ ଥିବାବେଳେ ପୁଅମାନେ ସାବାଳକ ଥାନ୍ତି ଯାହାଫଳରେ ଝିଅ ମାନଙ୍କର ଶାରୀରିକ, ମାନସିକ, ବୌଦ୍ଧିକ ବିକାଶ ହୋଈ ନ ଥିବା ଯୋଗୁ ସେମାନଙ୍କୁ ବହୁବିଧ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏଥିପାଇଁ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ଭାବରେ ରୋକ ଲଗାଇବା ପାଇଁ ବିଜ୍ଞାନ ଶିକ୍ଷକ ତଥା ସମାଜସେବୀ ନିରଞ୍ଜନ ବିଶ୍ୱାଳ ଘର ଘର ବୁଲି ଲୋକମାନଙ୍କୁ ସଚେତନ କରାଇବା ସହ ରାଲି ମାଧ୍ୟମରେ ସ୍ଳୋଗାନ ଦେଇ ସମାଜକୁ ଏକ ସ୍ବତନ୍ତ୍ର ବାର୍ତ୍ତା ପ୍ରଦାନ କରିଛନ୍ତି। ସେ ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ କଞ୍ଚଣା ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରିବା ସହିତ ସଡକ ସୁରକ୍ଷା ସପ୍ତାହ, ସ୍ବଚ୍ଛତା ଅଭିଯାନ, ବନ ମହୋତ୍ସବ ସପ୍ତାହ, ଏଡସ ହଟାଓ ଜୀବନ ବଞ୍ଚାଅ, ନିଶା ନିବାରଣ ଅଭିଯାନ ଭଳି ବହୁ ସାମାଜିକ ସଚେତନତାମୂଳକ କାର୍ଯକ୍ରମ କରି ଶିକ୍ଷକ ସମାଜ ପାଇଁ ଉଦାହରଣ ହୋଇଛନ୍ତି।