ବାଲ୍ୟ ବିବାହ ମୁକ୍ତ ପାଇଁ ଶପଥ ପାଠ ଓ ସଚେତନତା କାର୍ଯ୍ୟକ୍ରମ
ବୁଗୁଡ଼ା, (ଅନିଲ କୁମାର ମହାରଣା) :ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମ ପଞ୍ଚାୟତର ସଭା ଗୃହରେ ” ପିଲାମାନଙ୍କ ପାଇଁ ଦିନଟିଏ ” କାର୍ଯ୍ୟକ୍ରମ ଜାନୁଆରୀ ୦୮ ତାରିଖ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟ କ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମହୋଦୟଙ୍କ ବାଲ୍ୟ ବିବାହ ମୁକ୍ତ ଗଞ୍ଜାମ ନିଷ୍ପତ୍ତି ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇ ସଚେତନ ଓ ଶପଥ ପାଠ କରାଯାଇଥିଲେ । ଅଙ୍ଗନୱାଡୀ ପରିଦର୍ଶିକା ସୁକେଶନୀ ରଥଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସରପଞ୍ଚଙ୍କ ପ୍ରତିନିଧି ତଥା ଯୁବ ସମାଜସେବୀ ବବୁଲ ନାୟକ ଏବଂ ଶିକ୍ଷାବିତ ତଥା ସାମ୍ବାଦିକ ଅନିଲ କୁମାର ମହାରଣା ଅତିଥିଭାବେ ଯୋଗଦେଇଥିଲେ । ଅତିଥି ଦ୍ୱୟ ଆମ ରାଜ୍ୟ ସରକାର ମହିଳା ଓ ଶିଶୁ କନ୍ୟାଙ୍କ ଉନ୍ନତି ପାଇଁ ଗ୍ରହଣ କରିଥିବା ବିଭିନ୍ନ ଯୋଜନା ବିଷୟରେ ପ୍ରାଞ୍ଜଳଭାବେ ବୁଝାଇଥିଲେ । କନ୍ୟା ସନ୍ତାନ ପ୍ରତି ଯଥେଷ୍ଟ ଧ୍ୟାନ ଦେବାସହ ଲିଙ୍ଗ ନିରୂପଣ ନକରିବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ । ଗଞ୍ଜାମ ଜିଲ୍ଲା ବାଲ୍ୟ ବିବାହ ମୁକ୍ତ କାର୍ଯ୍ୟକ୍ରମକୁ ସମସ୍ତେ ସହଯୋଗ କରିବା ପାଇଁ ପରିଦର୍ଶିକା ଶ୍ରୀମତୀ ରଥ ଅନୁରୋଧ କରିଥିଲେ । ୧୮ ବର୍ଷ ସମ୍ପୂର୍ଣ୍ଣ ହେବାପରେ ନିଜର କନ୍ୟା ସନ୍ତାନ ଙ୍କୁ ବିବାହକରିବା ଦ୍ୱାରା ଯେଉଁସବୁ ଉପକାର ହୁଏ ଅବଗତ କରାଇଥିଲେ । ଯେଉଁମାନେ ବାଲ୍ୟ ବିବାହ ପାଇଁ ପଦକ୍ଷେପ ନିଅନ୍ତି ସେମାନଙ୍କ ବିଷୟରେ ସୂଚନା ପ୍ରଦାନ କଲେ ୫୦ ହଜାର ଟଙ୍କା ପୁରସ୍କାର ଦେବାସହ ଖବର ଦେବା ବ୍ୟକ୍ତିଙ୍କ ନାମ ଗୋପନ ରଖାଯିବ ବୋଲି ଜିଲ୍ଲାପାଳ ମହୋଦୟ ଘୋଷଣା କରିଥିବା ବିଷୟ ପ୍ରକାଶ କରା ଯାଇଥିଲା । ଶେଷରେ ବାଲ୍ୟ ବିବାହ ରୋକିବା ପାଇଁ ଆନ୍ତରିକ ଉଦ୍ୟମ କରିବାପାଇଁ ସାମ୍ବାଦିକ ଶ୍ରୀ ମହାରଣା ଉପସ୍ଥିତ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ପରେ ଏକ ଶୋଭାଯାତ୍ରା ବାହାରି ବାଲ୍ୟ ବିବାହ ରୋକିବା ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା। କାର୍ଯ୍ୟକ୍ରମରେ ଅଙ୍ଗନୱାଡି କର୍ମୀ, ସ୍ୱୟଂ ସହାୟକ ଗୋଷ୍ଟୀ ସଦସ୍ୟା ବୃନ୍ଦଙ୍କ ସମେତ ବହୁ କନ୍ୟା ସନ୍ତାନ ଓ ମହିଳା ଯୋଗଦେଇଥିଲେ ।