ବାସନ୍ଦ ଜୀବନ କାଟୁଛି ଅସହାୟ କୁଷ୍ଠ ରୋଗୀ
କଳାହାଣ୍ଡି,(ରଜନୀକାନ୍ତ ମିଶ୍ର): କଳାହାଣ୍ଡି ସମାଜରେ ଆଜିବି ଅନ୍ଧବିଶ୍ୱାସ, କୁସଂସ୍କାର ଭଳି ଅସାମାଜିକ କଳ୍ପନା ଭରିରହିଛି । ବିଜ୍ଞାନ ଯେତେ ଆଗକୁ ଗଲେ ମଧ୍ୟ ସଚେତନତା ଅଭାବରେ ମଣିଷ ଆଜି ଘାଣ୍ଟି ହେଉଛି । ମଣିଷ ସମାଜରେ ରହିବାକୁ ଭଲପାଏ, ସମାଜ ବ୍ୟକ୍ତିର ଦୁଃଖସୁଖରେ ଠିଆ ହୋଇଥାଏ। କିନ୍ତୁ ଯେତେବେଳେ ସମାଜ ମଣିଷକୁ ଦୂରେଇଦିଏ ତାହାହେଲେ ଅସହାୟ ହୋଇ ଜିବନ ଜିଇଁବାକୁ ବାଧ୍ୟ ହୋଇଥାଏ । ହେଲେ ଦୁର୍ଭାଗ୍ୟ ସବୁ ବୁଝିସାରିଥିବା ସମାଜ କାହିଁକି ବେଳେବେଳେ ଅସହାୟ କରି ଛାଡିଦିଏ ଯାହା ଏକ ବିଡମ୍ବନାର ବିଷୟ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ତଳଝାପି ଗାଁରେ । ଏପରି ଏକ ଦାରୁଣ ଚିତ୍ରଟି ହେଉଛି ଏକ ଅସହାୟ କୁଷ୍ଠ ରୋଗାକ୍ରାନ୍ତ ବ୍ୟକ୍ତିର, ଏହି ବ୍ୟକ୍ତିର ନାମ ହେଉଛି କଦମା ମାଝୀ । ଦୀର୍ଘ ଦିନ ହେବ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇ ଅତି ଦୟନୀୟ ଅବସ୍ଥାରେ ଜିବନ କାଟୁଥିବା କଦମାକୁ ଆଜି ସମାଜ ଅଲଗା କରିଦେଇଛି । ଏହି ବ୍ୟାଧି ପାଇଁ ସେ ଅବିବାହିତ ଥିବାବେଳେ ନିଜ ଜନ୍ମିତ ପରିବାର ତଥା ବନ୍ଧୁ ପରିଜନ ମଧ୍ୟ କଦମାକୁ ଅଲଗା କରିଛି । ଫଳରେ ଗାଁଠୁ ଦୂର ରାସ୍ତାକଡ ଏକ ଜଙ୍ଗଲରେ ଆଦିମ ମଣିଷ ରହିଥିବା ଭଳି ଏକ ପଥର କୁଡିଆରେ ରହିବାକୁ ବାଧ୍ୟ ହେଉଛି । ପିଇବା ପାଣି ହେଉ ଅବା ଗାଧୋଇବା ପାଇଁ ଗଲେ ଲୋକେ ଘୃଣାକରି ବାରଣ କରୁଥିବା କହିଛନ୍ତି କଦମା ମାଝୀ । ଯେ କେହି ହେଉନା କାହିଁକି ନ ଦେଖିଲେ ବିଶ୍ୱାସ କରିହୁଏନି । ଏହି ବ୍ୟାଧି ଶରୀରକୁ ଯେଉଁ କଷ୍ଟ ଦେଇଛି ତାଠାରୁ ଭୟଙ୍କର ହୋଇପଡିଛି ବାସନ୍ଦ ଜୀବନ । ସାହା ହେବାକୁ କେହି ନଥିବାବେଳେ ଅସହାୟ ଓ ଦୟନୀୟ ହୋଇପଡିଛି ବଞ୍ଚିବାର ପ୍ରତ୍ୟେକ ମୁହୂର୍ତ୍ତ । ସରକାରୀ ସହାୟତା କହିଲେ ମାସକୁ ମାତ୍ର ୫ କେଜି ଚାଉଳ ଓ ଭିନ୍ନକ୍ଷମ ଭତ୍ତା ବାବଦକୁ ୫୦୦ ଟଙ୍କା ମିଳିଥାଏ । ତାହା କ’ଣ ଏଭଳି ମଣିଷକୁ ବଞ୍ଚିବା ପାଇଁ ସାହାରା ହୋଇପାରେ ? ସରକାର ତୁରନ୍ତ ଏଭଳି ଅସହାୟ ଲୋକଙ୍କ ପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।