ବା‌ଇଡେନ୍‌ଙ୍କ ଟିକସ ନୀତି ଭାରତକୁ ସୁହାଇବ

ନୂଆଦିଲ୍ଲୀ: ବଡ଼ କର୍ପୋରେଟ୍ ସଂସ୍ଥାଗୁଡ଼ିକ ଉପରେ ଅଧିକ ଟିକସ ଲାଗୁ କରିବା ଲାଗି ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିବା ଡେମୋକ୍ରାଟ୍ ପ୍ରାର୍ଥୀ ଜୋ ବାଇଡେନ୍‌ ଲକ୍ଷ୍ୟ ରଖିଛନ୍ତି। ତାଙ୍କର ସେହି ନୀତି ଦ୍ବାରା ଭାରତ ଉପକୃତ ହେବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଆମେରିକାରେ ବଡ଼ କର୍ପୋରେଟ୍ ସଂସ୍ଥାଗୁଡ଼ିକୁ ମୋଟା ଅଙ୍କର ଟିକସ ଗଣିବାକୁ ପଡ଼ିବ। ତେଣୁ ଟିକସ ବୋଝ କମ୍ କରିବା ଲାଗି ସେମାନେ ଭାରତ ଭଳି ଦେଶ ଆସିପାରନ୍ତି ବୋଲି ବିଶେଷଜ୍ଞମାନେ କହିଛନ୍ତି। କର୍ପୋରେଟ୍ ଟିକସକୁ ବର୍ତ୍ତମାନର ୨୧% ସ୍ତରରୁ ବଢ଼ାଇ ୨୮% କରିବାକୁ ବାଇଡେନ୍‌ ପ୍ରତିଶ୍ରୁତି ଦେଇଥିଲେ। ଯଦି ସେ ନିଜ ପ୍ରତିଶ୍ରୁତିକୁ ରକ୍ଷା କରି ଏହି ନୂତନ ଟିକସ ହାର ଲାଗୁ କରିବେ ତେବେ ଆମେରିକାର ବଡ଼ କଂପାନିଗୁଡ଼ିକ ପାଇଁ ଭାରତରେ ପୁଞ୍ଜିନିବେଶ କରିବା ଅଧିକ ଆକର୍ଷଣୀୟ ହେବ। ନିକଟରେ ଭାରତ ସରକାର କର୍ପୋରେଟ୍ ଟିକସ ହାରକୁ ହ୍ରାସ କରିଥିବାରୁ ଅନ୍ୟ ଦେଶଗୁଡ଼ିକ ତୁଳନାରେ ପୁଞ୍ଜିନିବେଶ ଆକୃଷ୍ଟ କରିବାରେ ଭାରତ ଭଲ ସ୍ଥିତିରେ ରହିଛି ବୋଲି ଇୱାଇ ଇଣ୍ଡିଆର ପାର୍ଟନର୍‌ ରାଜେନ୍ଦ୍ର ନାୟକ କହିଛନ୍ତି । ଭାରତରେ କର୍ପୋରେଟ୍ ଟିକସ ହାର କିଛି ବର୍ଷ ପୂର୍ବରୁ ୩୦ ପ୍ରତିଶତରୁ ଅଧିକ ସ୍ତରରେ ଥିଲା। ମାତ୍ର ତାହାକୁ ଗତବର୍ଷ ସେପ୍ଟେମ୍ବରରେ ୨୨ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରାଯାଇଛି। କୌଣସି ପ୍ରକାର ଛାଡ଼ ବିନା ପ୍ରଭାବୀ ଟିକସ ହାର ହେଉଛି ୨୫.୧୭ ପ୍ରତିଶତ। ମାତ୍ର ନୂତନ ଭାବେ ମାନୁଫାକ୍‌ଚରିଂ ୟୁନିଟ୍ ସ୍ଥାପନ କରିବାକୁ ଚାହୁଥିବା କଂପାନିଗୁଡ଼ିକ ପାଇଁ ଟିକସ ହାର ‌ବେଶ ଆକର୍ଷଣୀୟ ଭାବେ ୧୫% ରଖାଯାଇଛି। ପୂର୍ବର ୩୦ ପ୍ରତିଶତ ତୁଳନାରେ ବର୍ତ୍ତମାନ ଭାରତର କଂପାନି ଟିକସ ହାର ବହୁତ ଭଲ ସ୍ଥିତିରେ ରହିଛି। ଟିକସ ବିଶେଷଜ୍ଞମାନଙ୍କ ମତରେ, ଭାରତ ଅଧିକ ପରିମାଣର ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍‌ଡିଆଇ) ହାସଲ କରିବ। ଆମେରିକାର ବହୁ ବଡ଼ ବଡ଼ କଂପାନି ଅଧିକ ଲାଭକୁ ଭାରତ ଭଳି ଦେଶରେ ରଖିବାକୁ ଚାହିବେ ଯଦ୍ବାରା ସେମାନଙ୍କୁ ଆମେରିକାରେ ମୋଟା ଅଙ୍କର ଟିକସ ଗଣିବାକୁ ପଡ଼ିବ ନାହିଁ। ଆମେରିକାରେ ନିର୍ବାଚନ ପ୍ରଚାର ବେଳେ ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍ କଂପାନି ଟିକସ ହାର କମ୍ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଡେମୋକ୍ରାଟ୍ ପ୍ରାର୍ଥୀ କଂପାନି ଟିକସକୁ ୨୭-୨୮% ବଢ଼ାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ସେ ୪୦% ଭଳି ଉଚ୍ଚ ହାର ଗ୍ଲୋବାଲ୍ ଇନଟାଞ୍ଜିବଲ୍ ଲୋ ଟ୍ୟାକ୍ସ ଇନକମ୍ ଲାଗୁ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ଏହା ଦ୍ବାରା ଭାରତରେ କାରବାର କରୁଥିବା ବିଶ୍ବସ୍ତରୀୟ ଆଇଟି କଂପାନିଗୁଡ଼ିକ ପ୍ରଭାବିତ ହେବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ