ବିଏସକେୱାଇ ସ୍ମାର୍ଟ ହେଲଥ୍ କାର୍ଡ଼ ବଣ୍ଟନ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଖାଉଟି କାର୍ଡ଼ ହିତାଧିକାରୀଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ସକାଶେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ସ୍ମାର୍ଟ ହେଲଥ୍ କାର୍ଡ଼ । ପରିବାରର ପୁରୁଷ ସଦସ୍ୟଙ୍କ ଲାଗି ୫ ଲକ୍ଷ ଓ ମହିଳା ସଦସ୍ୟଙ୍କ ସକାଶେ ୧୦ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ସ୍ମାର୍ଟ ହେଲଥ୍ କାର୍ଡ଼ରେ ଉପଲବ୍ଧ ରହିଛି । ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଏସକେୱାଇ ଯୋଜନା ମାଧ୍ୟମରେ ପ୍ରତିଟି ଅମୂଲ୍ୟ ଜୀବନର ସୁରକ୍ଷା ପାଇଁ ଏହାକୁ ସାରା ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ କାର୍ଯ୍ୟକ୍ରମ ଜାରି ରହିଛି । ଗତ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଗଞ୍ଜାମ ଜିଲ୍ଲାରେ ସ୍ମାର୍ଟ ହେଲଥ୍ କାର୍ଡ଼ ସେବାର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ମଙ୍ଗଳବାର ହିଞ୍ଜିଳି ବ୍ଳକ ଓ ପୌରାଞ୍ଚଳରେ ସ୍ମାର୍ଟ ହେଲଥ୍ କାର୍ଡ଼ ବଣ୍ଟନର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହିଞ୍ଜିଳି ବ୍ଳକର ଡ଼ି. ପାଟପୁର, ଓ ରାଳବ ପଞ୍ଚାୟତ କାର୍ଯ୍ୟାଳୟରେ ସ୍ମାର୍ଟ କାର୍ଡ଼ ବଣ୍ଟନର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ଡ଼ିଆରଡ଼ିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ବ୍ଳକ ପ୍ରତିନିଧି ସୁରେନ୍ଦ୍ର ନାଥ ପ୍ରଧାନ, ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ବିଡ଼ିଓ ସୁବ୍ରତ କୁମାର ଜେନା, ତହସିଲଦାର ପ୍ରଭାତ କୁମାର ପରିଡ଼ା, ସରପଞ୍ଚ ଜାଗିଲି ଦାସ, ଜିଲ୍ଲା ପରିଷଦ ସଭ୍ୟ ଦୁର୍ଗାମାଧବ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସ୍ମାର୍ଟ ହେଲଥ୍ କାର୍ଡ଼ ମାଗଣା ଚିକିତ୍ସା ସେବା କ୍ଷେତ୍ରରେ ଆର୍ଥୀକ ଦୁର୍ବଳ ପରିବାରଙ୍କ ସକାଶେ ଏକ ମହତ କାର୍ଯ୍ୟ ଏବଂ ଏକ ବଡ଼ ଅବଦାନ ବୋଲି ମଞ୍ଚାସିନ ଅତିଥି ବୃନ୍ଦ ହିତାଧିକାରୀଙ୍କୁ ଅବଗତ କରାଇଥିଲେ । ଅନୁରୂପ ଭାବେ ହିଞ୍ଜିଳିକାଟୁ ପୌର କାର୍ଯ୍ୟାଳୟ ପରିସରରେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁଙ୍କ ତତ୍ତ୍ବାବଧାନରେ ପୌରାଞ୍ଚଳ ହିତାଧିକାରୀଙ୍କ ସକାଶେ ସ୍ମାର୍ଟ ହେଲଥ୍ କାର୍ଡ଼ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ, ବିଡ଼ିଓ, ତହସିଲଦାର, ନଗର ବିଜେଡ଼ି ସଭାପତି ଭୀମସେନ ବେହେରା, ପୂର୍ବତନ ନଗରପାଳ ଶିବରାମ ଗଉଡ଼ ଯୁବ ବିଜେଡ଼ି ସଭାପତି ସଞ୍ଜୟ କୁମାର ପଣ୍ଡା, ଜିଲ୍ଲା ବିଜେଡ଼ି ସମ୍ପାଦକ ପବିତ୍ର ପାଣିଗ୍ରାହୀ, ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷ ପୋଲାଇ, ଆସିକା ସଂସଦଙ୍କ ରାଜନୈତିକ ସହାୟକ ନିଳମଣି ପଟ୍ଟନାୟକ, କିରଣ ପଟ୍ଟନାୟକ, ଯୋଗାଣ ନିରୀକ୍ଷକ ପୁରଞ୍ଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ୪୨ ଜଣ ହିତାଧିକାରୀଙ୍କୁ ଅତିଥି ମାନେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ସ୍ମାର୍ଟ ହେଲଥ୍ କାର୍ଡ଼ ବଣ୍ଟନ କରିଥିଲେ । ବ୍ଳକରେ ୨୫୨୪୭ ଓ ପୌରାଞ୍ଚଳରେ ୪୧୯୦ହିତାଧିକାରୀ ବିଏସକେୱାଇ ସ୍ମାର୍ଟ ହେଲଥ୍ କାର୍ଡ଼ ବଣ୍ଟନ ନିମନ୍ତେ ପ୍ରଶାସନ ପକ୍ଷରୁ ସ୍ଥରିକୃତ ହୋଇଥିବା ଯୋଗାଣ ନିରୀକ୍ଷକ ପୁରଞ୍ଜୟ ସାହୁଙ୍କ ସୁତ୍ରରୁ ସୂଚନା ମିଳିଛି । । ବୁରୁପୋଡ଼ା ପଞ୍ଚାୟତରେ ସର୍ବାଧିକ ୨୦୩୦ ଓ ଦୟାପଲ୍ଲୀ ପଞ୍ଚାୟତରେ ସର୍ବନିମ୍ନ ୫୭୭ ହିତାଧିକାରୀ ଯୋଜନାରେ ସାମିଲ ହୋଇଥିବା ସୂଚନା ମିଳିଛି । ସେହିପରି ପୌରାଞ୍ଚଳର ୯ନଂ ୱାର୍ଡ଼ରେ ସର୍ବଧିକ ୪୭୮ ଓ ୧୩ ନଂ ୱାର୍ଡ଼ରେ ସର୍ବନିମ୍ନ ୯୬ ହିତାଧିକାରୀ ଯୋଜନାରେ ସାମିଲ ହୋଇଥିବା ସୂଚନା ମିଳିଛି । ବ୍ଳକ ପାଇଁ ୪୫ଟି ବଣ୍ଟନ କେନ୍ଦ୍ର ଓ ୨୧ ନୋଡ଼ାଲ ଅଧିକାରୀଙ୍କ ସହାୟତାରେ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସେହିପରି ପୌରାଂଚଳର ୬ଟି କେନ୍ଦ୍ରରେ ବଣ୍ଟନ କାର୍ଯ୍ୟକ୍ରମ କରାଯିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଗତ ୧୩ ତାରିଖ ଠାରୁ ଆସନ୍ତା ୧୯ ତାରିଖ ମଧ୍ୟରେ ଅବଶିଷ୍ଟ ହେଲଥ୍ କାର୍ଡ଼ ବଣ୍ଟନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ବ୍ଳକର ୨୧ଟି ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ, ସମିତି ମେମ୍ବର, ଜିଲ୍ଲା ପରିଷଦ ସଭ୍ୟ ସମେତ ନୋଡ଼ାଲ ଅଧିକାରୀ, ଶିକ୍ଷକ, ଶିକ୍ଷୟତ୍ରୀ, ଜିଆରଏସ, ଯୋଗାଣ ସହାୟକ, ଆଶା, ଅଙ୍ଗନୱାଡ଼ି ବଣ୍ଟନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।