ବିଓବିରେ ମିଶିଲା ବିଜୟା-ଦେନା ପ୍ରଭାବିତ ହେବେ ୮.୨ କୋଟି ଗ୍ରାହକ
ମୁମ୍ବାଇ : ଅତିଶୀଘ୍ର ଆରମ୍ଭ ହେବାକୁ ଯାଉଛି ନୂଆ ଆର୍ଥିକ ବର୍ଷ । ପ୍ରତି ବର୍ଷ କୌଣସି ନା କୌଣସି ସେକ୍ଟରରେ ଏହାକୁ ନେଇ କିଛି ନା କିଛି ପରିବର୍ତ୍ତନ ହେବାରେ ଲାଗିଛି । ଚଳିତ ଥର ନୂଆ ଆର୍ଥିକ ବର୍ଷରେ ବ୍ୟାଙ୍କ୍ ଅଫ୍ ବରୋଦାରେ ଦେନା ବ୍ୟାଙ୍କ୍ ଓ ବିଜୟା ବ୍ୟାଙ୍କ୍ର ବିଲୟ ଏପ୍ରିଲ୍ ୧ଠାରୁ ଲାଗୁ ହେବା ପରେ ଦେଶକୁ ତୃତୀୟ ସର୍ବବୃହତ୍ତ ବ୍ୟାଙ୍କ୍ ମିଳିବ । ଏହାପରେ ଦେନା ଓ ବିଜୟା ବ୍ୟାଙ୍କ୍ର ଗ୍ରାହକଙ୍କ ଆକାଉଣ୍ଟ ବ୍ୟାଙ୍କ୍ ଅଫ୍ ବରୋଦାକୁ ଟ୍ରାନ୍ସଫର୍ ହୋଇଯିବ । ତେବେ ଏହି ବିଲୟ କାର୍ଯ୍ୟକାରୀ ହେବା ପରେ ପ୍ରାୟ ୮.୨କୋଟି ଗ୍ରାହକ ବିଶେଷ ଭାବେ ପ୍ରଭାବିତ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ପ୍ରକାଶ ଯେ ଚଳିତ ବର୍ଷ ଜାନୁଆରୀରେ ସରକାର ପବ୍ଲିକ୍ ସେକ୍ଟରର ଦୁଇ ବ୍ୟାଙ୍କ୍-ଦେନା ବ୍ୟାଙ୍କ୍ ଓ ବିଜୟା ବ୍ୟାଙ୍କ୍ର ବ୍ୟାଙ୍କ୍ ଅଫ୍ ବରୋଦାରେ ମିଶ୍ରଣର ମଞ୍ଜୁରୀ ପ୍ରଦାନ କରିଥିଲେ । ଚଳିତ ବର୍ଷ ଏପ୍ରିଲ୍ ୧ରେ ଏହି ମିଶ୍ରଣ କାର୍ଯ୍ୟକାରୀ ହେବା ପରେ ଦେନା ବ୍ୟାଙ୍କ୍ ଓ ବିଜୟା ବ୍ୟାଙ୍କ୍ର କର୍ମଚାରୀ, ଆକାଉଣ୍ଟ ଓ ଶେୟାର ଆଦି ବ୍ୟାଙ୍କ୍ ଅଫ୍ ବରୋଦା ଅଧିନକୁ ଆସିଯିବ । ଏହାପରେ ବ୍ୟରାଙ୍କ୍ ଅଫ୍ ବରୋଦା ନିକଟରେ ସମୁଦାୟ ୯୪୦୧ବ୍ୟାଙ୍କ୍ ଶାଖା ଓ ସମୁଦାୟ ୧୩,୪୩୨ଏଟିଏମ୍ ହୋଇଯିବ । ଏହି ସମିଶ୍ରଣ ପରେ ବ୍ୟାଙ୍କ୍ ଅଫ୍ ବରୋଦା ଦେଶର ତୃତୀୟ ସର୍ବବୃହତ୍ତ ବ୍ୟାଙ୍କ୍ର ମାନ୍ୟତା ହାସଲ କରିବ । ବର୍ତ୍ତମାନ ୪୫.୮୫ଲକ୍ଷ କୋଟି ଟଙ୍କା ମୂଲ୍ୟର କାରବାର ସହିତ ଷ୍ଟେଟ୍ ବ୍ୟାଙ୍କ୍ ଇଣ୍ଡିଆ (ଏସ୍ବିଆଇ) ପ୍ରଥମରେ ରହିଥିବା ବେଳେ ୧୫.୮ଲକ୍ଷ କୋଟି ଟଙ୍କା ସହିତ ଏଚ୍ଡ଼ିଏଫ୍ସି ବ୍ୟାଙ୍କ୍ ଦ୍ୱିତୀୟ ସ୍ଥାନରେ ଓ ୧୧.୦୨ଲକ୍ଷ କୋଟି ଟଙ୍କା କାରବାର ସହିତ ଆଇସିଆଇସିଆଇ ବ୍ୟାଙ୍କ୍ ତୃତୀୟ ସ୍ଥାନରେ ରହିଛି । ନୂଆ ବ୍ୟାଙ୍କ୍ ଅଫ୍ ବରୋଦାର କାରବାର ୧୫.୦୪ ଲକ୍ଷ କୋଟି ଟଙ୍କାର ହୋଇଯିବ । ଫଳରେ ଆଇସିଆଇସିଆଇକୁ ପଛରେ ପକାଇ ବିଓବି ତୃ୍ତୀୟ ସର୍ବବୃହତ୍ତ ବ୍ୟାଙ୍କ୍ରେ ପରିଣତ ହେବ । ତେବେ ଏହି ପରିବର୍ତ୍ତନ କାରଣରୁ ଦେନା ବ୍ୟାଙ୍କ୍ ତଥା ବିଜୟା ବ୍ୟାଙ୍କ୍ରେ କାମ କରୁଥିବା କର୍ମଚାରୀଙ୍କର ଛଟେଇ ହେବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ବ୍ୟାଙ୍କ୍ ବରୋଦାର ୱେବ୍ସାଇଟ୍ ଅନୁସାରେ ଭାରତ ସମେତ ବିଶ୍ୱର ୨୨ଦେଶରେ ଏହି ବ୍ୟାଙ୍କ୍ର ୮.୨କୋଟି ଗ୍ରାହକ ରହିଛନ୍ତି । ଅନ୍ୟପକ୍ଷରେ ଦେନା ଓ ବିଜୟା ବ୍ୟାଙ୍କ୍ର ଗ୍ରାହକଙ୍କର ସଂଖ୍ୟା ମଧ୍ୟ ଅଧିକ ରହିଛି । ତେବେ ଏହି ସମିଶ୍ରଣ ପରେ ଗ୍ରାହକଙ୍କୁ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିପାରେ ବୋଲି ଅନୁମାନ କରାଯାଉଛି । କାହିଁକି ନା ଏହି ମିଶ୍ରଣ ପରେ ଗ୍ରାହକଙ୍କୁ ନୂଆ ଆକାଉଣ୍ଟ ନମ୍ବର ଓ କଷ୍ଟମର୍ ଆଇଡ଼ି ମିଳିବାର ସମ୍ଭାବନା ରହିଛି । ସେହିପରି ଯେଉଁ ଗ୍ରାହକଙ୍କୁ ନୂଆ ଆକାଉଣ୍ଟ ନମ୍ବର ତଥା ଆଇଏଫ୍ଏସ୍ସି କୋଡ଼ ମିଳିବ, ସେମାନଙ୍କୁ ନୂଆ ଡିଟେଲ୍ସ ଆୟକର ବିଭାଗ, ଇନ୍ସ୍ୟୁରାନ୍ସ କମ୍ପାନୀ, ମ୍ୟୁଚୁଆଲ୍ ଫଣ୍ଡ, ନ୍ୟାସ୍ନାଲ୍ ପେନ୍ସନ୍ ସ୍କିମ୍ (ଏନ୍ପିଏସ୍) ଆଦିରେ ଅପ୍ଡେଟ୍ କରିବାକୁ ହେବ । ନୂଆ ଚେକ୍ବୁକ୍, ଡେବିଟ୍ କାର୍ଡ଼ ଓ କ୍ରେଡ଼ିଟ୍ କାର୍ଡ଼ ଇସ୍ୟୁ ହୋଇପାରେ । ତେବେ ଏଫ୍ଡ଼ି ଓ ଆର୍ଡ଼ିର ସୁଧରେ କୌଣସି ପରିବର୍ତ୍ତନ ହେବନାହିଁ । ସେହିଭଳି ଯେଉଁ ଋଣ ହାରରେ ବାହାନ ଲୋନ୍, ବ୍ୟକ୍ତିଗତ ଲୋନ୍ ଆଦି ଲୋନ୍ ନିଆଯାଇଛି, ସେଥିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ । ହେଲେ ଏହି ସମିଶ୍ରଣ ପରେ କିଛି ଶାଖା ବନ୍ଦ ହେବାର ସମ୍ଭାବନା ରହିଛି । ଯଦ୍ୱାରା ଗ୍ରାହକଙ୍କୁ ନୂଆ ଶାଖାକୁ ଯିବାକୁ ପଡ଼ିପାରେ । ଏହା ପୂର୍ବରୁ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ବିକାନେର୍ ଆଣ୍ଡ ଜୟପୁର (ଏସ୍ବିବିଜେ), ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ମହିସୁର (ଏସ୍ବିଏମ୍), ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ତ୍ରାବଣକୋର୍ ତଥା ଦୁଇଟି ଅଣ-ତାଲିକା ଭୁକ୍ତ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ପଟିଆଲା ତଥା ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ହାଇଦ୍ରାବାଦ୍ ସହିତ ଭାରତୀୟ ମହିଳା ବ୍ୟାଙ୍କ୍ (ବିଏମ୍ବି)ର ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସ୍ବିଆଇ)ରେ ସମିଶ୍ରଣ କରାଯାଇଥିଲା ।