‘ବିଚ୍ଛିନ୍ନାଞ୍ଚଳ ଆନ୍ଧ୍ରର ମଞ୍ଜୁଷାରେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଆଲୋଚନାଚକ୍ର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ଉପଲକ୍ଷେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବିଚ୍ଛିନ୍ନାଞ୍ଚଳ ଆନ୍ଧ୍ରପ୍ରଦେଶର ମଞ୍ଜୁଷାସ୍ଥିତ ଓଡ଼ିଆ ଯୁବକ ପାଠାଗାରର ସହଯୋଗରେ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଆୟୋଜିତ ହୋଇଯାଇଛି. ଏଥିରେ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ଭୂମିକା ସଂପର୍କରେ ଭାଷାଭିଭିକ ଆଲୋଚନାକରାଯାଇଥିଲା I ଉପାନ୍ତ ଓଡ଼ିଆ ସଂଘ ସଭାପତି ସତ୍ୟନାରାୟଣ ପାଢ଼ୀ, ଆନ୍ଧ୍ରପ୍ରଦେଶ ଓଡ଼ିଆ ଶିକ୍ଷକ ସଂଘ ସଭାପତି ଭାସ୍କର ପାଢ଼ୀ ଏବଂ ଆନ୍ଧ୍ରପ୍ରଦେଶ ଓଡ଼ିଆ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ବୃନ୍ଦାବନ ଦଳାଇ ଯୋଗ ଦେଇ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷାର ସୁରକ୍ଷା ପ୍ରତି ରହିଥିବା ଦାୟିତ୍ବ ସଂପର୍କରେ ଏବଂ ଏହାର ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରିବା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ। ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟ ଓଡ଼ିଆ ବିଭାଗର ପ୍ରାକ୍ତନ ମୁଖ୍ୟ ଡ. ବିଦ୍ୟୁତପ୍ରଭା ସାହୁ, ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ଶରଣାବିନ୍ଦ ଓଝା, ମୁଖ୍ୟଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗଦାନ କରି ଭାଷା ସମ୍ପର୍କିତ ଆଲୋଚନା ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରତି ଏହି ସ୍ଥାନରେ ବସବାସ କରୁଥିବା ସାରସ୍ବତ ପ୍ରେମୀଙ୍କ କାର୍ଯ୍ୟଧାରାକୁ ପ୍ରଶଂସା କରିଥିଲେ। ଉତ୍ସବରେ ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ସଭାପତିତ୍ବ କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀର ଡ.ଚନ୍ଦ୍ରଶେଖର ହୋତା ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ | ଓଡ଼ିଶା ସାହିତ୍ୟ ଏକାଡେମୀର ସହସଚିବ ସଞ୍ଜୟ କୁମାର ଛୁଆଳସିଂହ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ । କୃଷ୍ଣପୁରସ୍ଥିତ ଜିଲ୍ଲା ପରିଷଦ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା “ବନ୍ଦେ ଉକ୍ରଳ ଜନନୀ’ ଗାନ କରାଯାଇଥିଲା।