ବିଜୁଜନତା ଦଳର ପ୍ରାର୍ଥୀ ପାଇଁ ପ୍ରଚାରରେ ଓ୍ୱହ୍ଲେଇଛନ୍ତି ନିଜେ ଶିଳ୍ପପତି
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଜୋନର ଜିଲ୍ଲା ପରିଷଦର ବିଜୁଜନତା ଦଳର ପ୍ରାର୍ଥୀ ଏସ ବାଲାରାଜୁଙ୍କ ପାଇଁ ପ୍ରଚାରରେ ଓ୍ୱହ୍ଲେଇଛନ୍ତି ନିଜେ ଶିଳ୍ପପତି ଡ଼ ତିରୁପତି ପାଣିଗ୍ରାହୀ। ପୂର୍ବରୁ ଏଠାରେ ବିଜେପିର ପ୍ରଭାବ ରହିଥିବା ବେଳେ ଚଳିତ ନିର୍ବାଚନରେ ଏଠାରେ ବେଶ ପରିବର୍ତ୍ତନ ଦେଖାଦେଇଛି। ଲୋକେ ସ୍ଵତଃ ପ୍ରବୃତ୍ତ ବିଜେଡ଼ି ବାନା ଲଗାଇ ବିଜୁଜନତା ଦଳର ସମର୍ଥିନ ଥିବା ଜାହିର କରିଛନ୍ତି ଏଠାରେ। ପୂର୍ବରୁ ସରପଞ୍ଚ ଭାବେ ଦୁଇ ଦୁଇ ଥର ନିର୍ବାଚିତ ହୋଇଥିବା ଜଣେ ପ୍ରତିନିଧି ଭାବେ ଏସ. ବାଲାରାଜୁ ଅଞ୍ଚଳର ଲୋକଙ୍କ ସହ ଜଡ଼ିତ ଥିବା ବେଳେ ଏହି ଜୋନରେ ପ୍ରଚାର ପ୍ରସାରରେ ବେଶ ଆଗୁଆ ରହିଛନ୍ତି । ତାଙ୍କ ସମର୍ଥନରେ ଅଞ୍ଚଳର ଅତି ଜଣାଶୁଣା ବିଜୁଜନତା ଦଳର ଜିଲ୍ଲା ଯୁବ ସଭାପତି ଏସ ଲିଙ୍ଗରାଜ ମଧ୍ୟ ପ୍ରଚାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ଅପରପକ୍ଷରେ ଏହି ଜୋନରେ କଂଗ୍ରେସର ସ୍ଥିତି ଦୁର୍ବଳ ରହିଥିବା ବେଳେ ବିଜେପି ମୂଖ୍ୟ ପ୍ରତିଦ୍ବନ୍ଦି ଭାବେ ରହିଛି । ଉଭୟ ବିଜେଡ଼ି ଓ ବିଜେପି ମଧ୍ୟରେ କଡ଼ା ମୁକାବିଲା ହେଉଥିବା ମଧ୍ୟରେ ପ୍ରତି ଘର ଘର ବୁଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର ଯୋଜନା ତଥା ତାଙ୍କ ଶାସନ କାଳର ବିକାଶ ଧାରାର କଥା ନେଇ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି ବିଜେଡ଼ି ପ୍ରାର୍ଥୀ ଓ ନେତୃବୃନ୍ଦ । ଅପରପକ୍ଷରେ ସରକାରଙ୍କ ସହିତ ରହି ବିକାଶ ଧାରାରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ଲୋକେ । ଦୀର୍ଘ ବର୍ଷ ଧରି ବିରୋଧୀ ଦଳକୁ ସମର୍ଥନ କରିଆସୁଥିବା ଯୋଗୁଁ ଅଞ୍ଚଳର ବିକାଶ ଏକପ୍ରକାର ମନ୍ଥର ଗତିରେ ହେଉଥିବା ଅଞ୍ଚଳବାସୀ ହୃଦୟଙ୍ଗମ କରି ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ନିଜର ମତ ପରିବର୍ତ୍ତନ କରୁଥିବା ଦେଖିବାକୁ ମିଳିଛି । ତେବେ ନିର୍ବାଚନ ଫଳାଫଳ ପରେ ଲୋକଙ୍କ ମତାମତ କାହାପ୍ରତି ଅଧିକ ରହୁଛି ତାହା ଦେଖିବାକୁ ବାକି ରହିଛି ।


