ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ମାଗଣା ଲ୍ୟାପଟପ ବଂଟନ

କେନ୍ଦ୍ରାପଡା – କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ରବିବାର ପୂର୍ବାହ୍ନରେ ରାଜ୍ୟ ସରକାରଙ୍କ ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର +୨ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମାଗଣା ଲ୍ୟାପଟପ ବଂଟନ କରାଯାଇଛି । ଏହି ଉପଲକ୍ଷେ କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ପ୍ରବାଦ ପୁରୁଷ ବିଜୁ ବାବୁ ହେଉଛନ୍ତି ଏକମାତ୍ର ବ୍ୟକ୍ତିତ୍ୱ ଯାହାଙ୍କର ଦୃଷ୍ଟିଭଙ୍ଗି ବହୁ ପ୍ରସାରିତ ଥିଲା । ବିଜ୍ଞାନକୁ ଲୋକପ୍ରିୟ କରାଇବା ପାଇଁ ସାରା ଓଡିଶାରେ କଳିଙ୍ଗ ପୁରସ୍କାର ଘୋଷଣା କରି ଯୁବ ବୈଜ୍ଞାନିକମାନଙ୍କୁ ଆଗକୁ ବଢିବାକୁ ସେ ପ୍ରେରଣା ଦେଇଥିଲେ । ସେହି ମହାନ ବ୍ୟକ୍ତିତ୍ୱଙ୍କ ସୁପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣା ଲ୍ୟାପଟପ ବଂଟନ କାର୍ଯ୍ୟକ୍ରମ ଏକ ଅଭିନବ ଯୋଜନା । ଓଡିଶାର ବିକାଶ ଧାରାକୁ ସୁନିୟନ୍ତ୍ରିତ କରିବାକୁ ୫-ଟି ଯୋଜନାର ଅୟମାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି କେନ୍ଦ୍ରାପଡାର ଅନେକ ଛାତ୍ରଛାତ୍ରୀ ସାରା ପୃଥିବୀରେ ପ୍ରତିଷ୍ଠିତ ହୋଇ ଆମ ପାଇଁ ସୁନାମ ଆଣିଛନ୍ତି । ବୈଷୟିକ ଜ୍ଞାନ କୈାଶଳ ଆଜିର ସମାଜରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି । ଯାହା ଫଳରେ ଲ୍ୟାପଟପଟି ଖୋଲି ଅନଲାଇନକୁ ଗଲେ ସମଗ୍ର ପୃଥିବୀର କଥା ଜାଣିହେଉଛି । ତେଣୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ +୨ ପରୀକ୍ଷାରେ ଉତ୍ତୀର୍ଣ୍ଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣା ଲ୍ୟାପଟପ ପ୍ରଦାନ କରି ସେମାନଙ୍କ ଜ୍ଞାନର ପରିସୀମାକୁ ବୃଦ୍ଧି କରିବାକୁ ସୁଯୋଗ ଆଣି ଦେଇଛନ୍ତି ବୋଲି ମୁଖ୍ୟ ଅତିଥି ବିଧାୟକ ଶ୍ରୀ ବେହେରା ମତବ୍ୟକ୍ତ କରି ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଜିଲ୍ଲାପାଳ ସମର୍ଥ ବର୍ମା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତଓ ନିଷ୍ଠାପର ଭାବେ ପାଠପଢାରେ ମନୋନିବେଶ କରିଲେ ଜୀବନରେ ସେମାନେ ଜଣେ ଜଣେ ଭଲ ମଣିଷ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । କଲେଜ ଉପାଧ୍ୟକ୍ଷ ପ୍ରଫେସର ଗୋପାଳ ଚରଣ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ.ତ୍ରିପାଠୀ ସ୍ୱାଗତ ଭାଷଣ ଓ ସଂଯୋଜକ ଅଧ୍ୟାପକ ତୁଷାରକାନ୍ତି ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଜିଲ୍ଲାର ୪୨ଟି ସାଧାରଣ କଲେଜ,୧୩ଟି ସଂସ୍କୃତ କଲେଜ ଓ ୮ଟି ଧନ୍ଦାମୂଳକ କଲେଜର ମୋଟ ୫୩୫ ଛାତ୍ରଛାତ୍ରୀଙ୍କୁ ବିଧାୟକ ଶ୍ରୀ ବେହେରା ଓ ଜିଲ୍ଲାପାଳ ଶ୍ରୀ ବର୍ମା ଲ୍ୟାପଟପ ବଂଟନ କରିଥିଲେ । ଅଧ୍ୟାପକ ରଞ୍ଜିତ କୁମାର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ