ବିଜୁ ସେତୁ ନିର୍ମାଣକାରୀଙ୍କୁ ଚାନ୍ଦା ଆଦାୟ ଅଭିଯୋଗ
ନାଉଗାଁ, (ଓ୍ବାଇଏନ୍ଏସ୍): ନାଉଗାଁ ଥାନା କୋରୁଅ ପଂଚାୟତର ଧୂଆଁପଦା ଠାରେ ପ୍ରବାହିତ ଗୋବରୀ ନଦୀରେ ବିଜୁ ସେତୁ ନିର୍ମାଣ କରାଯାଉଛି । ଉକ୍ତ ବିଜୁ ସେତୁକୁ ନେଇ କିଛି ଯୁବକ ଚାନ୍ଦା ମାଗିବା ସହ ଅଶିଳ୍ଲ ଭାଷାରେ ଗାଳିଗୁଲଜ କରିଥିବାକୁ ନେଇ ୨୯ ଡିସେମ୍ବରରେ ୨୦୨୦ ଡାହାôଣଖିଆ ଗ୍ରାମର କୃତିବାସ ନାୟକ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ପୋଲିସ କୋରୁଅ ଗ୍ରାମର ଶ୍ରୀକାନ୍ତ ସ୍ୱାଇଁଙ୍କୁ ରବିବାର ସକାଳ ସମୟରେ ଉଠାଇ ଆଣି ଜଗତସିଂହପୁର ଥାନାରେ ଅଟକ ରଖିଥିଲା । ଶ୍ରୀକାନ୍ତଙ୍କୁ ଉଠାଇ ଆଣିବା ପ୍ରତିବାଦରେ ଅପରାହ୍ନରେ ନାଉଗାଁ ଥାନା ସମ୍ମୁଖରେ ବିଜେପି ପକ୍ଷରୁ ପବିତ୍ର ପଣ୍ଡା, ରତ୍ନାକର ତରାଇ, ତପନ ପଣ୍ଡା, ଧୃବ ମହାରଣା ଆଦି କର୍ମୀମାନେ ଥାନା ସମ୍ମୁଖରେ ଧାରଣାରେ ବସିବା ସହିତ ଶ୍ରୀକାନ୍ତକୁ ଛାଡି ଦେବା ପାଇଁ ଦାବି କରିଥିଲେ । ପରେ ଅଭିଯୋଗକୁ ବିଚାରକୁ ନିଆଯାଇ ଥାନାରୁ ଶ୍ରୀକାନ୍ତକୁ ଜାମିନ ପ୍ରଦାନ କରାଯିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ସୂଚନା ମୁତାବକ ବିଜୁ ସେତୁ ନିର୍ମାଣ ଦାୟିତ୍ୱରେ ଥିବା ଠିକାଦାର ଅଭିଯୋଗକାରୀ କୃତିବାସଙ୍କୁ ସେତୁ ବୁଝା ବୁଝି କରିବା ଦାୟିତ୍ୱ ଦେଇଛନ୍ତି । ସେତୁ ନିକଟକୁ ଆସିବା ସମୟରେ ଗାରୋଇ ନିକଟରେ ଶ୍ରୀକାନ୍ତ ଓ ଧରଣୀ ସ୍ୱାଇଁ ତାଙ୍କୁ ଅଟକାଇ ୫ ଲକ୍ଷ ଟଙ୍କା ଚାନ୍ଦା ମାଗିବା ସହ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିଲେ । ଏପରିକି ତାଙ୍କୁ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥିବା କୃତିବାସ ଅଭିଯୋଗରେ ଦର୍ଶାଇଥିଲେ । ଅଭିଯୋଗକୁ ଭିତି କରି ଥାନା ପକ୍ଷରୁ ୧୬୯/୨୦ରେ ମାମଲା ରୁଜୁ କରାଯାଇଥିଲା ।


