ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ
ଛତ୍ରପୁର, (ଦେବଦତ୍ତ ମହାରଣା) : କଣମଣା ପଂଚାୟତରୁ ଛତ୍ରପୁର ବ୍ଲକ ସ୍ତରୀୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ସ୍ମାର୍ଟ କାର୍ଡ ବିତରଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । କଣମଣା ପଂଚାୟତ କାର୍ଯ୍ୟାଳୟ ନିକଟରେ ସରପଂଚ ଏସ୍. ଚକ୍ରପାଣି ରେଡ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମାର୍ଟ କାର୍ଡ ବିତରଣ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହିତାଧିକାରୀ ମାନଙ୍କୁ ସ୍ମାର୍ଟ କାର୍ଡ ପ୍ରଦାନ କରିଥିଲେ । ଏହି ଯୋଜନା ମାଧ୍ୟମରେ ବିଭିନ୍ନ ଉପକାରିତା ସଂପର୍କରେ ବିଧାୟକ ଶ୍ରୀ ବେହେରା ଉପସ୍ଥିତ ହିତାଧିକାରୀ ମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡ୍ଡି, ଉପାଧ୍ୟକ୍ଷା ଅମିତା ସାହୁ, ଛତ୍ରପୁର ବିଡିଓ ସାରଦା ପ୍ରସନ୍ନ ପଣ୍ଡା, କଣମଣା ସମିତି ସଭ୍ୟା ରଶ୍ମିତା ବେହେରା ଅତିଥି ଭାବେ ଯୋଗ ଦେଇ ହିତାଧିକାରୀ ମାନଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ । ଏହି ଅବସରରେ ପଂଚାୟତ ପକ୍ଷରୁ ଆଜି ଶହେରୁ ଉର୍ଦ୍ଧ୍ୱ ହିତାଧିକାରୀ ମାନଙ୍କୁ କାର୍ଡ ବଣ୍ଟନ କରାଯାଇଥିବା ବେଳେ ଛତ୍ରପୁର ବ୍ଲକ ପକ୍ଷରୁ ସପ୍ତାହ ବ୍ୟାପୀ ପଂଚାୟତ ସ୍ତରରେ ଏଭଳି ସ୍ମାର୍ଟ କାର୍ଡ ବିତରଣ କରାଯାଇ ୨୯ ହଜାରରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ପ୍ରଦାନ କରାଯିବ ବୋଲି ବ୍ଲକ ପକ୍ଷରୁ ସୂଚନା ମିଳିଛି । ସେହିପରି ଛତ୍ରପୁର ବ୍ଲକ ପକ୍ଷରୁ ଆର୍ଯ୍ୟପଲ୍ଲୀ ପଂଚାୟତ ରେ ମଧ୍ୟ ବିଧାୟକ ଶ୍ରୀ ବେହେରା ଏହି ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ ।