ବିଜେଡ଼ିର ପଞ୍ଚାୟତ ସ୍ତରୀୟ ସକ୍ରିୟ କର୍ମୀ ସମ୍ମିଳନୀ
ବୁଗୁଡ଼ା, (ଅନିଲ କୁମାର ମହାରଣା) :-ପୋଲସରା ବ୍ଲକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମ ପଞ୍ଚାୟତର ବିଜୁ ଜନତା ଦଳର ସକ୍ରିୟ କର୍ମୀ ସମ୍ମିଳନୀ ଏପ୍ରିଲ ୧୫ ତାରିଖ ଦିନ ରାଆଣ୍ଡି ଧନେଇ ଡ୍ୟାମ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମୀ ସମ୍ମିଳନୀରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଅତିଥି ଭାବେ ଯୋଗଦେଇଥିଲେ। ପୋଲସରା ବ୍ଲକ ବିଜେଡି ସମ୍ପାଦକ ଅଶୋକ କୁମାର ବିଷୋୟୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପଞ୍ଚାୟତ ନିର୍ବାଚନ ଫଳାଫଳ ନେଇ ସମୀକ୍ଷା ହୋଇଥିଲା। ଚିରିକିପଡା ଶାସନ ପଞ୍ଚାୟତ ରେ ବିଜୁ ଜନତା ଦଳକୁ କିପରି ସୁଦୃଢ କରାଯାଇପାରିବ ସେହି ବିଷୟ ନେଇ ଆଲୋଚନା ହୋଇଥିଲା। ସମସ୍ତ ସକ୍ରିୟ କର୍ମୀ ପଞ୍ଚାୟତର ଜନସାଧାରଣଙ୍କ ନିକଟକୁ ଯାଇ ସେମାନଙ୍କ ସମସ୍ୟା ସମ୍ପର୍କରେ ବୁଝି ପଦକ୍ଷେପ ନେବାକୁ ବିଧାୟକ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ। ଚନ୍ଦ୍ରଭାନୁ ସାହୁ, ସୁରେନ୍ଦ୍ର ପ୍ରଧାନ, ସତ୍ୟନାରାୟଣ ସାହୁ, ରଞ୍ଜନ କୁମାର ସାହୁ ପ୍ରମୁଖଙ୍କ ସମେତ ସକ୍ରିୟ ସଦସ୍ୟ ବୃନ୍ଦ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।


