ଡାକ୍ତରଙ୍କ ବଦଳି ନେଇ ଜନ ଅସନ୍ତୋଷ : ତୁରନ୍ତ ସମାଧାନ କରାନଗଲେ ଆନ୍ଦୋଳନ ଚେତାବନୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ମହକୁମାସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଶିଶୁ ରୋଗ ବିଶେଷଜ୍ଞ ଡଃ ୟୁ. ଗିରିଜା ପତିଙ୍କ ବଦଳି ନେଇ ଜନ ଅସନ୍ତୋଷ ଦେଖା ଦେଇଛି l ତୁରନ୍ତ ଏହାର ସ୍ଥାୟୀ ସମାଧାନ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ l ପ୍ରକାଶ ଯେ, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରାୟଗଡ଼ ବ୍ଲକ ଅଧିନରେ ୨୧ ଟି ପଞ୍ଚାୟତ ରହିଛି l ପ୍ରାୟତଃ ସବୁ ପଞ୍ଚାୟତର ଲୋକେ ରାୟଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭରଶୀଳ ହୋଇଥିବା ବେଳେ ୧୯୩୧ ମସିହାରେ ରାୟଗଡ଼ ରେ ପ୍ରଥମେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଆରମ୍ଭ ହୋଇଥିଲା l ପରେ ତାହା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ ହୋଇଅଛି l ସ୍ୱାସ୍ଥ୍ୟ କେନ୍ଦ୍ର କୁ ଇତି ମଧ୍ୟରେ ୯୧ ବର୍ଷ ବିତିଯାଇଥିବା ବେଳେ ଏହାର ଅଧୀନରେ କଇଁପୁର, ଜିରାଙ୍ଗ ଏବଂ ଲୋବା ରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଚି l ଏହାକୁ ପରିଚାଳନା କରିବା ପାଇଁ ଜଣେ ଅଭିଜ୍ଞ ସ୍ପେଶାଲିଷ୍ଟ ଆବଶ୍ୟକ ଥିବା ବେଳେ ଦୀର୍ଘ ବର୍ଷ ଧରି କୌଣସି ବିଶେଷଜ୍ଞ ଡାକ୍ତର ନିୟୋଜିତ ହୋଇନଥିଲେ l ୨୦୧୯ ମସିହାରେ ଶିଶୁ ରୋଗ ବିଶେଷଜ୍ଞ ଭାବେ ଡଃ ୟୁ. ଗିରିଜା ପତି ଯୋଗଦେଇଥିଲେ I ସେ ଯୋଗ ଦେବା ପର ଠାରୁ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ପଡ଼ୋଶୀ ଜିଲ୍ଲା ରାୟଗଡା , ପଡ଼ୋଶୀ ବ୍ଲକ ନୂଆଗଡ ଆର ଉଦୟଗିରି ଆଦି ବିଭିନ୍ନ ସ୍ଥାନରୁ ଦୈନିକ ପ୍ରାୟ ୫୦ ରୁ ୬୦ ଶିଶୁ ରୋଗୀ ରାୟଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଆସୁଥିବା ବେଳେ ବର୍ତ୍ତମାନ ତାଙ୍କୁ ସେଠାରୁ ହଟାତ ବଦଳି କୁ ନେଇ ଅଞ୍ଚଳବାସୀ ସହଜରେ ଗ୍ରହଣ କରିପାରୁନାହାନ୍ତି l ଏହାକୁ ନେଇ ଅଞ୍ଚଳରେ ଚର୍ଚା ଜୋର୍ ଧରିଛି l ସିଡିଏମଓଙ୍କୁ ମିଶେଇ ଜିଲ୍ଲାରେ ୪ ଜଣ ଶିଶୁ ବିଶେଷଜ୍ଞ ଥିବାବେଳେ ଡାକ୍ତରଙ୍କୁ କୋଉ ଉଦ୍ଦେଶ୍ୟ ରଖି ପୁଣି ଜିଲ୍ଲା ସଦରମହକୁମାକୁ ନିଆଯାଇଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ରାୟଗଡ଼ ବ୍ଲକଟି ଆଦିବାସୀ ଅଞ୍ଚଳ ହୋଇଥିବାରୁ ଏଠାକୁ ପ୍ରତେକ ଦିନ ଶତାଧିକ ଶିଶୁ ରୋଗୀ ଚିକିତ୍ସା ହେଉଥିବା ବେଳେ ତାଙ୍କ ବଦଳି କୁ ନେଇ ଅସନ୍ତୋଷ ଦେଖା ଦେଇଛି l ତୁରନ୍ତ ତାଙ୍କ ବଦଳି କୁ ବାତିଲ କରିବାକୁ ସାଧାରଣ ଦାବୀ ହେଉଛି I ନଚେତ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି l ଏନେଇ ସିଡିଏମଓ ଡ ପ୍ରଦୀପ କୁମାର ପାତ୍ରଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ, ତାଙ୍କ ସ୍ୱାସ୍ଥ୍ୟ ଗତ ସମସ୍ୟା ଯୋଗୁଁ ତାଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଅଣାଯାଇଅଛି ସେଠାରେ ତୁରନ୍ତ ଆଉ ଜଣେ ସ୍ପେଶାଲିଷ୍ଟ ଦିଆଯିବ ବୋଲି କହିଛନ୍ତି l


