ବିଜେଡିର ରାଜ୍ୟ ଯୁବ ସହ ସମ୍ପାଦକ ବିଜେପିରେ ସାମିଲ ହେଲେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ରାଜ୍ୟ ବିଜୁ ଜନତା ଦଳର ସହ ସମ୍ପାଦକ ଦେବୀ ପ୍ରସାଦ ଦାସ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ଗତକାଲି ସାମିଲ ହୋଇଛନ୍ତି. ଶ୍ରୀ ଦାସ ବିଜେପିରେ ସାମିଲ ହେଲା ପରେ କହିଛନ୍ତି ବିଜେଡି ଦଳ କେତେକ ନିର୍ଦ୍ଧିଷ୍ଟ କୁଚକ୍ରୀ, ସ୍ୱାର୍ଥନ୍ବେଷୀ ନେତାଙ୍କ ଅକ୍ତିଆରରେ ରହିଛି. ଏହି ନେତାମାନେ ପ୍ରକୃତ କର୍ମୀଙ୍କୁ ଅଣଦେଖା କରୁଛନ୍ତି. ବିଶେଷକରି ଦକ୍ଷିଣ ଓଡ଼ିଶାରେ ଥିବା ନେତା ଓ କର୍ମୀମାନଙ୍କୁ ବିଭିନ୍ନ ଭାବେ ଅପମାନ ସୂଚକ ମନ୍ତବ୍ୟ ଦେବା ସହ ନାଲି ଆଖି ଦେଖାଉଛନ୍ତି. ଜଣେ ରାଜ୍ୟ ସ୍ତରୀୟ ନେତା ମୋତେ ଏଭଳି ଭାବେ ଦକ୍ଷିଣୀ ବୋଲି ତାଚ୍ଛଲ୍ୟ କରିବା ମୋତେ ଅସହ୍ୟ ହେବା ଯୋଗୁଁ ଏଭଳି ନେତାଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ଧାରାରେ ନିଜକୁ ସାମିଲ କରି ବିଜେପିର ସଂଗଠନକୁ ପାରଳାଖେମୁଣ୍ଡିରେ ମଜବୁତ କରିବା ପାଇଁ ମୁଁ ବିଜେଡି ପରିତ୍ୟାଗ କରି ବିଜେପିରେ ଯୋଗ ଦେଇଛି. ଗତକାଲି ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ତଥା ପାରଳା ବିଧାୟକ କେ. ନାରାୟଣ ରାଓ, ବ୍ରହ୍ମପୁର ଲୋକସଭା ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଥିବା ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ବହୁ ନେତା ଶ୍ରୀ ଦାସଙ୍କୁ ସ୍ୱାଗତ କରି ବିଜେପିରେ ସାମିଲ କରିଥିଲେ.