ବିଜେଡି ଓ ସ୍ୱାଧୀନ ପ୍ରାର୍ଥୀଙ୍କ ବାଇକ୍ ରାଲି
ଭାପୁର (ଜୁଗାବ୍ଦ ନ୍ୟୁଜ୍): ଖଣ୍ଡପଡ଼ା ବିଜେଡି ବିଧାୟକ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ନିର୍ବାଚନ ପ୍ରଚାର କାର୍ଯ୍ୟରେ ବାଇକ୍ ରାଲିକୁ ଅଧିକ ଗୁରୁତ୍ୱ ଦେଉଥିବା ପରିଲକ୍ଷିତ ହୋଇଛି । ଗତ ତିନିଦିନ ଧରି ଅନୁଷ୍ଠିତ ବାଇକ୍ ରାଲିରେ ଭାପୁର ବ୍ଲକ୍ର ସମସ୍ତ ପଞ୍ଚାୟତରୁ ଯୁବକମାନେ ବାଇକ୍ ରାଲି କରି ପଞ୍ଚାୟତ ପରିକ୍ରମା କରିଥିଲେ । ଖଣ୍ଡପଡ଼ା ମାଟିର ସେବା କରିବାକୁ ତାଙ୍କୁ ଥରଟିଏ ସୁଯୋଗ ଦେବାକୁ ସୌମ୍ୟରଞ୍ଜନ କହିବାସହ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ସଂଗୀତ ମାଧ୍ୟମରେ ପ୍ରଚାରକୁ ଜୋରଦାର କରିଛନ୍ତି । ବିରୋଧୀ ବିଜେପି ଏବଂ କଂଗ୍ରେସ ପକ୍ଷରୁ ଖଣ୍ଡପଡ଼ାରେ ପ୍ରଚାର ଜୋରଦାର ହୋଇନଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ଦୁଷ୍ମନ୍ତ କୁମାର ସ୍ୱାଇଁ ତାଙ୍କ ବାପା ସ୍ୱର୍ଗତ ମହେନ୍ଦ୍ର ସ୍ୱାଇଁଙ୍କ ଲୋକପ୍ରିୟତା ଏବଂ ତାଙ୍କ ଜନସେବାର ଅଭିଳାଷକୁ ପାଥେୟ କରି ଲୋକଙ୍କୁ ଭୋଟ୍ ଭିକ୍ଷା କରିଛନ୍ତି । ଶନିବାର ଦୁଷ୍ମନ୍ତଙ୍କ ପକ୍ଷରୁ ଅନୁଷ୍ଠିତ ବାଇକ୍ ରାଲିରେ ତାଙ୍କ ସମର୍ଥକ ଯୋଗ ଦେଇ ପଞ୍ଚାୟତଗୁଡ଼ିକରେ ଦୁଷ୍ମନ୍ତଙ୍କ ନିରପେକ୍ଷତା ଅବଲମ୍ବନରେ ଅଞ୍ଚଳର ବିକାଶକୁ ନେଇ ପ୍ରଚାର କରିଥିଲେ । ପ୍ରବଳ ଖରାକୁ ଭ୍ରୁକ୍ଷେପ ନକରି ହଜାର ହଜାର ସଂଖ୍ୟାରେ ବିଜେଡିର ବାଇକ୍ ରାଲି ଯୋଗୁଁ ଭାପୁର ଓ ଗ୍ରାମଗୁଡ଼ିକରେ ରାସ୍ତା ଜାମ୍ ହେବା ଦେଖାଯାଇଥିଲା ।


